ରାଂଚି ହଟୱାର କେନ୍ଦ୍ରୀୟ କାରାଗାରର କଏଦୀ ନମ୍ବର ୩ହଜାର ୩ଶହ ୫୧ ଲାଲୁ ଯାଦବ । ଜେଲରେ ଦିଆଯାଇଛି କାଠ ଖଟିଆ ଓ ମଶାରୀ । ଟିଭିରେ କେବଳ ଦୁରଦର୍ଶନ ଦେଖୁଛନ୍ତି ଆରଜେଡି ସୁପ୍ରିମୋ

26

କନକ ବ୍ୟୁରୋ : ପୂର୍ବତନ ମନ୍ତ୍ରୀ ତଥା ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ନୂଆ ପରିଚୟ । ସେ ଏବେ ରାଂଚି ହଟୱାର କେନ୍ଦ୍ରୀୟ ଜେଲର କଏଦୀ ନମ୍ବର ୩ ହଜାର ୩ଶହ ୫୧ । ଗତ ଶନିବାର ଗୋଖାଦ୍ୟ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ ଲାଲୁ । ତେବେ ଲାଲୁଙ୍କ ପାଖ ୱାର୍ଡରେ ମଧ୍ୟ ଅନ୍ୟ ୬ ଭିଆଇପି କଏଦୀ ରହୁଛନ୍ତି ।

ମିଳିଥିବା ସୂଚନା ଅନୁସାରେ ଲାଲୁଙ୍କ ପାଇଁ ଭିନ୍ନ କୋଠରୀ ରହିଥିବାବେଳେ ତାଙ୍କୁ ଏକ କାଠର ଖଟ, ମଶାରୀ ଓ ଟିଭି ସେଟ୍ ଦିଆଯାଇଛି । ଆଉ ଟିଭିରେ କେବଳ ଦୁରଦର୍ଶନ ଦେଖିବାର ବ୍ୟବସ୍ଥା ଅଛି । ଅର୍ଥାତ କଏଦୀଙ୍କୁ କେବୁଲ କନେକ୍ସନ ଦିଆଯାଇ ନଥିବାରୁ ଅନ୍ୟ ଘରୋଇ ଚ୍ୟାନେଲ ଦେଖିବାର ବ୍ୟବସ୍ଥା ନାହିଁ । ଲାଲୁଙ୍କୁ ଜେଲ ମାନୁଆଲ ବିଷୟରେ ଅବଗତ କରାଇଛନ୍ତି ଜେଲ କର୍ତୃପକ୍ଷ ।

ସପ୍ତାହକୁ କଏଦୀଙ୍କୁ ମାତ୍ର ୩ ଜଣ ଭେଟି ପାରିବେ ବୋଲି ବ୍ୟବସ୍ଥା ଥିବାବେଳେ ଲାଲୁ ଜେଲରେ ପହଂଚିବାର ମାତ୍ର କେଇ ଘଂଟା ମଧ୍ୟରେ ଏହି କୋଟା ଶେଷ ହୋଇଥିଲା । ଏହାପରେ ଯେତେବେଳେ ଅନ୍ୟମାନଙ୍କୁ ତାଙ୍କୁ ଭେଟିବାକୁ ଦିଆଯାଇ ନଥିଲା ଲାଲୁ ପଚାରିବାରୁ ତାଙ୍କୁ ଜେଲ ମାନୁଆଲ ବିଷୟରେ ଅବଗତ କରିଥିଲେ ଜେଲର । ୨୦୧୩ ଅକ୍ଟୋବରରେ ମଧ୍ୟ ଲାଲୁ ଦୋଷୀ ସାବ୍ୟସ୍ତ ହୋଇ ଜେଲ ଯାଇଥିଲେ ।