ଯବାନଙ୍କ ଜବରଦଖଲରେ ଜମି ! ଗୁହାରି କରୁଛନ୍ତି ଅସହାୟ ବୃଦ୍ଧା ।

111

କନକ ବ୍ୟୁରୋ : ବି.ଏସ.ଏଫ ଯବାନଙ୍କ କବଜାରେ ଘରୋଇ ଜମି । ବର୍ଷ ବର୍ଷ ଧରି ଅସହାୟ ବୃଦ୍ଧାଙ୍କ ଜମି ମାଡି ବସିଛି ସୀମା ସୁରକ୍ଷା ବାହୀନି । ତହସିଲଦାରଙ୍କ ଠାରୁ ଆରମ୍ଭ କରି ଆରକ୍ଷୀ  ଅଧିକ୍ଷକ ଓ ଜିଲ୍ଲା ପ୍ରଶାସନ ଯାଏଁ, ବାରମ୍ବାର ଗୁହାରି କରି ମଧ୍ୟ ନିଜ ଭିଟା ମାଟିକୁ ଫେରି ପାଉନାହାନ୍ତି ବୃଦ୍ଧା । ଫଳରେ ଏବେ ଚାଷ ବାସ ନକରି ବହୁ କଷ୍ଟରେ ଜୀବନ ବିତାଉଛନ୍ତି ମାଲକାନଗିରି ଜିଲ୍ଲା ଏମ.ଭି ୭୯ ଗାଁର ବୃଦ୍ଧା ଓ ତାଙ୍କ ପରିବାର । ଏମ.ଭି ୭୯ ସହ ଏମ.ଭି–୩ ଓ ନାକାମାମୁଡିରେ ମଧ୍ୟ ବି.ଏସ.ଏଫ ଯବାନଙ୍କ କବଜାରେ ଘରୋଇ ଜମି ଥିବା ଅଭିଯୋଗ ଆସି ଥିଲେ ହେଁ ସବୁ ଜାଣି ଶୁଣି ଚୁପ ବସିିଛି ସୀମା ସୁରକ୍ଷା ବାହିନୀ ।

ଜମି ନେଇ ଗଲେ ଯବାନ । ବି.ଏସ.ଏଫ ଯବାନଙ୍କ କବଜାରେ ଘରୋଇ ଜମି । ବର୍ଷେ କି ଦୁଇ ବର୍ଷ ନୁହଁ ଗତ ୧୦ ରୁ ୧୨ ବର୍ଷ ଧରି ଯବାନ ମାନେ ପଟ୍ଟା ଜମି ମାଡି ବସି ଥିବା ଅଭିଯୋଗ ହୋଇଛି । ମାଲକାନଗିରି ଜିଲ୍ଲା ଏମ.ଭି ୭୯ ଗାଁ ର ୭୫ ବର୍ଷୀୟ ମହିଳା ବେଦନା ବାରୋଇ । ସ୍ୱାମୀ ଚାଲି ଗଲା ପରେ ନିଜ ଅଢେଇ ଏକର ଚାଷ ଜମି ରେ ଚାଷ ବାସ କରି ନିଜ ପରିବାରର ପେଟ ପୋଶୁ ଥିଲେ ବେଦନାଙ୍କ ପରିବାର ।

ମୋଟୁ ତହସିଲ ଲାଛିପେଟା ମୌଜାରେ ଥିବା ଖାତା ନଂ ୨୦୮ ଅନ୍ତର୍ଗତ ୧୦୪୩, ୧୦୪୪ ଓ ୧୦୪୫ ନଂ ଧାନ ଦୁଇ କିସମର ପ୍ଲଟକୁ ନେଇ ମୋଟ ଅଢେଇ ଏକର ଜମି ସ୍ୱାମୀ ସୁନାବାସୀ ବାରୋଇଙ୍କ ନାଁ ରେ ବନ୍ଦୋବସ୍ତ ହୋଇଛି । ତେବେ ପ୍ରଥମେ ସି.ଆର.ପି.ଏଫ ଓ ବର୍ତମାନ ବି.ଏସ.ଏଫ ର ୧୨୨ ବାଟାଲିୟନର ଯବାନ ବେଦନାଙ୍କ ଜମିକୁ ଜୋର ଜବରଦସ୍ତ ଦଖଲ କରି ହେଲିପ୍ୟାଡ ଭାବେ ଏହାକୁ ବ୍ୟବହାର କରୁ  ଥିବା ଅଭିଯୋଗ ହୋଇଛି । ତେବେ ନିଜ ଭିଟା ମାଟି ହରାଇ ଏବେ ବଜାରରେ ପରିବା ବିକୁଛନ୍ତି ବେଦନା । ଏପରିକି ତାଙ୍କ ୩ ପୁଅ ମଧ୍ୟ ଗାଁ ଗାଁ ବୁଲି ପରିବା ବିକ୍ରି କରି ପୋଟ ପୋଶୁଛନ୍ତି ।

ଏ ନେଇ ୨୦୧୩ ମସିହା ଠାରୁ ଆରମ୍ଭ କରି ବର୍ତମାନ ଯାଏଁ ବେଦନା ବାରମ୍ବାର ଆର.ଆଇ, ତହସିଲଦାରଙ୍କ ଠାରୁ ଆରମ୍ଭ କରି ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ନିକଟରେ ବାରମ୍ବାର ଲିଖିତ ଭାବେ ଅଭିଯୋଗ ଜଣାଇ ନୟନ୍ତ ହୋଇ ପଡିଛନ୍ତି । ତେବେ ବେଦନାଙ୍କ ବେଦନା ଶୁଣି ପାରୁନାହାନ୍ତି କେହି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ନିର୍ଦ୍ଦେଶ ଆସିଲେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ମୋଟୁ ତହସିଲର ଅତିରିକ୍ତ ତହସିଲଦାର । ତେବେ ସବୁ ନିର୍ଦ୍ଦେଶକୁ ବେଖାତିର କରି ଯୋର ଯାହାର ମୁଲକ ତାହାର ନିତି ଆପଣେଇଛି ବି.ଏସ.ଏଫ୍ ।