ପାକିସ୍ତାନୀ ଯୁଦ୍ଧ ବିମାନକୁ ପିଛା କରିବା ବେଳେ ଶେଷ ସନ୍ଦେଶ ଦେଇଥିଲେ ଅଭିନନ୍ଦନ! ଜାଣନ୍ତୁ ଏଫ-୧୬କୁ ଟାର୍ଗେଟ କରିବା ପୂର୍ବରୁ କଣ କହିଥିଲେ ଭାରତର ଏହି ବୀର ଯୋଦ୍ଧା

1,038

କନକ ବ୍ୟୁରୋ : ଫେବ୍ରୃଆରୀ ୨୭ ତାରିଖରେ, ଯେତେବେଳେ ପାକିସ୍ତାନୀ ଯୁଦ୍ଧ ବିମାନକୁ ପିଛା କରିଥିଲେ ୱିଙ୍ଗ କମାଂଡର ଅଭିନନ୍ଦନ ବର୍ଥମାନ, ସେତେବେଳର ଶେଷ ସଂଦେଶ ଏବେ ସାମ୍ନାକୁ ଆସିଛି । ଅଭିନନ୍ଦନ ବାର୍ତା ଦେଇଥିଲେ, ସେ ଆର-୭୩ ମିସାଇଲ ବ୍ୟବହାର କରିବାକୁ ନିଷ୍ପତି ନେଇଛନ୍ତି । ଏହା ପରେ ଅଭିନନ୍ଦନଙ୍କ ସହ ଭାରତୀୟ ବାୟୁସେନାର ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା । ଅଭିନନ୍ଦନ ସେହି ବାର୍ତା ଦେଇ ପାକିସ୍ତାନୀ ଯୁଦ୍ଧ ବିମାନ ଉପରେ ମିସାଇଲ ମାଡ କରି ଦେଇଥିଲେ । ଆଉ ଏଥିରେ ଅତ୍ୟାଧୁନିକ ଏଫ-୧୬ ବିମାନ ଧ୍ୱଂସ ହୋଇଯାଇଥିଲା ।

ଫେବୃୟାରୀ ୨୭,୨୦୧୯ । ସକାଳ ପ୍ରାୟ ୧୦ଟା । କାଶ୍ମୀରର ରଜୌରୀ ଆକାଶ । ସ୍ଥଳ ଭାଗରୁ ପ୍ରାୟ ୨୦ ହଜାର ଫୁଟ ଉପରେ ପାକିସ୍ତାନୀ ଯୁଦ୍ଧ ବିମାନ ଏଫ ୧୬କୁ ପିଛା କରୁଥାଏ ମିଗ ୨୧ ବାଇସନ । ଆମେରିକା ନିର୍ମିତ ସୁପର ସୋନିକ୍ ଫାଇଟର ଏୟାରକ୍ରାଫ୍ଟ ଏଫ-୧୬କୁ ଟାଗେର୍ଟ କରିବାକୁ ଚେଷ୍ଟା କରୁଥାନ୍ତି  ମିଗ ୨୧ ବାଇସନର ପାଇଲଟ ଅଭିନନ୍ଦନ ବର୍ଥମାନ । ପାକିସ୍ତାନ ଭିତରେ ପଶି ଭାରତୀ ବାୟୁସେନା ଜୈସ – ଏ – ମହମ୍ମଦର କ୍ୟାମ୍ପକୁ ବୋମାରେ ଉଡ଼ାଇ ଦେବା ପରେ ଭାରତୀୟ ଆକାଶ ଭିତରକୁ ପଶି ଆସିଥାଏ ପାକିସ୍ତାନର ଏହି ଯୁଦ୍ଧ ବିମାନ । ପ୍ରାୟ ୧୫ ମିନିଟ ଧରି ଲାଇନ ଅଫ କଂଟ୍ରୋଲରୁ ପ୍ରାୟ ୨୦ରୁ ୨୫ ହଜାର ଫୁଟ ଉପରେ ପାକିସ୍ତାନୀ ଯୁଦ୍ଧ ବିମାନ ଓ ଭାରତୀୟ ଯୁଦ୍ଧ ବିମାନ ଭିତରେ ଛକାପଂଝା ଚାଲିଥାଏ ।

ଆଉ ତା ଭିତରେ ଆମେରିକା ନିର୍ମିତ ଅତ୍ୟାଧୁନିକ ଯୁଦ୍ଧ ବିମାନ ଏଫ-୧୬ର ଟାଗେର୍ଟ ଫିକ୍ସ କରିସାରିଥାନ୍ତି ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଥମାନ । ତାଙ୍କ ବିମାନ ମିଗ୍ ୨୧ ବାଇସନରେ ୨ ପ୍ରକାରର ମିସାଇଲ ଖଞ୍ଜା ଯାଇଥାଏ । ଗୋଟିଏ ହେଉଛି ଆକାଶରୁ ଆକଶକୁ ନିକ୍ଷେପ କରି ହେଉଥିବା ଅଳ୍ପ ଦୂରଗାମୀ R-୭୩ ମିଜାଇଲ ଓ ଅନ୍ୟଟି ହେଉଛି ସେହି ଆକାଶରୁ ଆକଶକୁ ନିକ୍ଷେପ କରି ହେଉଥିବା RVV-AE  ମଧ୍ୟମ ଦୂରଗାମୀ ମିଜାଇଲ । ସେତେବେଳକୁ ପାକିସ୍ତାନୀ ଯୁଦ୍ଧ ବିମାନ ଏଫ-୧୬କୁ ଭାରତର ମିଗ୍ ୨୧ ବାଇସନ ପାକ୍ ଅଧିକୃତ କଶ୍ମୀରର ଆକାଶକୁ ନେଇ ଯାଇଥାଏ ।

ଶେଷ ମୁହୁର୍ତରେ ରେଡ଼ିଓ ଟ୍ରାନ୍ସମିଶନରେ ଅଭିନନ୍ଦନ ବାର୍ତା ଦେଇଛନ୍ତି ଯେ ‘ଆର-୭୩ ସିଲେକଟେଡ଼’ ଅର୍ଥାତ ସେ ଅଳ୍ପ ଦୂରଗାମୀ ଆର୭୩ ମିସାଇଲକୁ ନିକ୍ଷେପ କରିବା ପାଇଁ ନିଷ୍ପତି ନେଇଛନ୍ତି । ଏହା ହିଁ ଥିଲା ମିଗ୍ ବିମାନ ଉପରୁ ଅଭିନନ୍ଦନଙ୍କ ଶେଷ ମେସେଜ୍ । ଆଉ ତାର କେଇ ସେକେଣ୍ଡ ଭିତରେ ଆକାଶରେ ହିଁ ବିସ୍ପୋରଣ ହୋଇଗଲା ପାକିସ୍ତାନ ଯୁଦ୍ଧ ବିମାନ ଏଫ-୧୬ । ରକ୍ଷାବିଶେଷଜ୍ଞଙ୍କ କହିବା ଅନୁସାରେ ଋୁଷିଆ ନିର୍ମିତ ମିଗ୍-୨୧ ଆମେରିକା ନିର୍ମିତ ଏଫ-୧୬ ଯୁଦ୍ଧ ବିମାନକୁ ପ୍ରଥମ ଥର ପାଇଁ ଧ୍ୱଂସ କରିଛି । ଆଉ ଆକାଶରେ ଏଫ-୧୬ ଧ୍ୱଂସ ହେବା ପରେ ଅଭିନନ୍ଦନଙ୍କ ମିଗ୍-୨୧ ବିମାନ ବି ଖସି ପଡ଼ିଥିଲା ।