ଅନନ୍ତରେ ଲୀନ ହେଲେ ଅଟଳ ! ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷ ହେଲା ବାଜପେୟୀଙ୍କ ଅନ୍ତିମ ସଂସ୍କାର, ପାଳିତା ଝିଅ ନମିତା ଦେଲେ ମୁଖାଗ୍ନି ।

34

କନକ ବ୍ୟୁରୋ : ଅନନ୍ତରେ ଲୀନ ହେଲେ କୋଟି କୋଟି ଭାରତୀୟଙ୍କ ପ୍ରିୟ ନେତା ଅଟଳ । ପଂଚଭୂତରେ ବିଲୀନ ହୋଇଯାଇଛି ଚଳିତ ଶତାବ୍ଦୀର ମହାନାୟକଙ୍କ ମରଶରୀର । ଏହା ସହ ଶେଷ ହୋଇଛି ଭାରତୀୟ ରାଜନୀତିରେ ଅଟଳଙ୍କ ଯୁଗର ଅବସାନ । ଆଜି ସାରା ଦୁନିଆ ଦେଖିଥିଲା ଜଣେ ରାଷ୍ଟ୍ରନେତାଙ୍କ ପ୍ରତି ଥିବା କୋଟି କୋଟି ଜନତାଙ୍କ ଶ୍ରଦ୍ଧା । ନିଜ ପ୍ରିୟ ନେତାଙ୍କୁ ଅଶ୍ରୁଳ ନୟନରେ ଅନ୍ତିମ ବିଦାୟ ଦେଇଥିଲେ ଦେଶବାସୀ । ଅଟଳର ଶେଷ ଶୋଭାଯାତ୍ରାରେ ଦିଲ୍ଲୀ ରାଜରାସ୍ତାରେ ସୃଷ୍ଟି ହୋଇଥିଲା ଜନସମୁଦ୍ର । ଅଟଳ ବିହାରୀ ବାଜପେୟୀଙ୍କ ଅନ୍ତିମ ଯାତ୍ରାର ସାକ୍ଷୀ ହେବା ପାଇଁ ଦେଶର କୋଟି କୋଟି ଲୋକ ଦିନତମାମ ଟିଭି ପରଦା ଆଗରେ ବସି ରହିଥିଲେ ଏବଂ ନିଜର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଅପରାହ୍ନ ପ୍ରାୟ ୫ଟା ସମୟରେ ବାଜପେୟୀଙ୍କ ପାର୍ଥିବ ଶରୀରରେ ମୁଖାଗ୍ନି ଦେଇଥିଲେ ତାଙ୍କର ପାଳିତା ଝିଅ ନମିତା ଭଟ୍ଟାଚାର୍ଯ୍ୟ । ଅଗ୍ନିର ଲେଳିହାନ ଶିଖାରେ ମହା ଅନନ୍ତରେ ମିଶି ଯାଇଥିଲା ମହାନ ଆତ୍ମାର ଶରୀର ।

ଗୋଟିଏ ଧ୍ୱନୀରେ କମ୍ପୁଥିଲା ଗଗନ ପବନ । ଅଟଳ ଅମର ରହେ । ଜବ ତକ ସୂରଜ ଚାନ୍ଦ ରହେଗା, ଅଟଳ ତେରା ନାମ ରହେଗା । ସେ ଥିଲେ ଅଟଳ, ଆଜି ଅଟଳ ରହିବେ ଅଟଳ । ଆଜି ସାରା ଭାରତବାସୀଙ୍କ ମନରେ ଏହି କିଛି ପଂକ୍ତି ଗୁଂଜରିତ ହେଉଥିଲା ।

