ଘର ଭିତରୁ ୧୫ ଦିନର ଶିଶୁପୁତ୍ରକୁ ମାଙ୍କଡ ଉଠାଇନେବା ଘଟଣା ! ବନବିଭାଗ ପକ୍ଷରୁ ଜାରି ରହିଛି ସର୍ଚ୍ଚ ଅପରେସନ, ହନୁମାନଙ୍କ ପାଖରେ ଅଧିଆ ପଡିଲେ ଶିଶୁର ବାପା ମାଆ

45

କନକ ବ୍ୟୁରୋ: ଶିଶୁପୁତ୍ରକୁ ଉଠାଇ ନେଲା ମାଙ୍କଡ । ବାଙ୍କି ତାଳବସ୍ତ ସାହିରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଘର ଅଗଣାରେ ଶୋଇଥିବା ୧୫ ଦିନର ଶିଶୁପୁତ୍ରକୁ ମାଙ୍କଡ ଉଠାଇ ନେଇଛି । ଶିଶୁଟିକୁ ଉଦ୍ଧାର କରିବା ପାଇଁ ବନ ବିଭାଗ ପକ୍ଷରୁ ଆରମ୍ଭ ହୋଇଛି ସର୍ଚ୍ଚ ଅପରେସନ । ଗ୍ରାମବାସୀ ଓ ବନବିଭାଗର ୩ ଜଣିଆ ଟିମ ସର୍ଚ୍ଚ ଅପରେସନରେ ସାମିଲ ହୋଇଛନ୍ତି । ଟିମରେ ୩୦ ଜଣ ଅଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ, ତାଳବସ୍ତ ଗ୍ରାମର ରାମକୃଷ୍ଣ ନାୟକ ଓରଫ କାଠିଆ ନାମକ ଜଣେ ଯୁବକଙ୍କ ପତ୍ନୀ ଗତ ୧୫ ଦିନ ତଳେ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ । ଆଜି ସକାଳୁ ଶିଶୁଟିର ମାଆ ବିଛଣାରୁ ଉଠି ଆସିବା ପରେ ଶିଶୁ ପୁତ୍ରଟି ଶୋଇଥିଲା । ତେବେ ଏହି ସମୟରେ ଏକ ମାଙ୍କଡ଼ ଘରେ ପଶି ଶିଶୁ ପୁତ୍ରଟିକୁ ଧରି ନେଇ ପଳାଉଥିବା ଦେଖି ତାର ମାଆ ପାଟି କରିଥିଲେ ।

ସମସ୍ତେ ଉଠି ଦେଖିଲା ବେଳକୁ ସେଠାରୁ ମାଙ୍କଡ଼ କେଉଁଆଡ଼େ ଚମ୍ପଟ ମାରିସାରିଥିଲା। ଶିଶୁଟିର ମାଆଙ୍କ ବ୍ୟତୀତ ଅନ୍ୟ କେହି ଶିଶୁଟିକୁ ମାଙ୍କଡ଼ ନେଇଥିବାର ଦେଖି ନାହାଁନ୍ତି। ତେଣୁ ପାତି ମାଙ୍କଡ଼ କିମ୍ବା ହନୁମାଙ୍କଡ଼ ଶିଶୁଟିକୁ ନେଇଛି ତାହା ଜଣାପଡ଼ି ନାର୍ହିଁ। ତେବେ ଗାଁ ଲୋକେ ଆଖପାଖ ସବୁ ଅଞ୍ଚଳରେ ଶିଶୁପୁତ୍ରକୁ ଅପହରଣ କରି ନେଇଥିବା ମାଙ୍କଡ଼ଟିକୁ ଖୋଜୁଛନ୍ତି।

ଘଟଣାକୁ ନେଇ ପରିବାରରେ ଶୋକର ଛାୟା ଖେଳି ଯାଇଛି । ଶିଶୁପୁତ୍ରକୁ ଉଦ୍ଧାର ପାଇଁ ହନୁମାନଙ୍କ ନିକଟରେ ଅଧିଆ ପଡିଛନ୍ତି ଶିଶୁର ବାପା ମାଆ । ତେବେ ମାଙ୍କଡଟି କେଉଁଠି ଅଛି ତାହା ଜଣାପଡିନି । ଟ୍ରାଙ୍କୁଲାଇଜର ଟିମ୍ ପହଂଚି ଗାଁରେ ପହଂଚିଥିବା ଜଣାପଡିଛି ।