ପ୍ରବଳ ବର୍ଷାରେ ବେହାଲ ମାୟାନଗରୀ : ଅଚାନକ୍ ଆସିଲା ବର୍ଷା, ମାଟି ଭିତରକୁ ଧଶିଗଲା ଯାନବାହାନ

25

କନକ ବ୍ୟୁରେ: ମୁମ୍ବାଇରେ ପ୍ରବଳ ବର୍ଷା । ଅନେକ ଅଂଚଳ ଜଳବନ୍ଦୀ ହୋଇ ରହିଛି । ପ୍ରବଳ ବର୍ଷା ଯୋଗୁଁ ୱାଡ଼ାଲାର ଆଂଟିପ ହିଲରେ ଏକ ନିର୍ମାଣାଧୀନ କୋଠା ଭୁଷୁଡ଼ି ପଡ଼ିଛି । ଏଥିରେ ଆଖପାଖ ବିଲଡ଼ିଂର ଲୋକ ଫସିରହିଥିଲେ । ଫଶି ରହିଥିବା ସମସ୍ତ ଲୋକଙ୍କୁ ଉଦ୍ଧାର କରାଯାଇ ସାରିଛି। ଜମି ଧଶିବା କାରଣରୁ ପାଖାପାଖି ୧୫ରୁ ୨୦ କାର ତଳକୁ ଖସିପଡ଼ିଛି । ଯାହାକୁ କ୍ରେନ ସାହାଯ୍ୟରେ ବାହାର କରାଯାଉଛି । ସୂଚନା ଅନୁସାରେ ଯେଉଁ ସ୍ଥାନରେ ଜମି ଧଷିଯାଇଛି , ତାହା ପାଖରେ ୩୨ ମହଲା ବିଶିଷ୍ଟ କୋଠା ରହିଛି । ଏହାର ସମସ୍ତ ଫୋଲରରେ ପ୍ରାୟ ୪ /୫ ଟି ପରିବାର ଅଛନ୍ତି । ତେବେ ସୌଭାଗ୍ୟବଶତଃ ସେମାନଙ୍କର କିଛି କ୍ଷତି ହୋଇନାହିଁ । କିଛି ଦୁର୍ଘଟଣା ଘଟିବା ପୂର୍ବରୁ ସେମାନଙ୍କୁ ଉଦ୍ଧାର କରାସରିଛି । ଏହାସହ ବିଲ୍ଡିଂକୁ ମଧ୍ୟ କୌଣସି କ୍ଷତି ପହଞ୍ଚିନାହିଁ ।

ପ୍ରବଳ ବର୍ଷାରେ ମୁମ୍ବାଇର ଜୀବନ ଯାତ୍ରା ପ୍ରଭାବିତ ହେବାରେ ଲାଗିଛି । ଗତ ରାତିରୁ ବର୍ଷା ଲାଗିରହିଛି । ବିଭିନ୍ନ ସ୍ଥାନରେ ଡ୍ରେନଜେ ବ୍ୟବସ୍ଥା ଖରାପ ହୋଇପଡିବାରୁ ରାସ୍ତା ଉପରେ ଆଣ୍ଠୁଏ ଲେଖାଏଁ ପାଣି ଜମି ରହିଛି । ଏହି ବର୍ଷାରେ ସାଧାରଣ ଜନତାଙ୍କ ସହ ଅନ୍ୟଆଡ଼ୁ ମାୟାନଗରୀକୁ ବୁଲି ଆସିଥିବା ପର୍ଯ୍ୟଟକ ମାନେ ମଧ୍ୟ ନାହିଁ ନଥିବା ହଇରାଣ ହେଉଛନ୍ତି । ବର୍ଷା ଏତେ ଜୋର ହୋଇଛି ଯେ କିଛି ଅଂଚଳରେ ମାଟି ଭିତରକୁ ଯାନବାହାନ ସବୁ ଧଶିଯାଇଛି ।

ରାସ୍ତା ଉପରେ ପ୍ରବଳ ମାତ୍ରାରେ ବର୍ଷା ପାଣି ଜମି ରହିଥିବାରୁ ଲୋକାଲଠାରୁ ଆରମ୍ଭ କରି ଦୂର ରେଳ ଗୁଡିକ ଅଧା ବାଟରେ ରହିଛି । ବର୍ଷା ସାଙ୍ଗକୁ ଅଧା ବାଟରେ ରହିଥିବା ଟ୍ରେନଗୁଡିକରେ ଖାଦ୍ୟ ସମସ୍ୟା ଯାତ୍ରୀ ମାନଙ୍କୁ ଅଧିକ ବ୍ୟତିବ୍ୟସ୍ତ କରିଛି । ପ୍ରବଳ ବର୍ଷା ହେବାରୁ ବାନ୍ଦ୍ରା, ଦାଦାର ଓ ବାନ୍ଦ୍ରା ଅଞ୍ଚଳରେ ଅନେକ ରେଳ ରଖାଯାଇଥିବା ସୂଚନା ମିଳିଛି । ଚେମ୍ବୁରୁ ଅଞ୍ଚଲରେ ଅନେକ ଘରେ ପାଣି ପସିଥିବା ଖବର ମିଳିଛି । ଅନେକ ସ୍ଥାନରେ ବଡବଡ ଗଛ ପଡିଯିବାରୁ ରାସ୍ତାର ଉଭୟ ପାର୍ଶ୍ୱରେ ଶହଶହ ଗାଡି ମଟର ଅଟକ ରହିଛି ।

ଏପରି ପରିସ୍ଥିତିରେ ସେଠାକାର ସରକାର ଏହି ଘଟଣା ଉପରେ ନଜର ରଖିଥିବା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ତେବେ ତଳିଆ ଅଞ୍ଚଳର ଲୋକମାନଙ୍କୁ ସ୍ଥାନାନ୍ତରଣ କରାଯିବା ସହ ରନ୍ଧାଖାଦ୍ୟ ଯୋଗାଇ ଦିଆଯିବ ବୋଲି ଜଣାପଡିଛି । ଗତ ବର୍ଷରେ ଏପରି ବର୍ଷା ହୋବାରୁ ମୁମ୍ବାଇ ଜଳମଗ୍ନ ହୋଇଥିଲା । ତେବେ ଡ୍ରେନେଜ ବ୍ୟବସ୍ଥା ଅତ୍ୟନ୍ତ ନିମ୍ନମାନର ହୋଇଥିବାରୁ ପ୍ରତ୍ୟେକ ଥର ଏପରି ହେଉଛି ବୋଲି ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି ।