ଲାଲୁଙ୍କୁ ମିଳିବ ମାସକୁ ୧୦ ହଜାର ଟଙ୍କାର ପେନସନ୍ : ବିହାର ସରକାର ଦେଲେ ଅନୁମୋଦନ

53

କନକ ବ୍ୟୁରୋ : ଲାଲୁ ପ୍ରସାଦ ଯାଦବ ପାଇବେ ପେନସନ୍ । ଦଶ ହଜାର ଟଙ୍କା ପେନସନ ପାଇବା ପାଇଁ ଦୁଇ ଦୁଇ ଥର ମୁଖ୍ୟମନ୍ତ୍ରୀ ଥିବା ତଥା ଆରଜେଡି ସୁପ୍ରିମୋ ଲାଲୁ ଯାଦବ ବିହାର ସରକାରଙ୍କୁ ଆବେଦନ କରିଛନ୍ତି । ଗୁରୁତ୍ୱପୂର୍ଣ କଥା ହେଉଛି ବିହାରରେ ଜେଡିୟୁ ଓ ଲାଲୁଙ୍କ ଆରଜେଡି ମେଂଟ ସରକାର ବି ଏହାକୁ ଅନୁମୋଦନ କରିଛନ୍ତି ।

୧୯୭୫ ଜରୁରୀକାଳୀନ ପରିସ୍ଥିତି ବେଳେ ଯେଉଁମାନେ ଲୋକନାୟକ ଜୟପ୍ରକାଶ ନାରାୟଣଙ୍କ ଆନ୍ଦୋଳନରେ ସାମିଲ ହୋଇ ଜେଲ୍ ଯାଇଥିଲେ ସେମାନେ ଜେପି ସେନାନୀ ସମ୍ମାନ ସହ ଏ ପେନସନ୍ ପାଇବା ନେଇ ୨୦୦୯ରେ ବିହାର ସରକାର ନିଷ୍ପତି ନେଇଥିଲେ ।

ବିହାରର ବର୍ତମାନର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସମେତ ସେତେବେଳେ ଛାତ୍ର ଥିବା ଲାଲୁ ପ୍ରସାଦ ଯାଦବ ଏ ଆନ୍ଦୋଳନରେ ସାମିଲ ଥିବାରୁ ମିଶା ଆଇନ୍ ବଳରେ ଗିରଫ ହୋଇ ୧୯୭୫ରେ ଜେଲ୍ ଯାଇଥିଲେ । ଏପରିକି ନିଜ ବଡ଼ଝିଅର ନାଁ ମିଶା ରଖିଥିଲେ ଲାଲୁ । ନିଷ୍ପତି ଅନୁସାରେ ୬ ମାସରୁ କମ୍ କାରାବରଣ କରିଥିଲେ ମାସିକ ୫ ହଜାର ଟଙ୍କା ଓ ୬ ମାସରୁ ଅଧିକ ଜେଲରେ ରହିଥିଲେ ମାସକୁ ୧୦ ହଜାର ଟଙ୍କା ପେନସନ ଦିଆଯିବ ।

ଏ ଆଧାରରେ ଲାଲୁ ୧୦ ହଜାର ଟଙ୍କା ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି । ବିହାରରେ ୩ ହଜାର ୧୦୦ ଜଣ ଜେପି ସେନାନୀ ପେନସନ ପାଉଛନ୍ତି । ବରିଷ୍ଠ ବିଜେପି ନେତା ସୁଶୀଲ ମୋଦି କିନ୍ତୁ ପେନସନ ଗ୍ରହଣ କରୁନାହାଁନ୍ତି ।