ଅମର ଯବାନଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ! ଅଶ୍ରୁଳ ବିଦାୟ ଜଣାଇଲେ ଜନତା, ଦେଶବ୍ୟାପୀ ଶୁଭିଲା ଯବାନ ଅମର୍ ରହେ ନାରା ।

179

କନକ ବ୍ୟୁରୋ : ଆତ୍ମଘାତୀ ଆକ୍ରମଣରେ ପ୍ରାଣ ହରାଇଥିବା ବୀର ଯବାନଙ୍କ ବଳିଦାନକୁ ଦେଶବାସୀ ମଥା ନଇଁ ସମ୍ମାନ ଜଣାଇଛନ୍ତି  । ସେପଟେ ଯବାନଙ୍କୁ ଶେଷ ଶ୍ରଦ୍ଧାଂଜଳି ଜ୍ଞାପନ କରିଛି ଦେଶ  । ପୁଲୱାମା ଆତଙ୍କୀ ହମଲାରେ ଯାଇଛି ୩୭ଟି ଅମୂଲ୍ୟ ଜୀବନ  । ଆଉ ଅମର ଯବାନଙ୍କ ପାଇଁ ସାରା ଦେଶ ଜଣାଇଛି ଶେଷ ସମ୍ମାନ  । ଯବାନଙ୍କ ବଳିଦାନ ବ୍ୟର୍ଥ ଯିବନି ପ୍ରଧାନମନ୍ତ୍ରୀ ମୋଦି ଗତକାଲି କହିଥିବା ବେଳେ ଆଜି ସାରା ଦେଶ ଏକାକାର୍ ହୋଇଛି ଓ ଗୋଟିଏ ସ୍ୱରରେ ଶୁଣିବାକୁ ମିଳିଛି ଶହୀଦ ଯବାନ ଅମର୍ ରହେ  ।

ଯବାନଙ୍କୁ ଦେଶର ଶେଷ ଶ୍ରଦ୍ଧାଂଜଳି । ବୀର ସହିଦଙ୍କୁ ଅଶ୍ରୁଳ ବିଦାୟ । ସାରା ଦେଶରେ ଲାଗିଥିବା ଭିଡ଼ ସାଧାରଣ ଲୋକଟିଏ ପାଇଁ ନୁହେଁ, ହାତରେ ତ୍ରିରଙ୍ଗା ଧରି ନାରାବାଜି କରିବା ପଛରେ ନାହିଁ କୌଣସି ରାଜନୈତିକ ଉଦ୍ଦେଶ୍ୟ ବରଂ ଏ କାହାଣୀ ସେହି ବୀର ଯବାନର ଯାହାର ଜୀବନ ଅକାଳରେ ଝରିପଡ଼ିଲା ମାଟି ମାଆର ସେବା କରୁ କରୁ  । କାନ୍ଦୁଛି ଗାଁ କାନ୍ଦୁଛି ମାଆ  । କିଏ ହରାଇଛି ମଥାର ସିନ୍ଦୁର ତ କିଏ ହରାଇଛି ବୃଦ୍ଧାବସ୍ଥାର ଆଶ୍ରାବାଡି଼  । ଆଉ କେହି ପୁଣି ହୋଇଯାଇଛି ବାପଛେଉଣ୍ଡ  । ଗ୍ରାମବାସୀ ବି ଅବାକ୍ ବୀର ଯବାନର ବଳିଦାନରେ  । ଖାଲି ଗାଁ ଆଖପାଖ ନୁହେଁ ରାସ୍ତାଘାଟରେ ବି ସେହି ସମାନ ଦୃଶ୍ୟ, ଗୋଟିଏ ସ୍ୱର ବ୍ୟର୍ଥ ଯିବନି ବଳିଦାନ  । ତୋ’ ପରିବାର ସହ ଅଛି ଏଇ ମାଟି, ଗାଁ ଆଉ ଦେଶ  ।

ଏ କାହାଣୀ ଦେଶ ପାଇଁ ସବୁଠୁ ବଡ଼ ବଳିଦାନର  । ଏ ଘଟଣା ମାଟି ମାଆ ପାଇଁ ହସି ହସି ଜୀବନ ଦେବା ପରର । କାନ୍ଦ, ବୋବାଳିରେ ଫାଠି ପଡୁଛି ସାରା ପରିବେଶ  । କାଶ୍ମୀରରୁ କନ୍ୟାକୁମାରୀ, ଉତ୍ତର ପ୍ରଦେଶରୁ ଓଡ଼ିଶା, ବଙ୍ଗରୁ ବିହାର୍- ଯବାନଙ୍କ ବଳିଦାନ ଘଟଣା ସ୍ତବ୍ଧ କରିଦେଇଛି ସମସ୍ତଙ୍କୁ  । ତେବେ ଏଭଳି ଘଟଣା ପରେ ବି ଭାଂଗିନି ଯବାନଙ୍କ ପରିବାରର ଦମ୍ଭ  । ମାଟି ମାଆପାଇଁ ଜୀବନ ଦେବା ସମସ୍ତଙ୍କ ଭାଗ୍ୟରେ ନଥାଏ ଓ ସମସ୍ତଙ୍କୁ ମିଳେନି ଶହୀଦର ଗୌରବ ବାରମ୍ବାର ଦୋହରାଇ ଚାଲିଛି ହୃଦୟ  ।

କାହାରି ଓଠରେ ଭାଷା ନାହିଁ  । ନୀରବି ଯାଇଛି ଗାଁ, ଘର ଆଉ ଜନପଦ  । କାରଣ ଦେଶସେବା କରୁ କରୁ ଅଫେରା ରାଇଜକୁ ଅସମୟରେ ବାହୁଡ଼ି ଯାଇଛି ପରିବାରର ଅତି ପ୍ରିୟ କେହି  । ବୋଲ ମାନୁନି ଆଖିର ଲୁହ ଆଉ ଯେତେଥର ମନେ ପଡ଼ିବ ତା’ କଥା ଲୁହରେ ପ୍ରତିଥର ଆଖି ଭିଜୁଥିବ ଏହା ବି ଠିକ୍ ସେତିକି ସତ  । ତେବେ ଏ ଲୁହର ମୂଲ୍ୟ ଠିକ୍ ସେତିକି ବେଳେ ମିଳିବ ଯଦି ବଳିଦାନର ନିଆ ଯାଏ ଉଚିତ୍ ପ୍ରତିଶୋଧ, ଆଉ ଏହି ଦାବି କେବଳ ଗୋଟେ ପରିବାରର ନୁହଁ ବରଂ ସାରା ଦେଶର  ।