ଭୋଟ୍ ପେଡିର ପୁରୁଣା କଥା । ଓଡିଆ ସଂଗୀତ ଜଗତର ବାଦଶାହଙ୍କ ବାପା ଥିଲେ ବାଚସ୍ପତି ।

ସ୍ୱାଧୀନତା ପୂର୍ବରୁ ଅନୁଷ୍ଠିତ ହୋଇଥିବା ୧୯୪୬ ମସିହା ନିର୍ବାଚନରେ ସେ ବିଧାନସଭାକୁ ନିର୍ବାଚିତ ହୋଇ ଆସି ବାଚସ୍ପତି ପଦମଣ୍ଡନ କରିଥିଲେ।

137
କନକ ବ୍ୟୁରୋ: ‘ରେ ଆତ୍ମନ୍, ନିଦ୍ରା ପରିହରିଟ୍ଟ’, ‘କେଉଁ ନାମଧରି ଡାକିବୁ ତୁମକୁଟ୍ଟ’, ‘ମାଝିରେଟ୍ଟ’, ‘ଏଇ ଜୀବନଟା ଏକ ନାଟକଟ୍ଟ’, ‘ସୀମାହୀନ ଦରିଆଟ୍ଟ’ ତାଙ୍କର ହିଟ୍ ଗୀତର ଶେଷ ନାହିଁ । ଭଜନ ହେଉ ବା ଗଜଲ, ପଲ୍ଲୀ ଗୀତ ବା ଶାସ୍ତ୍ରୀୟ ସଂଗୀତ ସବୁପ୍ରକାର ଗୀତଗାଇ ସେ ଓଡ଼ିଆମାନଙ୍କ ହୃଦୟର ବାଦଶାହ। ସେ ହେଲେ ସମ୍ମାନଜନକ ‘ଜୟଦେବ ପୁରସ୍କାର’ ବିଜେତା ଗାୟକ ପ୍ରଣବ ପଟ୍ଟନାୟକ। କିନ୍ତୁ କୌତୂହଳର କଥା ହେଲା, ତାଙ୍କ ପରିବାରର ଓଡ଼ିଶାର ରାଜନୀତି ସହ ଘନିଷ୍ଠ ସମ୍ପର୍କ ରହିଛି ।

