ଐଶ୍ୱର୍ଯ୍ୟା ହେବେ ଲାଲୁଙ୍କ ଘରର ବୋହୂ ! ଖୁବଶୀଘ୍ର ବାହାହେବେ ଲାଲୁଙ୍କ ବଡ଼ ପୁଅ ତେଜପ୍ରତାପ

48

ଲାଲୁଙ୍କ ଘରେ ବାଜିବ ସାହାନାଈ । ଜେଲରେ ଥିବା ଲାଲୁଙ୍କ ପାଇଁ ଖୁସି ଆଣିଛି ବଡ ପୁଅର ବାହାଘର ଖବର । ଲାଲୁଙ୍କ ବଡ଼ ପୁଅ ତେଜ ପ୍ରତାପଙ୍କ ଝିଅ ଖୋଜା ସରିଛି ବୋଲି ସୂଚନା ମିଳିଛି । ପରସାରୁ ଆରଜେଡି ବିଧାୟକ ଥିବା ଚନ୍ଦ୍ରିକା ରାୟଙ୍କ ଝିଅ ଐଶ୍ୱର୍ଯ୍ୟାଙ୍କ ସହ ତେଜ ପ୍ରତାପଙ୍କ ବାହାଘର ସ୍ଥିର ହୋଇଥିବାର ଖବର ସାମ୍ନାକୁ ଆସୁଛି । ମିଳିଥିବା ଖବର ଅନୁଯାୟୀ, ଏହି ମାସରେ ତେଜ ପ୍ରତାପଙ୍କ ନିର୍ବନ୍ଧ ହୋଇପାରେ । ୧୮ ଏପ୍ରିଲରେ ତେଜପ୍ରତାପଙ୍କ ନିର୍ବନ୍ଧ ହେବାକୁ ଥିବା ବେଳେ ଆସନ୍ତା ମାସ ୧୨ ତାରିଖରେ ହାତକୁ ଦୁଇ ହାତ ହୋଇପାରନ୍ତି ଲାଲୁଙ୍କ ଲାଡଲା ।

ତେଜପ୍ରତାପଙ୍କୁ ବିବାହ କରୁଥିବା ଐଶ୍ୱର୍ଯ୍ୟା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦରୋଗା ରାୟଙ୍କର ନାତୁଣୀ । ଏବେ ତାଙ୍କ ପରିବାର ଦିଲ୍ଲୀରେ ରହୁଛନ୍ତି । ଐଶ୍ୱର୍ଯ୍ୟା ପାଟନାରୁ ସ୍କୁଲ ଶିକ୍ଷା ଶେଷ କରିବା ପରେ ଦିଲ୍ଲୀରେ ସ୍ନାତକ ଶିକ୍ଷା ଶେଷ କରିଛନ୍ତି । ତେଜପ୍ରତାପ ଏବେ ବିଧାୟକ ଥିବା ବେଳେ ତାଙ୍କ ବାହାଘର ଖବର ଖୁବଶୀଘ୍ର ସମସ୍ତଙ୍କୁ ମିଳିଯିବ ବୋଲି କହିଛନ୍ତି ଆରଜେଡି ପ୍ରବକ୍ତା ଶକ୍ତି ସିଂହ ଯାଦବ । ଏନେଇ ଖୁବଶୀଘ୍ର ଲାଲୁଙ୍କ ପରିବାର ପକ୍ଷରୁ ଜଣାଇ ଦିଆଯିବ ।