ସହିଦ ଯବାନଙ୍କ ଶେଷ କଲ… ! ଜମ୍ମୁରୁ ଫୋନ୍ ଆସିଲାନି, ଆସିଲା ମୃତ୍ୟୁର ଖବର । ଅଧା ରହିଗଲା ଓଡିଆ ବୀର ଯବାନ ମନୋଜଙ୍କ ମନର କଥା

3,479

କନକ ବ୍ୟୁରୋ : ମନର କୋହକୁ ସମ୍ଭାଳି ହେଉନି । କଥା କହୁ କହୁ ପାଟି ଖନି ମାରିଯାଉଛି । କେମିତି ସହିବ ସେ ସ୍ତ୍ରୀ ଯାହାକୁ ସାଥି କରିଥିଲା ଜନ୍ମ ଜନ୍ମ ପାଇଁ । କେମିତି ସହିବେ ସେହି ବାପା ମା ଯିଏ ସବୁ ଝଡଝଞ୍ଜାକୁ ସାମନା କରି ପୁଅକୁ ବଡ କରିଥିଲେ । ଆଉ କାନ୍ଦ ବୋବାଳରେ ପୂରା ପରିବାର ଫାଟି ପହୁଥିବା ବେଳେ ସମସ୍ତଙ୍କୁ ବଲବଲ କରି ଚାହିଁ ରହିଥିଲା ବାପଛେଉଣ୍ଡ ହୋଇଯାଇଥିବା ୨ ବର୍ଷର ଝିଅ । କାରଣ ଘରର ଏକମାତ୍ର ପୁଅ ଆଜି ଦେଶ ପାଇଁ ସହିଦ ହୋଇଯାଇଛି । ହଁ ଆଜ୍ଞା ପୁଲୱାମାରେ ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା କଟକ ଜିଲ୍ଲା ରତନପୁର ଗାଁର ବୀର ଯବାନ ମନୋଜ ଦାସଙ୍କର ପରିବାର ଅବସ୍ଥା ଏହିଭଳି । ଏକମାତ୍ର ପୁଅକୁ ହରାଇ ଯେପରି ସବୁକିଛି ହରାଇଦେଇଛନ୍ତି ମନୋଜଙ୍କ ପରିବାର । ସତେ ଯେମିତି ଘରର ମେରୁଦଣ୍ଡ ଦୋହଲି ଯାଇଛି ।

ଘରେ ଯେତେବେଳେ ଏହି ଖବର ପହଂଚିଥିଲା କେହି ବିଶ୍ୱାସ କରିପାରିନଥିଲେ । କିଛି ସମୟ ପାଇଁ ମନରେ ପ୍ରଶ୍ନ ଉଠିଥିଲା , ସତରେ କଣ ମନୋଜ ଆଉ ଫେରିବନି । ତାର ବାପା ଆଉ ନାହାନ୍ତି ବୋଲି ମନୋଜଙ୍କ ୨ବର୍ଷର ଝିଅକୁ କେମିତି ବୁଝେଇବେ କେହି ଜାଣିପାରୁନାହାନ୍ତି । ଏକଥାକୁ କେହି ବିଶ୍ୱାସ କରିପାରୁନାହାନ୍ତି । କାରଣ ଗତକାଲି ସକାଳେ ନିଜ ପତ୍ନୀଙ୍କ ସହ ଶେଷଥର ପାଇଁ ଫୋନରେ କଥା ହୋଇଥିଲେ ମନୋଜ । ଶ୍ରୀନଗର ଯିବା ପୂର୍ବରୁ ଫୋନ କରି ପତ୍ନୀଙ୍କ ସହ କଥା ହେବା ପରେ ଝିଅ ବାବଦରେ ପଚାରିଥିଲେ ମନୋଜ । ଏବେ ବସରେ ଯାଉଛୁ, ଶ୍ରୀନଗରରେ ପହଞ୍ଚିବା ପରେ କଲ କରିବି ବୋଲି କହି ଫୋନ କାଟି ଦେଇଥିଲେ ମନୋଜ । ସ୍ୱାମୀ ମନୋଜଙ୍କର ଏହା ଥିଲା ଶେଷ କଲା । ମନୋଜଙ୍କ ଫୋନକୁ ଅପେକ୍ଷା କରିଥିବା ପତ୍ନୀ ଇଲିଲତା ଭାବି ନ ଥିଲେ କି ତାଙ୍କର ଏହି ଅପେକ୍ଷାର ଅନ୍ତ କେବେ ବି ଘଟିବ ନାହିଁ। ଆଉ କଲ କାଟିବାର କିଛି ଘଣ୍ଟା ମଧ୍ୟରେ ଜମ୍ମୁ-କାଶ୍ମୀରରୁ ଆସିଥିଲା ଆତଙ୍କବାଦୀ ଆକ୍ରମଣର କଥା । ଯାହା ପୂରା ପରିବାରକୁ ସ୍ତବ୍ଧ କରି ଦେଇଥିଲା ।

ଏହାପୂର୍ବରୁ କିଛି ଦିନ ତଳେ ମନୋଜ ଘରକୁ ଆସିଥିଲେ ବୁଲିବାକୁ । କହିଥିଲେ, ବ୍ୟସ୍ତ ହେବନି ମୁଁ ପୁଣି ଆସିବି । ସବୁ ଠିକ ହୋଇଯିବ । ଆଉ ଶେଷ ଥର ପାଇଁ ଦିନ ଗୋଟାଏ ବେଳେ ଫୋନ କରିଥିଲେ ମନୋଜ । ହେଲେ କିଏ ଜାଣିଥିଲା ଆତଙ୍କବାଦୀଙ୍କ ଆକ୍ରମଣର ଶିକାର ହେବ ବୋଲି । ଆଜି ବାପା ମା ଗର୍ବିତ । ମନ ଯେତିକି ଦୁଃଖ ସେତିକି ଖୁସି । ପରିବାର ସିନା ପୁଅକୁ ହରାଇଲା କିନ୍ତୁ ପୁଅ ଦେଶ ପାଇଁ ସହିଦ ହେଲା ।