ଚନ୍ଦ୍ର ଅଭିଯାନରେ ଚନ୍ଦ୍ରଯାନ-୨ର ଆଜି ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପରୀକ୍ଷା : ଆଜି କକ୍ଷପଥ ବଦଳାଇବ ଲ୍ୟାଣ୍ଡର ବିକ୍ରମ 

214

କନକ ବ୍ୟୁରୋ : ଚନ୍ଦ୍ର ଅଭିଯାନର ଆଜି ଆଉ ଏକ ପାଦ ଆଗେଇବ ଚନ୍ଦ୍ରଯାନ-୨ । ଅର୍ବିଟରରୁ ଅଲଗା ହୋଇସାରିଥିବା ଲାଣ୍ଡର ବିକ୍ରମ ଆଜି ପ୍ରବେଶ କରିବ ନୂଆ କକ୍ଷ ପଥରେ । ଇସ୍ରୋର ମିଶନ ମୁନରେ ଚନ୍ଦ୍ରଯାନ- ୨ର ଏହା ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ । ଅର୍ବିଟରରୁ ଅଲଗା ହୋଇଥିବା ଲ୍ୟାଣ୍ଡର ବିକ୍ରମକୁ ଚନ୍ଦ୍ରର ନୂଆ କକ୍ଷପଥରେ ପ୍ରବେଶ କରାଇବାକୁ ମାତ୍ର ୩ ସେକେଣ୍ଡ ପାଇଁ ଏହାର ଇଂଜିନକୁ ଷ୍ଟାର୍ଟ କରାଯିବ । ଏହା ପରେ ସକାଳ ୯ଟାରୁ ୧୦ ମଧ୍ୟରେ ନୂଆ କକ୍ଷ ପଥରେ ପ୍ରବେଶ କରିବ ଲ୍ୟାଣ୍ଡର ବିକ୍ରମ । ଏହା ଜରିଆରେ ଚନ୍ଦ୍ରର ଆଉ ଟିକେ ନିକଟତର ହୋଇଯିବ ବିକ୍ରମ । ଏହି ପରି ଗତି କରି ଆସନ୍ତାକାଲି ଲ୍ୟାଣ୍ଡର ବିକ୍ରମ ଦ୍ୱିତୀୟ ଥର ଏହାର କକ୍ଷପଥ ପୁଣି ବଦଳାଇ ଚନ୍ଦ୍ରର ଆଉ ଟିକେ ନିକଟତର ହେବ । ଏହି କ୍ରମରେ ଆସନ୍ତା ୩ ଦିନ ଯାଏଁ ଲ୍ୟାଣ୍ଡର ବିକ୍ରମ ଏହାର ଅଣ୍ଡାକାର କକ୍ଷପଥରେ ଗତି କରି ଚନ୍ଦ୍ର ଠାରୁ ମାତ୍ର ୩୫ କିମି ଉଚ୍ଚକୁ ଆସିଯିବ । ଯାହାକୁ ଅନୁଧ୍ୟାନ କରୁଥିବେ ଇସ୍ରୋର ବୈଜ୍ଞାନିକ ।

ଲାଣ୍ଡର ବିକ୍ରମ ଚନ୍ଦ୍ର ଅଭିଯାନରେ ଆଉ ଏକ କକ୍ଷ ପଥରେ ପ୍ରବେଶ କରିବା ପରେ ଇସ୍ରୋ ପାଇଁ ବଢିଯିବ ଚ୍ୟାଲେଂଜ । କାରଣ ଆଜି ଠାରୁ ଆସନ୍ତା ୩ ଦିନ ଲ୍ୟାଣ୍ଡର ବିକ୍ରମ ଅଣ୍ଡାକାର ପଥରେ ଗତି କରି ଚନ୍ଦ୍ର ର ନିକଟତରୁ ଅତି ନିକଟତର ହେବ । ଏହି କ୍ରମରେ ସେପ୍ଟେମ୍ୱର ୭ ତାରିଖ ବେଳକୁ ଚନ୍ଦ୍ର ଠାରୁ ମାତ୍ର ୩୫ କିମି ଉଚ୍ଚକୁ ଆସିଯାଇଥିବ ଲ୍ୟାଣ୍ଡର ବିକ୍ରମ । ଏତିକି ବେଳେ ଇସ୍ରୋ ବୈଜ୍ଞାନିକଙ୍କ ପାଇଁ ରହିବ ସବୁଠାରୁ ବଡ ଚ୍ୟାଲେଞ୍ଜ । କାରଣ ସେପ୍ଟେମ୍ୱର ୭ ତାରିଖ ଦିନ ରାତି ଗୋଟାଏ ୩୦ ମିନିଟରେ ଚନ୍ଦ୍ରର ଦକ୍ଷିଣ ମେରୁରେ ଧୀର ଅବତରଣ କରିବ ଲ୍ୟାଣ୍ଡର ବିକ୍ରମ ।

ଅବତରଣର ଶେଷ ୧୫ ମିନିଟ୍ ହେବ ସବୁଠାରୁ ଜଟିଳ । କାରଣ ଇସ୍ରୋ ବୈଜ୍ଞାନିକ ଲ୍ୟାଣ୍ଡର ବିକ୍ରମର ବେଗକୁ ହ୍ରାସ କରାଇ ଚନ୍ଦ୍ର ପୃଷ୍ଠରେ ଧୀର ଅବତରଣ କରାଇବେ । ଅବତରଣ କରିବାର ୨ ଘଂଟା ପରେ ଖୋଲିବ ଏହାର ରାମ୍ପ । ଯାହା ଜରିଆରେ ୬ ଚକ ବିଶିଷ୍ଟ ପ୍ରଜ୍ଞାନ ରୋଭର ଚନ୍ଦ୍ର ପୃଷ୍ଠରେ ଅବତରଣ କରିବ । ପ୍ରଜ୍ଞାନ ରୋଭର ଅବତରଣ କରିବାର ଏକ ଘଂଟା ୧୦ ମିନିଟ ପରେ ଏହାର ସୋଲାର ପ୍ୟାନେଲ୍ ଖୋଲିବ । ଅବତରଣର ୫ ମିନିଟ୍ ପରେ ପ୍ରାୟ ସକାଳ ୫ଟା ୧୦ ମିନିଟରେ ରୋଭର ପ୍ରଜ୍ଞାନ ଚନ୍ଦ୍ର ପୃଷ୍ଠରେ ଗତି କରିବା ଆରମ୍ଭ କରିବ ।