ଜମ୍ମୁକଶ୍ମୀରର ଭାରତ-ପାକ୍ ନିୟନ୍ତ୍ରଣ ରେଖାରେ ଲସ୍କର–ଇ-ତୋଇବାର ଅନୁପ୍ରବେଶ ଉଦ୍ୟମ ! ୪୫ ଆତଙ୍କବାଦୀ ସୀମା ପାର ପାଇଁ ପ୍ରସ୍ତୁତ

39

କନକ ବ୍ୟୁରୋ : ଭାରତ-ପାକିସ୍ତାନ ସୀମାକୁ ଲାଗିଥିବା ନିୟନ୍ତ୍ରଣ ସୀମାରେ ରେଖାରେ ଅନୁପ୍ରବେଶ ପାଇଁ ଆତଙ୍କବାଦୀ ସଙ୍ଗଠନ ଲସ୍କର ଷଡଯନ୍ତ୍ର କରୁଛି । ପ୍ରୟ ୪୫ ଆତଙ୍କବାଦୀ ଏଲଓସି ଦେଇ ଭାରତରେ ପ୍ରବେଶ ପାଇଁ ପ୍ରସ୍ତୁତ ହୋଇ ରହିଛନ୍ତି । ଗୁଇନ୍ଦା ବିଭାଗ ଏ ନେଇ ସୂଚନା ଦେବା ପରେ କାଶ୍ମୀରରେ ଆଲର୍ଟ ଜାରି କରାଯାଇଛି । କାଶ୍ମୀର ପୁଂଚ ଜିଲ୍ଲା କ୍ରିଷ୍ଣା ଘାଟି ସେକ୍ଟରର ନାଙ୍ଗି ଟେକ୍ରି ଅଂଚଳ ଏଭଳି ଅନୁପ୍ରବେଶ ଉଦ୍ୟମ ହେଉଛି । ଏଥିପାଇଁ ଭାରତୀୟ ସିକ୍ୟୁରିଟି ପୋଷ୍ଟ ଆଖପାଖ ଅଂଚଳରେ ଆଇଡି ବ୍ଲାଷ୍ଟ ହେବା ସମ୍ଭାବନା ବି ରହିଛି । ଏହାକୁ ଦେଖି ପ୍ରତିଷେଧମୂଳକ ବ୍ୟବସ୍ଥା ନେବାକୁ କୁହାଯାଉଛି । ସୁରକ୍ଷା ବଳକୁ ମଧ୍ୟ ଆବଶ୍ୟକୀୟ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଭାରତ ପାକିସ୍ତାନ ମଧ୍ୟରେ ଉତ୍ତେଜନା ସହିତ ସୀମାନ୍ତରେ ପାକିସ୍ତାନ ପକ୍ଷରୁ ବାରମ୍ବାର ଅସ୍ତ୍ରବିରତି ଉଲଂଘନ କରାଯାଉଥିବା ବେଳେ ଲସ୍କର ଇ ତୋଇବା ଆତଙ୍କବାଦୀ ସଙ୍ଗଠନର ଏକ ବଡ଼ ଟିମ୍ ଭାରତ ମଧ୍ୟକୁ ଅନୁପ୍ରବେଶ କରିବା ନିହାତି ଚିନ୍ତାର ବିଷୟ ପାଲଟିଛି । ବିଶେଷ କରି ଭାରତରେ ଆତଙ୍କବାଦୀ କାର୍ୟ୍ୟକଳାପକୁ ଜୋରଦାର କରିବା ପାଇଁ ଲସ୍କର ଇ ତୋଇବା ୪୫ ଜଣ ଆତଙ୍କବାଦୀଙ୍କୁ ଭାରତ ମଧ୍ୟକୁ ଅନୁପ୍ରବେଶ କରାଇବା ଯୋଜନାରେ ରହିଥିବା ଜଣାପଡ଼ିଛି । ତେଣୁ ଉପଯୁକ୍ତ ପଦକ୍ଷେପ ନେଇ ଆତଙ୍କବାଦୀଙ୍କ ଯୋଜନାକୁ ପଣ୍ଡ କରିବା ପାଇଁ ଗୁଇନ୍ଦା ବିଭାଗ ପକ୍ଷରୁ ସତର୍କ କରି ଦିଆଯାଇଛି ।

ଜାମ୍ମୁ ଓ କଶ୍ମୀରର ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି, ଯେଉଁ ବାଟ ଦେଇ ଲସ୍କର-ଇ-ତୋଇବାର ଆତଙ୍କବାଦୀମାନେ ଭାରତରେ ଅନୁପ୍ରବେଶ ପାଇଁ ଯୋଜନା କରିଛନ୍ତି, ତାହା ଭାରତୀୟ ସେନାର ୧୦ମ ବାଟାଲିୟନ ଇନଫାଣ୍ଟ୍ରି ବିଗ୍ରେଡ ଅଧିନରେ ଆସୁଛି । ତେଣୁ ଯେଉଁ ଗୁଇନ୍ଦା ସୂଚନା ମିଳିଛି ଏ ସମ୍ପର୍କରେ ସେନା ଓ ବିଏସଏଫକୁ ଅବଗତ କରାଯାଇଛି । ସେହିପରି ବିଏସଏଫର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଅତୀତରେ ଯେତେବେଳେ ବି ପାକିସ୍ତାନ ପକ୍ଷରୁ ଅସ୍ତ୍ରବିରତି ଉଲଂଘନ କରାଯାଇଛି, ସବୁଥର କିଛି ଆତଙ୍କବାଦୀଙ୍କୁ ଅନୁପ୍ରବେଶ ପାଇଁ ସୁଯୋଗ ଦେବାକୁ ହାଇଛି । ଏଥର ସେମାନେ ବଡ଼ ଧରଣର ଅନୁପ୍ରବେଶ ପାଇଁ ଯୋଜନା କରୁଥିବା ଜଣାପଡ଼ିଛି । ତେଣୁ ଆମେ ଏହି ଯୋଜନାକୁ ପଣ୍ଡ କରିବା ପାଇଁ ପ୍ରସ୍ତୁତ ଅଛୁ ବୋଲି ଅଧିକାରୀ ଜଣକ କହିଛନ୍ତି ।