ଐତିହାସିକ ପାଲଟିଲା ଅମର ସହିଦଙ୍କ ଶୋଭାଯାତ୍ରା ! ନିଆଳି ରତନପୁରରେ ଅଦ୍ଭୁତପୂର୍ବ ଜନସମାଗମ, ହଜାର ହଜାର ଲୋକ ଦେଲେ ଶେଷ ଶ୍ରଦ୍ଧାଞ୍ଜଳି ।

253

କନକ ବ୍ୟୁରୋ : ଜନ୍ମମାଟିରେ ସହିଦ ଯବାନଙ୍କୁ ଶେଷ ସଲାମ । ବୀର ଓଡିଆ ସହିଦ ଯବାନ ମନୋଜ ବେହେରାଙ୍କୁ ଶେଷ ବିଦାୟ ଦେବାକୁ ହଜାର ହଜାର ଲୋକଙ୍କ ସୁଅ ଛୁଟିଛି । ଇତିହାସ ପାଲଟିଛି ଯବାନଙ୍କ ଶେଷଯାତ୍ରା । ଏଭଳି ଦୃଶ୍ୟ କେବେ ଦେଖିବାକୁ ମିଳିନଥିଲା । ରାଜରାସ୍ତାକୁ ଛୁଟିଆସିଥିଲେ ହଜାର ହଜାର ଲୋକ । କଟକ ଜିଲ୍ଲା ନିଆଳି ଥାନା ରତନପୁର ଗାଁରେ ସହିଦ ଯବାନ ମନୋଜ ବେହେରାଙ୍କ ମରଶରୀରକୁ ଶେଷ ଶ୍ରଦ୍ଧାଂଜଳି ଦିଆଯାଇଛି । ଜାତୀୟ ପତାକାରେ ଆଛାଦିତ ସହିଦ ଯବାନଙ୍କ ଜନ୍ମମାଟିରେ ଶେଷ ଦର୍ଶନ ପରେ ଅନ୍ତିମ ସଂସ୍କାର ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ଯବାନଙ୍କୁ ଗାର୍ଡ ଅଫ୍ ଅନର ଦିଆଯିବା ପରେ ତୋପ ସଲାମୀ ଦିଆଯିବ । ଏହାପରେ ଯବାନଙ୍କ ଅନ୍ତିମ ସଂସ୍କାର କରାଯିବ । ଶରୀର ଜଳିଯିବ, ହେଲେ ସହିଦ ମନୋଜ ଅମର ହୋଇଯିବେ । ଦେଶପାଇଁ ଜୀବନ ଉତ୍ସର୍ଗ କରିଥିବା ବୀର ଯବାନଙ୍କ ପାଇଁ କାନ୍ଦୁଛି ରତନପୁର, କାନ୍ଦୁଛି ସାରା ଓଡିଶା । ଆଜି ସାରା ଦେଶ ତାଙ୍କୁ ମନେ ରଖିଛି ଏବଂ ଆଗକୁ ବି ମନେ ରଖିବ ।

ସେପଟେ ରାଜରାସ୍ତା ପାଲଟିଛି ଜନସମୁଦ୍ର । ଦେଶ ପାଇଁ ଜୀବନ ଦେଇଥିବା ବୀର ଓଡିଆ ପୁଅ ପ୍ରସନ୍ନ ସାହୁଙ୍କ ମରଶରୀର ଜନ୍ମମାଟି ଜଗତସିଂହପୁରର ପାରିଶିଖର ଅଭିମୁଖେ ଯାଉଛି । ଭୁବନେଶ୍ୱର ବିମାନ ବନ୍ଦରରୁ ଜନ୍ମମାଟି ଯାଏଁ ରାସ୍ତା ଉପରେ ଲୋକେ ଘଂଟା ଘଂଟା ଧରି ଅପେକ୍ଷା କରି ରହିଛନ୍ତି । ସହିଦ ଯବାନଙ୍କ ପାଇଁ ଶୋଭାଯାତ୍ରାରେ ସାମିଲ ହେବାକୁ ଛୁଟି ଆସିଛନ୍ତି ହଜାର ହଜାର ଜନତା । ଆଉ, ବୀର ଯବାନଙ୍କ ମରଶରୀର ଦେଖିବା ମାତ୍ରେ ସମସ୍ତଙ୍କ ଆଖିରୁ ଛୁଟିଆସୁଛି ଲୁହ । ସହିଦ ପୁଅକୁ ନେଇ ଗର୍ବ କରୁଛି ଗାଁ ମାଟି । ଗାଁଲୋକ ଗୁମୁରି ଗୁମୁରି କାନ୍ଦୁଛନ୍ତି । ଆଖିରୁ ଲୁହ ଶୁଖୁନି । ତଥାପି ଗର୍ବ କରୁଛନ୍ତି ସମସ୍ତେ ।

ସହିଦ ଦୁଇ ଯବାନଙ୍କ ପାଇଁ ରାଜ୍ୟ ସରକାର ୨୫ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି । ଏଥି ସହ ସେମାନଙ୍କ ପିଲାଙ୍କ ପାଠପଢା ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର । ଖାଲି ସେତିକି ନୁହେଁ ଯବାନଙ୍କ ଦେଶପ୍ରେମର ସ୍ମୃତି ଉଦ୍ଦେଶ୍ୟରେ ନିଜ ଅଂଚଳର ସ୍କୁଲର ନାଁ, ସହିଦ ଯବାନଙ୍କ ନାଁରେ ରଖାଯିବ । ସହିଦ ଯବାନଙ୍କ ଗାଁକୁ ଆଦର୍ଶ ପଂଚାୟତରେ ପରିଣତ କରାଯିବ । ସେପଟେ ଓଡିଶା ଆଇପିଏସ୍ ସଂଘ, ସହିଦ ଯବାନଙ୍କ ପାଇଁ ଗୋଟିଏ ଦିନର ଦରମା ଦେବାକୁ କହିଛି ।