ହିମାଚଳ ପ୍ରଦେଶ ମଣ୍ଡିରେ ଭୁସ୍ଖଳନର ତାଣ୍ଡବ : ପାହାଡ ଧସି ୫୦ଜଣଙ୍କର ମୃତ୍ୟୁ

29

କନକ ବ୍ୟୁରୋ : ହିମାଚଳ ପ୍ରଦେଶରେ ଭୁସ୍ଖଳନରେ ୫୦ଜଣଙ୍କର ମୃତ୍ୟୁ । ମଣ୍ଡି ଜିଲ୍ଲା ଉରାଲାରେ ୨ଟି ବସ ଉପରେ ପାହାଡ ଧସିବାରୁ ୫୦ଜଣଙ୍କର ମୃତ୍ୟୁ ହୋଇଛି । ଶନିବାର ବିଳମ୍ବିତ ରାତିରେ ମଣ୍ଡି- ପଠାନକୋଟ ଜାତୀୟ ରାଜପଥରେ ଏହି ଭୂସ୍ପଳନ ଘଟିଛି ଫଳରେ ରାସ୍ତାରେ ଯାଉଥିବା ବସ୍ ଉପରେ ପାହାଡ ଅତଡା ଧସିପଡିଛି । ଏହି ଦୁଇଟି ବସରେ ପାଖାପାଖି ୫୫ଜଣ ଯାତ୍ରୀ ଥିଲେ ।

୪୬ଜଣଙ୍କର ମୃତ ଦେହ ଉଦ୍ଧାର କରାଯାଇଥିବାବେଳେ ୫ଜଣ ଆହତଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତି କରାଯାଇଛି । ଚମ୍ବାରୁ ମନାଲି ଯାଉଥିବା ବସରେ ପାହାଡ ଅତଡା ଧସିପଡିବାରୁ ବସଟି ୨୦ଫୁଟ ଧୋଇଯିବା ପରେ ୫୦ଫୁଟ ତଳକୁ ଖସିପଡିଥିଲା । ଏଥିରେ ୪୭ଜଣ ଯାତ୍ରୀ ଥିଲେ । ଅନ୍ୟ ବସଟି କଟରାରୁ ମନାଲି ଯାଉଥିଲା । ଏଥିରେ ୮ଜଣ ଯାତ୍ରୀ ଥିଲେ । ଏମାନଙ୍କ ମଧ୍ୟରୁ ୩ଜଣଙ୍କର ମୃତ୍ୟୁ ହୋଇଛି । ଏହାସହ ରାସ୍ତାରେ ଯାଉଥିବା ଜଣେ ବାଇକ ଆରୋହୀଙ୍କ ମଧ୍ୟ ମୃତ୍ୟୁ ହୋଇଛି ।

ଏହି ଭୟାବହ ଭୂସ୍ଖଳନରେ କେତେକ ଘର ମଧ୍ୟ ଧୋଇଯାଇଛି । ତେବେ ଭୂସ୍ଖଳନର କିଛି ସମୟ ପୂର୍ବରୁ ସ୍ଥାନୀୟଲୋକେ ନିଜ ଘର ଖାଲି କରି ସ୍ଥାନୀୟ ଜଙ୍ଗଲକୁ ପଳାଇଯାଇଥିଲେ । ହିମାଚଳ ପ୍ରଦେଶ ସରକାରଙ୍କ ପକ୍ଷରୁ ମୃତକଙ୍କ ପରିବାରକୁ ୫ଲକ୍ଷ ଟଙ୍କାର ସହାୟତା  ଘୋଷଣା କରାଯାଇଛି  । ସେନା ଓ ଏନଡିଆରଏଫ ପକ୍ଷରୁ ଏବେବି ଉଦ୍ଧାର କାର୍ଯ୍ୟ ଜାରି ରହିଛି  ।