ଦିନେ ଭାରତୀୟ ରାଜନୀତିରେ ନୂଆ ସକାଳ ହୋଇ ଉଦୟ ହୋଇଥିବା ବାଜପେୟୀ, ଆଜି ତାଙ୍କର ପାର୍ଥିବ ଶରୀର ପାଲଟି ଯାଇଛି ଅଫେରା ବାଟର ବାଟୋଇ । ହେଲେ ସମସ୍ତଙ୍କ ମନରେ ରହିଯାଇଛି ତାଙ୍କର ଆଦର୍ଶ । ଅନ୍ତିମ ବିଦାୟ ନେବା ପୂର୍ବରୁ ତାଙ୍କର କ୍ରିଷ୍ଣା ମେନନ ସ୍ଥିତ ବାସଭବନକୁ ଛୁଟିଥିଲା ଜନାଧାର । ରାତି ତମାମ୍ ଚାଲିଥିଲା ବାଜପେୟୀଙ୍କ ଶେଷ ଦର୍ଶନ । ଆଉ ସକାଳୁ ଆରଏସଏସ୍ ମୁଖ୍ୟ ମୋହନ ଭାଗବତ, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ, ଜାଭେଦ ଅଖତାର, ସବାନା ଆଜମୀ, ଅଜିତ ଡୋଭାଲ, ନୌସେନା ମୁଖ୍ୟଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ବାଜପେୟୀଙ୍କ ଅନ୍ତିମ ଦର୍ଶନ କରିଥିଲେ । ଭିଡ଼ ଏପରି ବଢ଼ୁଥିଲା ଯେ ନିର୍ଦ୍ଧାରିତ ସମୟ ଗଡ଼ି ଯାଇଥିଲା । ଆଉ ଏହାରି ଭିତରେ ଘର ଆଗରେ ପହଂଚି ଯାଇଥିଲା ସୁସଜ୍ଜିତ ଟ୍ରକ୍ ।

ସକାଳ ପ୍ରାୟ ୧୦ଟାରେ ଘରୁ ବାହାରିଲା ପାର୍ଥିବଶରୀର । ବାସଭବନରୁ ବିଜେପି ମୁଖ୍ୟାଳୟ । ଘର ଓ ସଂସଦକୁ ଛାଡି ଦେଲେ ଯେଉଁଠି ସବୁଠୁ ଅଧିକ ସମୟ ବିତାଉଥିଲେ ବାଜପେୟୀ, ସେହି ବିଜେପି କାର୍ଯ୍ୟାଳୟ ଅଭିମୁଖେ ବାହାରିଥିଲା ଶବ ଶୋଭାଯାତ୍ରା । ପ୍ରବଳ ଜନସମାବେଶ ଭିତରେ ରାଜଧାନୀର ରାଜପଥରେ ଆଗକୁ ବଢ଼ି ଚାଲିଥିଲା ବାଜପେୟୀଙ୍କ ପାର୍ଥିବ ଶରୀର । ଅମର ରହେ ଅଟଳ, ନାରା ଭିତରେ ରାସ୍ତାକଡ଼ରେ ସାଧାରଣ ଜନତା, ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଥାନ୍ତି । ଆଉ ତିନି ସେନାଙ୍କ କଡନ୍ ଭିତରେ ଆଗକୁ ବଢ଼ିଚାଲିଥିଲା ଶବ ଶୋଭାଯାତ୍ରା ।

ସକାଳ ପ୍ରାୟ ୧୧ଟାରେ ବିଜେପି ମୁଖ୍ୟାଳୟରେ ପହଂଚଥିଲା ଶବାଧାର । ପୂର୍ବତନ ପ୍ରଧାନମନ୍ତ୍ରୀ ବାଜପେୟୀଙ୍କ ମରଶରୀରକୁ ପାଛୋଟି ନେବା ପାଇଁ ସେଠାରେ ଉପସ୍ଥିତ ଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା, ଗୃହ ମନ୍ତ୍ରୀ ରାଜନାଥ ସିଂ ଏବଂ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ ବିଜେପିର ବରିଷ୍ଠ ନେତା । ସସମ୍ମାନେ ଅଟଳଙ୍କ ମରଶରୀରକୁ ବିଜେପି ମୁଖ୍ୟାଳୟକୁ ନିଆଯାଇଥିଲା । ଯେଉଁଠି ଦେଶ ଓ ବିଦେଶରୁ ଆସିଥିବା ବହୁ ବିଶିଷ୍ଟ ବ୍ୟକ୍ତି ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ ।

