ଟିକସ ଫାଙ୍କୁଛନ୍ତି କି ? ସାବଧାନ୍ . . ଏବେ ଟ୍ୟାକ୍ସ ଚୋରଙ୍କୁ ଧରିବ ସୋସିଆଲ୍ ମିଡିଆ, ଜାଲ ବୁଣିଲେ ସରକାର

48

କନକ ବ୍ୟୁରୋ : ଟିକସ ଫାଙ୍କୁଥିବା ବ୍ୟକ୍ତିମାନଙ୍କ ପାଇଁ ସରକାରଙ୍କ କଡା ଆଭିମୁଖ୍ୟ । ଏଭଳି ଲୋକ ମାନଙ୍କ ଉପରେ ଲଗାମ୍ ଲଗାଇବା ପାଇଁ ମୋଦି ସରକାର ନେଇଛନ୍ତି ବଡ ପଦକ୍ଷେପ । ଖାସ୍ କରି ବିମୁଦ୍ରାକରଣ ପରେ ଯେଉଁମାନେ ଟିକସ ଫାଙ୍କିଛନ୍ତି ସେମାନେଙ୍କ ପାଇଁ ବୁଢିଆଣି ଜାଲ ବିଛାଇଛନ୍ତି କେନ୍ଦ୍ର ସରକାର । ଏପରି ଲୋକଙ୍କୁ ଧରିବା ପାଇଁ ପ୍ରତିଷ୍ଠିତ କମ୍ପାନୀ ଏଲଆଣ୍ଡଟି (ଲାରସନ୍ ଆଣ୍ଡ୍ ଟ୍ୟୁବ୍ରୋ ଇନଫୋଟେକ୍)କୁ ମିଳିଛି ବଡ କଣ୍ଟ୍ରାକ୍ଟ୍ । ସୋସିଆଲ୍ ମିଡିଆ ଆନାଲିଟିକ୍ସ ଜରିଆରେ ଟ୍ୟାକ୍ସ ଚୋରୀ କରୁଥିବା ବ୍ୟକ୍ତିଙ୍କୁ ଧରିବା ପାଇଁ କମ୍ପାନୀକୁ ମିଳିଛି  ୬୫୦ କୋଟି ଟଙ୍କାର କଣ୍ଟ୍ରାକ୍ଟ୍ ।

କମ୍ପାନୀକୁ ଏହି କଣ୍ଟ୍ରାକ୍ଟ ସେଣ୍ଟ୍ରାଲ୍ ବୋର୍ଡ ଅଫ୍ ଡାଇରେକ୍ଟ ଟ୍ୟାକ୍ସରୁ ମିଳିଛି । ଏହି ଚୋରୀ ଧରିବା ପାଇଁ ଅତ୍ୟାଧୂନିକ ଆନାଲିଟିକ୍ସ ବ୍ୟବହାର କରିବାକୁ ପଡିବ ବୋଲି କହିଛନ୍ତି କମ୍ପାନୀର ମୁଖ୍ୟ ପରିଚାଳକ ଏବଂ ପରିଚାଳନା ନିର୍ଦ୍ଦେଶକ ସଂଜୟ ଜଲୋନା ।

ଟିକସ ଚୋରଙ୍କୁ ଧରିବା ପାଇଁ ୱେବ୍ ପେଜକୁ ଏଭଳି ତିଆରି କରାଯିବ ଯାହାଦ୍ୱାରା କମ୍ପ୍ୟୁଟର୍ ଆପେ ଅପେ ଏହାକୁ ପଢିବା ପାଇଁ ସକ୍ଷମ ହୋଇପାରିବ । ଉଦାହରଣ ସ୍ୱରୂପ କୌଣସି ବ୍ୟକ୍ତି କିମ୍ବା ତାଙ୍କ ପରିବାର ସଦସ୍ୟ ବିଦେଶ ବୁଲି ଆସିବା ପରେ ସୋସିଆଲ୍ ମିଡିଆରେ ଫଟୋ ସେୟାର୍ କରିଛନ୍ତି । ଆଡଭାନ୍ସଡ୍ ଆନାଲିଟିକ୍ସ ଜରିଆରେ ଏହାକୁ ସିଷ୍ଟମ୍ ଧରିବାରେ ସକ୍ଷମ ହେବ ।

ସେହିପରି କୌଣସି ବ୍ୟକ୍ତି ଦାମୀ ଗାଡି କିମ୍ବା ଅଳଙ୍କାର କିଣି ସୋସିଆଲ୍ ମିଡିଆରେ ଫଟୋ ସେୟାର୍ କରନ୍ତି ତେବେ କମ୍ପାନୀରୁ ନଜରକୁ ଚାଲିଆସିବେ । ଆଉ ଏହାର ସୂଚନା ସରକାରୀ ସଂସ୍ଥାକୁ ଦିଆଯିବ । ଫଳରେ ସେମାନଙ୍କ ଆୟକୁ ନେଇ ଆରମ୍ଭ ହେବ ଛାନଭିନ୍ । ଯଦି ଖର୍ଚ୍ଚ ଆୟ ସହ ମ୍ୟାଚ୍ କରିବ ନାହିଁ ତେବେ ଉକ୍ତ ବ୍ୟକ୍ତିଙ୍କ ଉପରେ ହୋଇପାରେ ଯାଂଚ୍ ଆଦେଶ ।