ସେଲଫି ବେବୋଙ୍କ ଶେଷ ଭିଡିଓ ! ଜିରୋ ନାଇଟ ସେଲିବ୍ରେସନରେ ଷ୍ଟେଜ ସୋ’ରେ ଦର୍ଶକଙ୍କୁ ମତୁଆଲା କରିଥିବାର ଭିଡ଼ିଓ ସାମ୍ନାକୁ ଆସିଲା

497

କନକ ବ୍ୟୁରୋ : ସମ୍ବଲପୁରୀ ଆଲବମ୍ କୁଇନ୍ ସିମରନଙ୍କ ମୃତ୍ୟୁ, ହତ୍ୟା ନା ଆତ୍ମହତ୍ୟା ତା’ଉପରୁ ପରଦା ହଟିନଥିବା ବେଳେ ସାମ୍ନାକୁ ଆସିଛି ସେଲଫି ବେବୋଙ୍କ ଶେଷ ଭିଡିଓ । ଭବାନୀପାଟଣାରେ ଏକ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ଜିରୋ ନାଇଟ୍ ସେଲିବ୍ରେସନ୍ ସମୟର ଭିଡିଓ ଏବେ ସୋସିଆଲ୍ ମିଡ଼ିଆରେ ଘୁରି ବୁଲୁଛି । ମୃତ୍ୟୁ ପୂର୍ବର ଏହି ଭିଡିଓରେ ବେଶ ଖୁସି ଅନ୍ଦାଜରେ ନଜର ଆସୁଛନ୍ତି ସେଲଫି ବେବୋ ।

ସାମନାକୁ ଆସିଲା ମୃତ୍ୟୁ ପୂର୍ବରୁ ସେଲଫି ବେବୋଙ୍କ ଶେଷ ଭିଡ଼ିଓ । ସମ୍ବଲପୁରୀ ଆଲବମର ସୁପରହିଟ୍ ଅଭିନେତ୍ରୀ ସିମରନଙ୍କ ମୃତ୍ୟୁ ପୂର୍ବର ଶେଷ ଷ୍ଟେଜ ସୋର ଭିଡିଓ । ନୂଆ ବର୍ଷ କାର୍ଯ୍ୟକ୍ରମରେ ସିମରନଙ୍କ ଷ୍ଟେଜ୍ ସୋ’ । ଭବାନୀପାଟଣା ମହାବୀର ସାଂସ୍କୃତିକ ଅନୁଷ୍ଠାନ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ସାମିଲ ହୋଇ ସେଦିନ ଦର୍ଶକଙ୍କୁ ମତୁଆଲା କରିଦେଇଥିଲେ ସିମରନ୍ । ଏହି ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ ହେଉଛି ।

ସେପଟେ ଝାରସୁଗୁଡ଼ା ପୋଲିସ ବିରୋଧରେ ସାଂଘାତିକ ଅଭିଯୋଗ ଉଠାଉଛନ୍ତି ସିମରନଙ୍କ ମାଆ । ସେ କହିଛନ୍ତି, ୨ ତାରିଖ ରାତିରେ ଝିଅ ସହ ଯୋଗାଯୋଗ କରିବାରେ ବିଫଳ ହେବା ପରେ ଝାରସୁଗୁଡ଼ା ଟାଉନ ଥାନାକୁ ଫୋନ କରିଥିଲେ, କୌଣସି ପଦକ୍ଷେପ ନେବା ତ ଦୂର କଥା ତାଙ୍କୁ ଦୁର୍ବ୍ୟବହାର କରିଥିଲେ ଥାନା ଏସଆଇ । ଅଭିଯୋଗ ସତ ହୋଇଥିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଡିଆଇଜି ସତ୍ୟବ୍ରତ ଭୋଇ ।

ଡିସେମ୍ବର ୩୧ ରାତିରେ ଘରେ ଜିରୋ ନାଇଟ୍ ସେଲିବ୍ରେସନ, ଜାନୁଆରୀ ୧ରେ ଭବାନିପାଟଣାରେ ଷ୍ଟେଜ୍ ସୋ’ କରିଥିଲେ ସିମରନ୍ । ପ୍ରୋଗ୍ରାମ ପରେ ୨ ତାରିଖ ଦିନ ଘରକୁ ଫେରୁଥିଲେ ସେଲଫି ବେବୋ । ସଂଧ୍ୟା ବେଳେ ପରିବାର ସହ କଥା ମଧ୍ୟ ହୋଇଥିଲେ । ଫୋନରେ ସ୍ୱାମୀ ଅନ୍ୟତ୍ର ବିବାହ କରୁଥିବା ନେଇ ମାଆଙ୍କୁ ଜଣାଇଥିଲେ ସିମରନ୍ । ବ୍ୟସ୍ତ ବିବ୍ରତ ଥିବାରୁ ତାଙ୍କୁ ଘରକୁ ଫେରିବାକୁ କହିଥିଲେ ମାଆ । ହେଲେ ଘରେ ପହଁଚିବା ପୂର୍ବରୁ ୩ ତାରିଖ ସକାଳେ ବୁର୍ଲା ନିକଟ ମହାନଦୀ ବ୍ରିଜ୍ ତଳୁ ମିଳିଥିଲା ସିମରନଙ୍କ ମୃତଦେହ । ଏ ନେଇ ସ୍ୱାମୀ ଯୁଗ ସୁନାଙ୍କୁ ଗିରଫ କରି ତଦନ୍ତ ଚଳାଇଛି ପୋଲିସ । ହତ୍ୟା ନା ଆତ୍ମହତ୍ୟା – ଏହି ରହସ୍ୟ ଉପରୁ ଏଯାଏଁ ଉଠୁନି ପରଦା ।