ବିଜେପି ମୁଖ୍ୟାଳୟରେ ପ୍ରାୟ ତିନିଘଂଟା ଧରି ରହିଥିଲେ ବାଜପେୟୀ । ଆଉ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ବହୁ ବିଶିଷ୍ଟ ବ୍ୟକ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ସମେତ ବରିଷ୍ଠ ବିଜେପି ନେତା ଏଲ୍.କେ ଆଡଭାନୀ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଣ୍ଡାବିସ୍, ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରମଣ ସିଂ, ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋବାଲ, ମଣିପୁର ମୁଖ୍ୟମନ୍ତ୍ରୀ ଏନ୍ ବିରେନ୍, ଡିଏମକେ ନେତା ଏ.ରାଜା, ଶିବସେନା ମୁଖ୍ୟ ଉଦ୍ଧବ ଠାକରେ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପ୍ରମୁଖ ବିଜେପି ମୁଖ୍ୟାଳୟରେ ବାଜପେୟୀଙ୍କ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।

ପ୍ରାୟ ୨ଟାରେ ବିରାଟ ପଟୁଆରେ ବାହାରିଲା ବାଜପେୟୀଙ୍କ ଅନ୍ତିମ ଯାତ୍ରାର ଶୋଭାଧାର । ବିଜେପି କାର୍ଯ୍ୟାଳୟରୁ ସ୍ମୃତିସ୍ଥଳ ପ୍ରାୟ ୪ କିଲୋମିଟର ରାସ୍ତାରେ ଲକ୍ଷାଧିକ ଲୋକଙ୍କ ସମାଗମ ଭିତରେ ଆଗକୁ ବଢ଼ିଥିଲା ଅନ୍ତିମ ଯାତ୍ରା । ଆଉ ଏହି ପଟୁଆରରେ ସାମିଲ ହୋଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିଜେପି ଅଧ୍ୟକ୍ଷ ଅମିତ ଶାହା ।

ପ୍ରାୟ ୪ଟାରେ ସ୍ମୃତିସ୍ଥଳରେ ପହଂଚିଲା ଶବାଧାର । ସ୍ମୃତିସ୍ଥଳରେ ଆରମ୍ଭ ହେଲା ଅନ୍ତିମ ସଂସ୍କାର । ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ତିନି ସେନା ପ୍ରମୁଖଙ୍କ ଶ୍ରଦ୍ଧାଞ୍ଜଳି ପରେ ପାରମ୍ପରିକ ରୀତିନୀତିରେ ଆରମ୍ଭ ହୋଇଥିଲା ଅନ୍ତିମ ସଂସ୍କାରର ପ୍ରକ୍ରିୟା । ବିଦେଶର ପ୍ରତିନିଧିମାନେ ମଧ୍ୟ ଶେଷ ସମ୍ମାନ ଜଣାଇଥିଲେ । ପବିତ୍ର ମନ୍ତ୍ର ଉଚ୍ଚାରଣରେ ସ୍ମୃତିସ୍ଥଳରେ ଭିନ୍ନ ପରିବେଶ ସୃଷ୍ଟି ହୋଇଥିଲା । ହିନ୍ଦୁ ରୀତିନୀତି ଅନୁଯାୟୀ ପୂଜାପାଠ ପରେ ପାଳିତା ଝିଅ ନମିତା ଭଟ୍ଟାଚାର୍ଯ୍ୟ ମୁଖାଗ୍ନି ଦେଇଥିଲେ । ପଞ୍ଚଭୂତରେ ବିଲୀନ ହୋଇଥିଲା ବାଜପେୟୀଙ୍କ ପାର୍ଥିବ ଶରୀର । ମହାଅନନ୍ତରେ ମିଶିଯାଇଥିଲା ମହାନାୟକଙ୍କ ମରଶରୀର । ଆଉ ବିଦାୟ ନେଇଯାଇଥିଲେ ଅଜାତଶତ୍ରୁ ଅଟଳ ।