ରାଂଚିସ୍ଥିତ ସ୍ୱତନ୍ତ୍ର ସିବିଆଇ କୋର୍ଟରେ ଜାମିନ ଆବେଦନ କଲେ ଲାଲୁ ଯାଦବ : ସ୍ୱାସ୍ଥ୍ୟଗତ ସମସ୍ୟା ଦର୍ଶାଇ ସର୍ବନିମ୍ନ ସଜା ପାଇଁ ଆବେଦନ କଲେ ଆରଜେଡି ସୁପ୍ରିମୋ

33

କନକ ବ୍ୟୁରୋ : ରାଂଚିସ୍ଥିତ ସ୍ୱତନ୍ତ୍ର ସିବିଆଇ କୋର୍ଟରେ ଜାମିନ ଆବେଦନ କଲେ ଲାଲୁ ପ୍ରସାଦ ଯାଦବ । ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଜାମିନ ପାଇଁ କୋର୍ଟଙ୍କୁ ଅନୁରୋଧ କରିଛନ୍ତି ଆରଜେଡି ସୁପ୍ରିମୋ । ଏଥିସହ କୋର୍ଟରେ ମେଡିକାଲ ରିପୋର୍ଟ ଦାଖଲ କରି ସର୍ବନିମ୍ନ ସଜା ପାଇଁ ଅନୁରୋଧ କରିଛନ୍ତି । ଜେଲରେ ଆବଶ୍ୟକ ସ୍ୱସ୍ଥ୍ୟସେବା ମିଳୁନଥିବା ମଧ୍ୟ ସେ କୋର୍ଟରେ ଅଭିଯୋଗ କରିଛନ୍ତି । ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁପ୍ରସାଦ ଯାଦବଙ୍କ ବିରୋଧରେ ଆଜି ଦଣ୍ଡାଦେଶ କରିବେ ସ୍ୱତନ୍ତ୍ର ସିବିଆଇ କୋର୍ଟ। ବହୁ ଚର୍ଚ୍ଚିତ ଗୋଖାଦ୍ୟ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଲାଲୁ ଯାଦଙ୍କ ସମେତ ଅନ୍ୟ ୧୪ ଜଣଙ୍କ ବିରୋଧରେ କୋର୍ଟ ଦଣ୍ଡ ଶୁଣାଇବେ । ଭିଡିଓ କନଫରେନ୍ସିଂ ଜରିଆରେ ଲାଲୁଙ୍କୁ ସଜା ଶୁଣାଇବେ ସ୍ୱତନ୍ତ୍ର ସିବିଆଇ କୋର୍ଟ । ଗତକାଲି ଏନେଇ ରାୟ ଆସିବାର ଥିଲା । ଏଥିପାଇଁ ବିର୍ଶାମୁଣ୍ଡା କେନ୍ଦ୍ରୀୟ କାରାଗାରରୁ ଯାଇ ପ୍ରତ୍ୟକ୍ଷ ଭାବେ ଲାଲୁ କୋର୍ଟରେ ହାଜର ହୋଇଥିଲେ । ହେଲେ ସିବିଆଇ ସ୍ୱତନ୍ତ୍ର ଅଦାଲତ ଆଜି ପାଇଁ ଦଣ୍ଡ ଶୁଣାଣିକୁ ସ୍ଥଗିତ ରଖିଥିଲେ । ଏହି ମାମଲାରେ ଲାଲୁଙ୍କୁ ସର୍ବାଧିକ ୭ ବର୍ଷ ଓ ସର୍ବନିମ୍ନ ୧ ବର୍ଷ ଜେଲ ଦଣ୍ଡାଦେଶ ହୋଇପାରେ ।

୧୯୯୦ରୁ ୧୯୯୪ ମଧ୍ୟରେ ବିହାରର ଦେଓଘର ସରକାରୀ ତହବିଲରୁ ଜାଲ କାଗଜପତ୍ର ମାଧ୍ୟମରେ ସାଢେ ୮୪ ଲକ୍ଷ ଟଙ୍କା ହଡପ ଅଭିଯୋଗରେ ଲାଲୁଙ୍କୁ ଡିସେମ୍ବର ୨୩ ତାରିଖରେ ଦୋଷୀ ସାବ୍ୟସ୍ତ କରିଥିଲେ ସିବିଆଇ ସ୍ୱତନ୍ତ୍ର ଅଦାଲତ । ଏହାପରେ ଲାଲୁ ପ୍ରସାଦ ଯାଦବଙ୍କୁ ରାଂଚି ବିର୍ଶାମୁଣ୍ଡା କେନ୍ଦ୍ରୀୟ କାରାଗାରକୁ ପଠାଇ ଦିଆଯାଇଥିଲା ।