ସୁକିନ୍ଦା ବିଧାୟକଙ୍କ ବିରୋଧରେ ଜମି ହଡପ ଅଭିଯୋଗ ! ଜଙ୍ଗଲ ଜମିକୁ କିସମ ପରିବର୍ତ୍ତନ କରି ବେଆଇନ୍ ଭାବେ ହଡପ କରିଥିବା କହିଲା କଂଗ୍ରେସ

46

କନକ ବ୍ୟୁରୋ : ବିଧାୟକଙ୍କ ବିରୋଧରେ ଜମି ହଡପ ଅଭିଯୋଗ । ଶାଳ ଜଙ୍ଗଲ ଜମିକୁ ବେଆଇନ ଭାବେ କିସମ ପରିବର୍ତ୍ତନ କରି ହଡପ କରିବା ଅଭିଯୋଗ ହୋଇଛି । ଆଉ ଏହି ଅଭିଯୋଗ ଆସିଛି ସୁକିନ୍ଦା ବିଧାୟକ ପ୍ରିତିରଞ୍ଜନ ଘଡେଇଙ୍କ ବିରୋଧରେ । ଏହି ଘଟଣା ଏବେ ରାଜନୈତିକ ମୋଡ ନେଇଛି । ଦାନଗଦି ବ୍ଲକ କଂଗ୍ରେସ ପକ୍ଷରୁ ଦାନଗଦି ତହସିଲ ଘେରାଉ କରାଯିବା ସହ ବିଧାୟକଙ୍କ ଗିରଫ ଦାବି ଯୋର ଧରିଛି ।

ସୂଚନା ଅନୁସାରେ ଦାନଗଦୀ ତହସିଲ ବାଲିଆପାଳ ମୌଜାର ହାଲ ବନ୍ଦବସ୍ତ ଅନୁଯାୟୀ ଖାତା ନମ୍ବର ୩୧୪, ପ୍ଲଟ ନଂ ୮୬୮ରେ ଥିବା ୧ଏକର ୪୦ ଡିସିମିଲ ସାବକ କିସମ ଓ ଅନାବାଦୀ ଶାଳ ଜଙ୍ଗଲ ଜମିକୁ ଚଂଚକତା କରି କିସମ ପରିବର୍ତ୍ତନ କରି ରେକର୍ଡ କରାଯାଇଛି । ଯାହାର ମାଲିକ ଓ ମାର୍ଫତଦାର ପ୍ରିତିରଞ୍ଜନ ଘଡାଇ ପିତା ପ୍ରଫୁଲ୍ଲ ଚନ୍ଦ୍ର ଘଡାଇ ବୋଲି ଉଲ୍ଲେଖ ରହିଛି । ଏହି ଜମି ଦୁର୍ନୀତି ଜଣାପଡିବା ପରେ ଦାନଗଦୀ ବ୍ଲକ କଂଗ୍ରେସ, ବିଧାୟକଙ୍କର ଗିରଫ ଦାବିରେ ଏକ ଦାବିପତ୍ର ପ୍ରଦାନ କରିଛି । ତହସିଲ ଦାର ଦାବିପତ୍ର ଗ୍ରହଣ କରି ବିହିତ କାର୍ଯ୍ୟାନୁଷ୍ଠାନ ନେବାକୁ କହିଥିବା ବେଳେ ବିଧାୟକ କ୍ୟାମେରା ସାମନାରେ କିଛି କହିବାକୁ ମନାକରି ଦେଇଛନ୍ତି ।