ଆଇନ ଭାଙ୍ଗିଲେ ଆଇନଜୀବୀ ! ହାଇକୋର୍ଟ ପରିସରରେ ଠେଲାପେଲା, ଧସ୍ତାଧସ୍ତି ।

113

କନକ ବ୍ୟୁରୋ : ହାଇକୋର୍ଟ ପରିସରରେ ହାତାହାତି । ଆଇନଜୀବୀ ବନାମ ଆଇନଜୀବୀ । ଠେଲାପେଲା, ଧସ୍ତାଧସ୍ତି ।  ହୋହାଲ୍ଲା, ନାରାବାଜିରେ କମ୍ପିଲା ହାଇକୋର୍ଟ  । ଆଇନ୍ ଇତିହାସରେ ବୋଧହୁଏ ଏମିତି ଘଟଣା କେବେ ଘଟିନଥିଲା । ରଣକ୍ଷେତ୍ର ପାଲଟିଲା ନ୍ୟାୟ ମନ୍ଦିର । ପ୍ରାୟ ଦୁଇ ମାସ ଧରି ଆନ୍ଦୋଳନରେ ବସିଥିବା ଆଇନଜୀବୀ ଶେଷରେ ଦୁଇ ଫାଳ ହୋଇ ହାତାହାତିକୁ ଓହ୍ଲାଇ ଆସିଥିଲେ । ଗୋଟିଏ ଗୋଷ୍ଠୀ କାର୍ଯ୍ୟବନ୍ଦ ଆନ୍ଦୋଳନରୁ ଓହରି କୋର୍ଟ କାମ କରିବାକୁ ଆସିଥିବା ବେଳେ ଅନ୍ୟ ଏକ ଗୋଷ୍ଠୀ କାମ ବନ୍ଦ କରିବା ଜିଦରେ ଅଡି ବସିଥିଲେ । ହାଇକୋର୍ଟ ପରିସରରେ ଏବେବି ଉତ୍ତେଜନା ଲାଗି ରହିଛି । ଫଳରେ ୨୬ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି ।

ହାଇକୋର୍ଟରେ ହାତାହାତି । ନ୍ୟାୟ ମନ୍ଦିର ପାଲଟିଲା ରଣକ୍ଷେତ୍ର । ସକାଳ ପ୍ରାୟ ୧୦ଟା ୧୫ରେ ଆନ୍ଦୋଳନରୁ ଓହରି ଆସିଥିବା କିଛି ଆଇନଜୀବୀଙ୍କ ସମେତ ବିଜେଡି ଲିଗାଲ ସେଲର ସଭାପତି ମିଲନ କାନୁନଗୋ ଓ ଉପଦେଷ୍ଟା ଅସୀମ ଅମିତାଭ ଦାସ କୋର୍ଟ କାର୍ଯ୍ୟରେ ଯୋଗ ଦେବାକୁ ନୂଆ ଗେଟ୍ ଦେଇ ହାଇକୋର୍ଟକୁ ପ୍ରବେଶ କଲେ । ହେଲେ ହାଇକୋର୍ଟ ବାର ଆସୋସିଏସନର ଅନ୍ୟ ଏକ ଗୋଷ୍ଠୀ ସେମାନଙ୍କୁ ବିରୋଧ କରିଥିଲେ । ହାଇକୋର୍ଟ ଗେଟ୍ ନିକଟରେ ସୃଷ୍ଟି ହୋଇଥିଲା ମୁହାଁମୁହିଁ ପରିସ୍ଥିତି । ଆକ୍ରମଣରେ ଆହତ ହୋଇଥିଲେ ଆଇନଜୀବୀ ଅସୀମ ଅମିତାଭ ଦାସଙ୍କ ସମେତ ୪ ଆଇନଜୀବୀ ।

