ବନ୍ୟା ପରେ ବିଗିଡ଼ି ଯାଇଛି ଆସାମ-ବିହାରର ଚିତ୍ର । ୧୫ ଦିନ ହେବ ପାଣି ଘେରରେ ଅଛନ୍ତି ଲୋକେ, ଭଙ୍ଗାଘର ତଳେ ଚାପି ହୋଇଯାଇଛି ସ୍ୱପ୍ନ ।

175

କନକ ବ୍ୟୁରୋ : ବନ୍ୟା ପରେ ମଧ୍ୟ ଲୋକଙ୍କ ଜୀବନରେ ସୁଧାର ଆସିନି । ବିଗିଡ଼ି ଯାଇଛି ଆସାମ, ବିହାରର ଚିତ୍ର । ଚାରିଆଡ଼େ ବନ୍ୟା ପାଣି ହିଁ ପାଣି । ୧୫ ଦିନ ହେବ ପାଣି ଘେରରେ ଅଛନ୍ତି ଲୋକ । ପାଖରେ ଖାଇବାକୁ ନାହିଁ କି ମୁଣ୍ଡ ଗୁଂଜିବାକୁ ଘର ନାହିଁ । ରାସ୍ତା କଡ଼ରେ ସାହାରା ନେଇଛନ୍ତି ଲୋକେ । ସେପଟେ ପିଲାଙ୍କ ବହି ପତ୍ର, ସାର୍ଟିଫିକେଟ୍ ସବୁ ଧୋଇ ନେଇଛି ବନ୍ୟା ପାଣି । ତେବେ ଆସନ୍ତୁ ଜାଣିବା କିପରି ରହିଛି ବିହାର, ଆସାମର ବନ୍ୟା ପରର ପରିସ୍ଥିତି ।

ବନ୍ୟା ଭସାଇନେଲା ସବୁକିଛି । ମୁଣ୍ଡ ଗୁଂଜିବା ପାଇଁ ଲୋକଙ୍କ ପାଖରେ ନାହିଁ ଘର । ଘରଦ୍ୱାର ଆସବାବ ପତ୍ରଠୁ ନେଇ ପିଲାଙ୍କ ବହିପତ୍ର ଓ ସାର୍ଟିଫିକେଟ୍ ପର୍ଯ୍ୟନ୍ତ ସବୁ କିଛି ଭାସିଯାଇଛି । ଖୋଲା ଆକାଶ ତଳେ କଟୁଛି ବନ୍ୟା ପୀଡ଼ିତଙ୍କ ଦିନ । ଏହେଉଛି ବିହାର ମଧୁବାଣୀ ନରୁରାର ଗାଁର ଘଟଣା । ଚାରିଆଡ଼େ ଏବେ ବନ୍ୟା ପାଣି ଘେରି ରହିଛି । ବନ୍ୟା ସୁଅରେ ଭାଙ୍ଗିଯାଇଛି ଲୋକଙ୍କ ଘର । ଯେତିକି ଘର ରହିଛି ତାହା ମଧ୍ୟ ଲୋକ ରହିବା ଉପଯୋଗୀ ହୋଇନାହିଁ ।

ଭଙ୍ଗାଘର ତଳେ ଚାପି ହୋଇଯାଇଛି ସ୍ୱପ୍ନ । ପଢ଼ିବା ପାଇଁ ବହିଖାତା ଧୋଇ ନେଇଛି ବନ୍ୟା । ଏନସିସି ସାର୍ଟିଫିକେଟ୍ ମଧ୍ୟ ଧୋଇ ହେବା ସହ ଆର୍ମି କ୍ୟାମ୍ପକୁ ଯିବାକୁ ଥିବା ବ୍ୟକ୍ତିଙ୍କ ଇଛାଶକ୍ତି ଉପରେ ପ୍ରଳୟଙ୍କାରୀ ବନ୍ୟା ଦାଉ ସାଜିଛିି । ଏପରିକି ବନ୍ୟା ପୀଡିତଙ୍କ ପାଖରେ ନାହିଁ ଖାଦ୍ୟ । ଏପର୍ଯ୍ୟନ୍ତ ପ୍ରଶାସନ ପକ୍ଷରୁ କୌଣସି ସୁବିଧା ସୁଯୋଗ ମଧ୍ୟ ଯୋଗାଇ ଦିଆଯାଇନଥିବା ଅଭିଯୋଗ ହୋଇଛି । ଖାଦ୍ୟ ପାଇଁ ଡ଼ଙ୍ଗାରେ ନଦୀକୁ ଯାଇ ମାଛ ଧରି ଜୀବିକା ନିର୍ବାହ କରୁଛନ୍ତି ବନ୍ୟା ପ୍ରଭାବିତ ।

ସେପଟେ ପ୍ରଳୟଙ୍କାରୀ ବନ୍ୟା ପରେ ଆସାମର ବ୍ରହ୍ମପୁତ୍ର ନଦୀରେ କମୁଛି ଜଳସ୍ତର । ହେଲେ ବଢୁଛି ଲୋକଙ୍କ ଦୁର୍ଦ୍ଦଶା । ଏପର୍ଯ୍ୟନ୍ତ ମୃ୍ତକଙ୍କ ସଂଖ୍ୟା ୭୧ରେ ପହଁଚିଥିବାବେଳେ ୧୯ଟି ଜିଲ୍ଲାର ୨୮ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି । ଅନ୍ୟପଟେ ଆସାମ ବନ୍ୟା ବିପନ୍ନଙ୍କୁ ସାହଯ୍ୟ କରିବା ପାଇଁ ଆବେଦନ କରିଛନ୍ତି ଅଭିନେତା ଅମିତାଭ ବଚ୍ଚନ । ଟ୍ୱିଟ୍ କରି ଅମିତାଭ ବନ୍ୟା ବିପନ୍ନଙ୍କୁ ସାହାଯ୍ୟ ପାଇଁ ଆବେଦନ କରିଛନ୍ତି ।

ଅପରପକ୍ଷରେ ମାୟାନଗରୀ ମୁମ୍ବାଇରେ ଲଗାଣ ବର୍ଷା ଜାରି ରହିଛି । ଗତକାଲିଠୁ ମୁମ୍ବାଇ ସମେତ ମହାରାଷ୍ଟ୍ରର ଅଧିକାଂଶ ସ୍ଥାନରେ ଲାଗି ରହିଛି ବର୍ଷା । ଲଗାଣ ବର୍ଷା ପାଇଁ ମୁମ୍ବାଇର ଅଧିକାଂଶ ଅଂଚଳ ପାଣି ଘେରରେ ରହିଛି । ଆଗାମୀ ୨୪ଘଂଟା ଧରି ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ସ୍ଥାନୀୟ ପ୍ରଶାସନ ସହ ବିଏମସିକୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।