ସୁନ୍ଦରଗଡ ହେମଗିରିରେ ଭୂତ ବିକ୍ରି କରୁଛି ଜମି ।  ୨୦୧୨ରୁ ମୃତ ବ୍ୟକ୍ତିଙ୍କ ଜାଲ୍ ଦସ୍ତଖତରେ ୩ ଏକର ୭୫ ଡିସମିଲ ଜମି ବିକ୍ରି 

98

କନକ ବ୍ୟୁରୋ : ଭୂତ ବିକ୍ରି କରୁଛି ଜମି । ଶୁଣିଲେ ଅଡୁଆ ଲାଗୁଛି ହେଲେ ଘଟଣାଟି ସତ୍ୟ । ଭୂତ ଜମି ବିକ୍ରି କରୁଛି ଏବଂ ମଣିଷ ଏହାକୁ କିଣୁଛି । ଏହିଭଳି କିଛି ଘଟଣା ଦେଖିବାକୁ ମିଳିଛି ସୁନ୍ଦରଗଡ ଜିଲ୍ଲା ହେମଗିରି ତହସିଲରେ । ୨୦୧୨ରେ ମୃତ୍ୟୁ ବରଣ କରିସାରିଥିବା ଜଣେ ଲୋକଙ୍କ ସମସ୍ତ ଜମିକୁ ଦଲାଲ ଓ ତହସିଲ କର୍ମଚାରୀ ହଡପ କରିନେଇଥିବା ଅଭିଯୋଗ ହୋଇଛି । ସୁନ୍ଦରଗଡ ଜିଲ୍ଲା ହେମଗିରିର ମୁଣ୍ଡେରକ୍ଷେତ ଗାଁର ଜଗତରାମ କୁଅଁରଙ୍କ ୨୦୧୨ ମସିହା ମେ’ ମାସରେ ମୃତ୍ୟୁ ହୋଇଥିଲା  ।

ଡିସେମ୍ବର ମାସରେ ଜଗତରାମଙ୍କ ପୁଅ ସୁନ୍ଦରଙ୍କ ପାଖକୁ ହେମଗିରି ତହସିଲ କାର୍ଯ୍ୟାଳୟର ମ୍ୟୁଟେସନ ପାଇଁ ନୋଟିସ ଆସିବା ପରେ ଏହି ଚଚଂକତା ପଦାରେ ପଡିଛି । କେବଳ ଘରଡିହ ୧୨ ଡିସମିଲକୁ ଛାଡି ଦେଲେ ଅନ୍ୟ ୩ ଏକର ୭୫ ଡିସମିଲ ଜମି ଦୁଇ ଜଣ ବ୍ୟକ୍ତିଙ୍କୁ ଜଗତରାମ ନିଜେ ବିକ୍ରି କରିଛନ୍ତି ଏବଂ ଏଥିରେ ସୁନ୍ଦରଙ୍କ ଦସ୍ତଖତ ଦରକାର ବୋଲି ଦର୍ଶାଯାଇଥିଲା । କିଛି ଦଲାଲ ଏବଂ ଦୁଇ ଜଣ କ୍ରେତା ଓ ଦୁଇ ମିଛ ସାକ୍ଷୀଦାର ମିଶି ଏହି ଜମିକୁ ହଡପ କରିଥିବା ଅଭିଯୋଗ ହୋଇଛି ।

ଜଗତରାମ କୁଅଁରଙ୍କ ନାଁରେ ଜାଲ୍ ଆଧାର କାର୍ଡ ବାହାର କରି ଏହି ଜାଲିଆତି କରାଯାଇଥିବା ଅଭିଯୋଗ ହୋଇଛି  । ସୁନ୍ଦରଗଡ ଜିଲ୍ଲା ଭଷ୍ମା ଥାନା କରେଇବଗା ଗାଁର ସୁରେଶ ପଟେଲ ଓ ବଡଗାଁ ଥାନା ଜରଙ୍ଗୋଲୋଇ ଗାଁ ର ରଘୁନନ୍ଦନ ବଢାଇଙ୍କୁ ଜମି ବିକ୍ରି କରାଯାଇଛି । ଜମି ମ୍ୟୁଟେସନ ପାଇଁ ସୁନ୍ଦର ଙ୍କୁ ନୋଟିସ ଆସିଲା ପରେ ଏହି ଘଟଣା ସାମ୍ନା କୁ ଆସିଛି ।