ପରିସ୍ଥିତି ନିୟନ୍ତ୍ରଣ କରିବାକୁ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ପରିସ୍ଥିତି ଉପରେ ନଜର ରଖିଥିଲା କମିସନରେଟ୍ ପୋଲିସ । ସେପଟେ ସମୟ ଗଡିବା ସହ ହାଇକୋର୍ଟ ପରିସରରେ ଉତ୍ତେଜନା ବଢିବାରେ ଲାଗିଲା । ସକାଳ ପ୍ରାୟ ୧୧ଟାରେ କୋର୍ଟ କାର୍ଯ୍ୟ ସ୍ୱାଭାବିକ କରିବା ପାଇଁ ମୁଖ୍ୟ ବିଚାରପତି, ବିଚାରପତି, ଆଡଭୋକେଟ୍ ଜେନେରାଲଙ୍କୁ ସୁରକ୍ଷିତ ଭାବେ ହାଇକୋର୍ଟରେ ପହଁଚାଇବା ପାଇଁ ପୋଲିସକୁ  ନିର୍ଦ୍ଦେଶ ଦିଆଯାଇଥିଲା । ପୋଲିସ ମଧ୍ୟ ସୁରକ୍ଷା ବଳୟ ମଧ୍ୟରେ ସମସ୍ତଙ୍କୁ ହାଇକୋର୍ଟ ଭିତରକୁ ନେଇଥିଲା । ହେଲେ ଏଜିଙ୍କୁ ତାଙ୍କ ଅଫିସରେ ଛାଡି ଫେରୁଥିବା ବେଳେ ବିରୋଧୀ ଗୋଷ୍ଠୀ ହାବୁଡରେ ପଡିଥିଲେ ସାଧା ପୋଷାକରେ ଥିବା କିଛି ଏପିଆର୍ କନେଷ୍ଟବଳ । ସେମାନଙ୍କୁ କିଛି ଆଇନଜୀବୀ ପ୍ରବଳ ମାଡ଼ ମାରିଥିବା ଅଭିଯୋଗ ହୋଇଛି ।

ସକାଳ ସାଢେ ୧୧ଟା ବେଳକୁ ହାଇକୋର୍ଟ ରଣକ୍ଷେତ୍ରରେ ପରିଣତ ହୋଇ ସାରିଥିଲା । ହୋହଲ୍ଲା, ନାରାବାଜିରେ କମ୍ପୁଥିଲା ହାଇକୋର୍ଟ ପରିସର । ଆକ୍ରମଣର ଶିକାର ହେଲେ କଟକର ଜଣେ ୨୦-୨୨ ବର୍ଷର ଯୁବକ । ବିଜୁ ଯୁବ ବାହିନୀର ସଦସ୍ୟ ବୋଲି ଦର୍ଶାଇ ତାଙ୍କୁ ନିର୍ଧୁମ ମାଡ଼ ମରାଯାଇଥିଲା । ଗୋଟିଏ ପଟେ ବିଜେଡି ଲିଗାଲ୍ ସେଲ ଦାବି କରିଛି ଯେ ଆନ୍ଦୋଳନରୁ ଓହରି ଯାଇଥିବା ନେଇ ଯେଉଁ ନିଷ୍ପତି ନିଆଯାଇଥିଲା, ତାହା ସଫଳ ହୋଇଛି । ସେପଟେ ବାର ଆସୋସିଏନର ଅନ୍ୟ ଏକ ଗୋଷ୍ଠୀ ହିଂସାକାଣ୍ଡ ପାଇଁ ବିଜୁ ଯୁବ ବାହିନୀ ଉପରେ ଦୋଷ ଲଦିଛି । ଆକ୍ରମଣ ଓ ହିଂସାକାଣ୍ଡ ନେଇ ଲାଲବାଗ ଥାନାରେ ୪ଟି ଏତଲା ଦିଆଯାଇଛି । ହାଇକୋର୍ଟ ପରିସରରେ ଏଭଳି ହିଂସାକୁ ନିନ୍ଦା କରିଛନ୍ତି ପୋଲିସ କମିସନର ।  ପରିସ୍ଥିତି ଉପରେ ନଜର ରଖିବା ପାଇଁ ୨୬ ପ୍ଲାଟୁନ ପୋଲିସ ଫୋର୍ସ ମୂତୟନ କରାଯାଇଛି । ଏହି ଘଟଣା ଆଗକୁ କି ମୋଡ ନେବ ତା ଉପରେ ରହିଛି ସମସ୍ତଙ୍କ ନଜର ।