ଓକିଲଙ୍କ ଆନ୍ଦୋଳନ ତୁଟିବ ନା ଆହୁରି ବଢିବ ? ଆଜି ହାଇକୋର୍ଟ ବାର କାଉନସିଲର ଗୁରୁତ୍ୱପୂର୍ଣ୍ଣ ବୈଠକ

ଯୋଗଦେବେ ରାଜ୍ୟର ବିଭିନ୍ନ ବାର ଆସୋସିଏସନର ପ୍ରତିନିଧି

103

କନକ ବ୍ୟୁରୋ : ପୋଲିସର ମାଡ ପ୍ରତିବାଦରେ ଦୁଇ ମାସ ହେଲା ଓକିଲ ମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରୁଥିବା ବେଳେ ଆଜି ହାଇକୋର୍ଟ ବାର୍ ଆସୋସିଏସନର ବଡ ଧରଣାର ବୈଠକ ହେବାକୁ ଯାଉଛି । ବୈଠକରେ ରାଜ୍ୟର ବିଭିନ୍ନ ବାର ଆସୋସିଏସନର ପ୍ରତିନିଧି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏଥିରେ ବିଭିନ୍ନ ବାରର ପ୍ରତିନିଧିଙ୍କ ମତାମତ ଆଧାରରେ ଭବିଷ୍ୟତ କାର୍ଯ୍ୟପନ୍ଥା ସ୍ଥିର କରାଯିବ ବୋଲି ସୂଚନା ରହିଛି । ୨ ମାସରୁ ଅଧିକ ସମୟ ଧରି ଚାଲିଥିବା ଓକିଲଙ୍କ ଆନ୍ଦୋଳନ ଏକ ନୂଆ ମୋଡ଼ ନେଇଛି । ଓକିଲଙ୍କ ଆନ୍ଦୋଳନ ପ୍ରତି ସରକାରଙ୍କ ଭୂମିକାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଆନ୍ଦୋଳନକାରୀ ଆଇନଜୀବି ।

 

ଆଇନଜୀବିଙ୍କ ଶାନ୍ତିପୂର୍ଣ୍ଣ ଆନ୍ଦୋଳନଙ୍କୁ ରାଜ୍ୟ ସରକାର ଭଣ୍ଡୁର କରିବାକୁ ଉଦ୍ୟମ କରିବା ସହ ଗଣ୍ଡଗୋଳ ପାଇଁ ଉସକାଇଥିବା ଅଭିଯୋଗ କରି ରାଜ୍ୟର ବିଭିନ୍ନ ସ୍ଥାନରେ ମୁଖ୍ୟମନ୍ତ୍ରୀଙ୍କ କୁଶପୂତଳିକା ଦାହ କରିଛନ୍ତି । ହାଇକୋର୍ଟ ବାର୍ ଆସୋସିଏସନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ କୁଶପୁଲୟଲଳିକା ଦାହ କରାଯିବା ସହ ସରକାର ବିରୋଧୀ ସ୍ଲୋଗାନ ଦେଇଛନ୍ତି । ହାଇକୋର୍ଟ ଓକିଲଙ୍କ ଏହି ଆନ୍ଦୋଳନ ପନ୍ଥାକୁ ସମର୍ଥନ ଦେଇନାହିଁ ଭୁବନେଶ୍ୱର ବାର ଆସୋସିଏସନ । ସଂଘ କହିଛି, ଆନ୍ଦୋଳନକୁ ସମର୍ଥନ କରୁଛୁ କିନ୍ତୁ ତରିକାକୁ ନୁହେଁ । ଆନ୍ଦୋଳନକୁ ସମର୍ଥନ କରି ଗତକାଲି ଓ ଆଜି ୨ ଦିନ କାର୍ଯ୍ୟବନ୍ଦ କରାଯିବ । ତେବେ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରାଯିବ ନାହିଁ ବୋଲି କହିଛି ବାର ଆସୋସିଏସନ । ସେପଟେ ଆନ୍ଦୋଳନର ସମାଧାନ କରିବା ପାଇଁ ଚେଷ୍ଟା ଚାଲିଛି ବୋଲି କହିଛନ୍ତି କଟକ ଡିସିପି ।