ଲସ୍କର ଆତଙ୍କବାଦୀଙ୍କ ଧମକ! ବିସ୍ଫୋରଣରେ ଉଡ଼ାଇଦେବୁ କୃଷ୍ଣ ଜନ୍ମଭୂମି ଓ ବିଶ୍ୱନାଥ ମନ୍ଦିର

33

ଲସ୍କର ଆତଙ୍କବାଦୀଙ୍କ ଧମକ ବିସ୍ଫୋରଣରେ ମନ୍ଦିର ଉଡ଼ାଇଦେବୁ । ଆତଙ୍କୀ ସଙ୍ଗଠନ ଲସ୍କର-ଇ-ତୋଇବା ଉତ୍ତର ପ୍ରଦେଶର କିଛି ରେଲୱେ ଷ୍ଟେସନ ସହ କୃଷ୍ଣ ଜନ୍ମଭୂମି ଓ କାଶୀ ବିଶ୍ୱନାଥ ମନ୍ଦିର ଉଡ଼ାଇଦେବାକୁ ଧମକ ଦେଇଛନ୍ତି । ଏଭଳି ଧମକ ମିଳିବା ପରେ ଉତ୍ତର ପ୍ରଦେଶ ପୋଲିସ ପକ୍ଷରୁ ସମସ୍ତ ଷ୍ଟେସନରେ ହାଇ ଆଲର୍ଟ ଜାରି କରାଯାଇଛି । ଉତ୍ତର ପ୍ରଦେଶ ପୋଲିସ ମହାନିର୍ଦ୍ଦେଶକ କାର୍ଯ୍ୟାଳୟ ପକ୍ଷରୁ ଏ ସମ୍ବନ୍ଧରେ ଉଚ୍ଚ ଅଧିକାରୀଙ୍କୁ ଏକ ପତ୍ର ମାଧ୍ୟମରେ ସୂଚିତ କରାଯାଇଛି ।

ଲସ୍କର ଆତଙ୍କବାଦୀ ସଙ୍ଗଠନ ପକ୍ଷରୁ ଏରିଆ କମାଣ୍ଡର ଅବୁ ଶେଖ ଏକ ପତ୍ର ମାଧ୍ୟମରେ ଉତ୍ତର ପ୍ରଦେଶର ସହାରନପୁର, ହାପୁଡ଼ ସମେତ ଅନ୍ୟ ଷ୍ଟେସନ ଗୁଡ଼ିକୁ ଉଡ଼ାଇବାକୁ ଧମକ ଦେଇଛନ୍ତି । ଏହାଛଡ଼ା ମଥୁରାର କୃଷ୍ଣ ଜନ୍ମଭୂମି ଓ ବନାରସରେ ଥିବା କାଶୀ ବିଶ୍ୱନାଥ ମନ୍ଦିରରେ ମଧ୍ୟ ବିସ୍ଫୋରଣ କରିବାକୁ ଧମକ ଦେଇଛି ଆତଙ୍କୀ ସଙ୍ଗଠନ । ଏଭଳି ଧମକପୂର୍ଣ୍ଣ ଚିଠି ଆସିବା ପରେ ପୋଲିସ ଅଧିକାରୀଙ୍କୁ ସର୍ତକ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଉତ୍ତର ପ୍ରଦେଶ ପୋଲିସର କହିବା ଅନୁଯାୟୀ, ଏଭଳି ଧମକପୂର୍ଣ୍ଣ ଚିଠି ଗତ ମାସରେ ରେଳବିଭାଗକୁ ମିଳିଥିଲା । ଲସ୍କାର-ଇ-ତୋଇବାର ଏରିଆ କମାଣ୍ଡର ମୌଲାନା ଅବୁ ଶେଖ ପକ୍ଷରୁ ଏହି ଚିଠି ପଠାଯାଇଥିଲା । ଜୁନ ୬ରୁ ୧୦ ତାରିଖ ମଧ୍ୟରେ ବିସ୍ଫୋରଣ କରିବାକୁ ଏହି ଚିଠିରେ ଉଲ୍ଲେଖ ରହିଥିଲା । ଏଭଳି ଧମକପୂର୍ଣ୍ଣ ଚିଠି ଆସିବା ପରେ ବିଭିନ୍ନ ଷ୍ଟେସନ ଓ କୃଷ୍ଣ ଜନ୍ମଭୂମି ଏବଂ କାଶୀ ବିଶ୍ୱନାଥ ମନ୍ଦିରର ସୁରକ୍ଷାକୁ କଡ଼ାକଡ଼ି କରାଯାଇଛି । ଏହି ସମସ୍ତ ସ୍ଥାନରେ ସଦିଗ୍ଧଙ୍କ ଉପରେ କଡ଼ା ନଜର ରଖା ଯାଇଛି । ଏପରିକି ସଦିଗ୍ଧ ବ୍ୟକ୍ତି ମାନଙ୍କ ଜିନିଷପତ୍ର ଉପରେ ମଧ୍ୟ କଡା ନଜର ରଖିଛି ପୋଲିସ ।