ପାଟଣା ଗାନ୍ଧି ମୈଦାନରେ ଲାଲୁଙ୍କ ଶକ୍ତି ପ୍ରଦର୍ଶନ ! ରାଲିରେ ବିରୋଧୀଙ୍କ ସହ ସାମିଲ ହୋଇଛନ୍ତି ଶରଦ୍ ଯାଦବ

18

କନକ ବ୍ୟୁରୋ : ପାଟଣାରେ ଲାଲୁଙ୍କ ଶକ୍ତି ପ୍ରଦର୍ଶନ । ଆଜି ପାଟଣା ଗାନ୍ଧି ମୈଦାନରେ ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ କରିଛନ୍ତି ବିଶାଳ ରାଲି । ବିଜେପିକୁ ବିରୋଧ କରି ଆୟୋଜିତ ହୋଇଛି ମହାରାଲି ‘ବିଜେପି ଭଗାଓ ଦେଶ ବଚାଓ ଅଭିଯାନ’ । ଲାଲୁଙ୍କ ଡାକରାରେ ଏହି ରାଲିରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି, ୟୁପିର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ, ଜେଡିୟୁର ପୂର୍ବତନ ଅଧ୍ୟକ୍ଷ ତଥା ସାଂସଦ ଶରଦ ଯାଦବ, କଂଗ୍ରେସର ବରିଷ୍ଠ ନେତା ଗୁଲାମନବୀ ଆଜାଦ ଯୋଗ ଦେଇଛନ୍ତି ।

ରାଲିକୁ ସଫଳ କରିବା ପାଇଁ ରାଜ୍ୟର କୋଣ ଅନୁକୋଣରୁ ଆରଜେଡି କର୍ମୀଙ୍କୁ ଆଣିଛନ୍ତି ନିଜେ ତେଜସ୍ୱୀ ଯାଦବ । ବାଜା ବଜାଇ ବିରାଟ ପଟୁଆରରେ ଗାନ୍ଧି ମୈଦାନରେ ପହଂଚିଛନ୍ତି ଆରଜେଡିର ହଜାର ହଜାର ସମର୍ଥକ । ସବୁଜ ରଙ୍ଗର ପୋଷ୍ଟରରେ ଛାଇଯାଇଛି ପାଟଣା ସହର । ଏଥିପାଇଁ ସମସ୍ତ ପ୍ରସ୍ତୁତିର ଅନୁଧ୍ୟାନ ଲାଲୁଙ୍କ ପୁଅ ତଥା ବିହାରର ପୂର୍ବତନ ଉପମ୍ରୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ନିଜେ କରିଛନ୍ତି । ଏହି ମହାରାଲିରେ ବିଜେପି ସହ ମୋଦି ଓ ନୀତୀଶଙ୍କ ବିରୋଧରେ ବିହାରବାସୀ ଆକ୍ରୋଶ ଜାହିର କରିଛନ୍ତି ବୋଲି ଲାଲୁ କହିଛନ୍ତି । ଏହା ସହ ଜନତାଙ୍କ ଭିଡ ଦେଖି ବିରୋଧୀ ଲୁଚି ଯାଇଛନ୍ତି ବୋଲି କହିଛନ୍ତି ଲାଲୁଙ୍କ ପତ୍ନୀ ତଥା ପୂର୍ବତନ ବିହାର ମୁଖ୍ୟମନ୍ତ୍ରୀ ରାବଡି ଦେବୀ ।