ଲଢେଇ ପାଇଁ ଶେଷ ପ୍ରସ୍ତୁତି । ଦିଲ୍ଲୀ ଦଖଲ ପାଇଁ ପ୍ରଚାର ଶେଷ । ଶନିବାର ନୂଆ ସରକାର ପାଇଁ ପଡିବ ଭୋଟ

306

କନକ ବ୍ୟୁରୋ: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଶେଷ । ୭୦ ଆସନ ବିଶିଷ୍ଟ ବିଧାନସଭା ପାଇଁ ଶନିବାର ମହାପରୀକ୍ଷା ଥିବା ବେଳେ ଆଜି ଶେଷ ପ୍ରଚାର କଲେ ସବୁ ଦଳ । ଶନିବାର ଦିଲ୍ଲୀ ଦରବାର ପାଇଁ ହେବ ଭାଗ୍ୟ ପରୀକ୍ଷା । ନୂଆ ସରକାର ପାଇଁ ଦିଲ୍ଲୀବାସୀ ଏଥର କାହାକୁ ଆପଣେଇବେ ତାହା ଏଗାର ତାରିଖ ଦିନ ଜଣା ପଡିବାକୁ ଥିବା ବେଳେ ଆଠ ତାରିଖ ଦିନ ହେବ ଭୋଟଗ୍ରହଣ ।

ଶନିବାର ଭୋଟ ଗ୍ରହଣ ଥିବାରୁ ଆଜି ସରିଲା ପ୍ରଚାର । ଆଜି ପ୍ରଚାରର ଶେଷଦିନରେ ୩ ପ୍ରମୁଖ ଦଳ ଆମ ଆଦମୀପାର୍ଟି, ବିଜେପି ଓ କଂଗ୍ରେସ ଭୋଟରଙ୍କ ସମର୍ଥନ ହାସଲ ପାଇଁ ଜୋରଦାର ପରିଶ୍ରମ କରିଛନ୍ତି । ବିଜେପିର ବରିଷ୍ଠ ନେତା ପ୍ରଚାରରେ ସାମିଲ ହୋଇଥିବା ବେଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବି ରୋଡ ସୋ କରିଛନ୍ତି ।

ସେପଟେ କଂଗ୍ରେସର ରାହୁଲ ଗାନ୍ଧୀ ଦିଲ୍ଲୀବାସୀଙ୍କ ମନ କିଣିବାକୁ ବେରୋଜଗାରୀକୁ ମୁଖ୍ୟ ପ୍ରସଙ୍ଗ କରି ପ୍ରଚାର ମୈଦାନକୁ ଓହ୍ଲାଇ ମୋଦିଙ୍କୁ ଘନଘନ ନିଶାନା କରିଛନ୍ତି । ଏମିତିକି ପ୍ରଚାର ବେଳେ ପ୍ରଧାନମନ୍ତ୍ରୀଙ୍କ ପାଇଁ ମାଡ ଥିଓରୀ ବି କହିବାକୁ ଭୁଲି ନାହାନ୍ତି ରାହୁଲ । ସେପଟେ ରାହୁଲଙ୍କ ମାଡ ଥିଓରୀକୁ ମୋଦି ଯୋଗ ଥିଓରୀରେ ଜବାବ ଦେଇଛନ୍ତି ।

ତେବେ ଦିଲ୍ଲୀ ଆସନରେ ବସିଥିବା ଆପକୁ ଏଥର ଧରାଶାୟୀ କରି ପଦ୍ମ ଫୁଟାଇବାକୁ ମୋଦି ଏଣ୍ଡ କୋ ଜୋରଦାର ରଣନୀତି ଆପଣାଇଛନ୍ତି । ଜାତୀୟ ନେତା ସହ ଦିଲ୍ଲୀରେ ଥିବା ଓଡିଆ ଭୋଟର ହାତେଇବାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡଙ୍ଗୀ ପ୍ରଚାର ମଙ୍ଗ ଧରିଛନ୍ତି । ତେବେ ଧର୍ମେନ୍ଦ୍ରଙ୍କ ପତ୍ନୀ ମଧ୍ୟ ପ୍ରଚାର କରୁଥିବା ଦେଖିବାକୁ ମିଳିଛି ।

ମଙ୍ଗଳବାର ଅର୍ଥାତ ୧୧ ତାରିଖରେ ଭୋଟଗଣତି ହେବ । ଦିଲ୍ଲୀରେ ଲାଗାତାର ତୃତୀୟ ଥର ଲାଗି କ୍ଷମତାସୀନ ହେବାକୁ ଆମ ଆଦମୀ ପାର୍ଟି ଲକ୍ଷ୍ୟ ରଖିଥିବ ।ବେଳେ ବିଜେପି ବି ଏଥର ସରକାର ଗଢିବ ବୋଲି ଆଶା ରଖିଛି ।