ପ୍ରଣବଙ୍କ ବାପା ଲାଲମୋହନ ପଟ୍ଟନାୟକ ଥିଲେ ଓଡ଼ିଶା ବିଧାନସଭାର ଦ୍ଵିତୀୟ ବାଚସ୍ପତି । ସ୍ୱାଧୀନତା ପୂର୍ବରୁ ଅନୁଷ୍ଠିତ ହୋଇଥିବା ୧୯୪୬ ମସିହା ନିର୍ବାଚନରେ ସେ ବିଧାନସଭାକୁ ନିର୍ବାଚିତ ହୋଇ ଆସି ବାଚସ୍ପତି ପଦମଣ୍ଡନ କରିଥିଲେ। ଲାଲମୋହନ ପଟ୍ଟନାୟକଙ୍କର ଜନ୍ମ ୧୮୯୧ ମସିହାରେ ତତ୍କାଳୀନ ମାଡ୍ରାସ ପ୍ରେସିଡେନସୀ ଅନ୍ତର୍ଗତ ଶ୍ରୀକାକୁଲମ୍ ଜିଲ୍ଲାର ବୁଦ୍ଧରସିଙ୍ଗ ଗ୍ରାମର ଏକ ଜମିଦାର ପରିବାରରେ ହୋଇଥିଲା । ବ୍ରହ୍ମପୁରର ଖଲ୍ଲିକୋଟ କଲେଜିଏଟ୍ ହାଇସ୍କୁଲରୁ ମାଟ୍ରିକ ପାସ୍ କଲାପରେ ସେ ମାଡ୍ରାସ ଓ କଲିକତା ଯାଇ ବି.ଏ., ବି.ଏଲ୍., ପାସ୍ କରିଥିଲେ। ଏହାପରେ ସେ ବ୍ରହ୍ମପୁର ସହରରେ ଓକିଲାତି ଆରମ୍ଭ କରି ବେଶ୍ ନାମ କମାଇଲେ। ଭି.ଭି. ଗିରି, ସାର୍ ଏ. ପର୍ଶୁରାମ ପାତ୍ର, ବିଶ୍ୱନାଥ ଦାସ ଓ ଲିଙ୍ଗରାଜ ପାଣିଗ୍ରାହୀ ପ୍ରମୁଖ ଥିଲେ ତାଙ୍କ ସହକର୍ମୀ ଓକିଲ।
୧୯୨୧ ମସିହାରେ ସେ ଭାରତୀୟ ଜାତୀୟ କଂଗ୍ରେସରେ ଯୋଗଦେବା ପରଠାରୁ ସ୍ୱାଧୀନତା ଆନ୍ଦୋଳନ ସହିତ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଆନ୍ଦୋଳନରେ ମଧ୍ୟ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ। ଏହି ସମୟରେ ସେ ଖ୍ରୀଷ୍ଟଧର୍ମ ପ୍ରତି ଆକୃଷ୍ଟ ହୋଇ ଖ୍ରୀଷ୍ଟଧର୍ମ ଗ୍ରହଣ କଲେ ଏବଂ ମିଶନାରୀ କାର୍ଯ୍ୟରେ ମନୋନିବେଶ କଲେ। ଓଡ଼ିଶା ବିଧାନସଭାରେ ସେତେବେଳେ ଖ୍ରୀଷ୍ଟିଆନମାନଙ୍କ ପାଇଁ ଗୋଟିଏ ଆସନ ସଂରକ୍ଷିତ ଥାଏ। ଲାଲମୋହନ ୧୯୪୬ ମସିହା ନିର୍ବାଚନରେ ଏହି ସଂରକ୍ଷିତ ଆସନରୁ କଂଗ୍ରେସ ପ୍ରାର୍ଥୀ ରୂପେ ନିର୍ବାଚିତ ହୋଇ ଆସିବା ପରେ ବିଧାନସଭାର ବାଚସ୍ପତି ପଦ ମଣ୍ଡନ କଲେ । ୧୯୪୬ ମସିହା ମେ ୨୯ ତାରିଖଠାରୁ ୧୯୫୨ ମାର୍ଚ୍ଚ ୬ ତାରିଖ ପର‌୍ୟ୍ୟନ୍ତ ସେ ଏହି ପଦବୀରେ ରହିଥିଲେ। ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଭାରତ ସ୍ୱାଧୀନ ହେଲା ଓ ଓଡ଼ିଶା ସହିତ ଗଡ଼ଜାତ ରାଜ୍ୟଗୁଡ଼ିକର ମିଶ୍ରଣ ମଧ୍ୟ ହେଲା। ଏହି ଘଡ଼ିସନ୍ଧି ସମୟରେ ବିଧାନସଭାର ସୁଚାରୁ ପରିଚାଳନା କରି ସେ ସମସ୍ତଙ୍କର ପ୍ରିୟଭାଜନ ହୋଇଥିଲେ। ତତ୍କାଳୀନ ମୁଖ୍ୟମନ୍ତ୍ରୀ ଡକ୍ଟର ହରେକୃଷ୍ଣ ମହତାବଙ୍କ ଭାଷାରେ ଲାଲମୋହନ ଥିଲେ ଓଡ଼ିଶା ରାଜନୀତିର ଏହି ଅଶାନ୍ତ କାଳଖଣ୍ଡର ଜଣେ ଅନନ୍ୟ ଶାନ୍ତିଦୂତ।
ସେ ଓଡ଼ିଆ ଭକ୍ତି ସଂଗୀତ ଗାଇବା ଓ ଶୁଣିବାକୁ ଭଲପାଉଥିଲେଏବଂ ନିଜର ପିଲାମାନଙ୍କ ସଂଗୀତ ଶିକ୍ଷା ପାଇଁ ସମସ୍ତ ବ୍ୟବସ୍ଥା ମଧ୍ୟ କରିଥିଲେ। ତାଙ୍କର ପାଞ୍ଚ ଝିଅ ଓ ଦୁଇ ପୁଅଙ୍କ ମଧ୍ୟରୁ ସାନପୁଅ ପ୍ରଣବ ଓ କନ୍ୟା ସ୍ୱୀକୃତି ସଂଗୀତରେ ବେଶ୍ ପାରଦର୍ଶିତା ହାସଲ କଲେ। ଓଡ଼ିଆ ଭାଷା ଓ ସଂସ୍କୃତିର ସୁରକ୍ଷା ତଥା ଓଡ଼ିଶାଭାଷୀ ଅଞ୍ଚଳଗୁଡ଼ିକର ମିଶ୍ରଣ ପାଇଁ ଉତ୍ସର୍ଗୀକୃତ ଲାଲମୋହନ ସମକାଳୀନ ଇତିହାସକୁ ଆଧାର କରି ‘ରିସରେକ୍ଟେଡ଼୍ ଓଡ଼ିଶା’ (୧୯୪୧) ନାମରେ ଏକ ଇଂରାଜୀ ପୁସ୍ତକ ରଚନା କରିଥିଲେ। ଏହାଛଡ଼ା ବାଚସ୍ପତି ଥିବା ସମୟରେ ସେ ଖ୍ରୀଷ୍ଟଧର୍ମ ଦର୍ଶନ ସମ୍ବଳିତ କବିତା ପୁସ୍ତକ ‘ଜୀବନ ଚମ୍ପୂ’ (୧୯୪୭), ‘ବନ୍ଦନା’ (୧୯୪୯) ଓ ‘ଦିବ୍ୟକୋଇଲି’ ରଚନା କରିଛନ୍ତି।
ରାଜନୀତି, ସମାଜସେବା ଓ ସଂଗୀତ ପ୍ରତି ଶ୍ରଦ୍ଧା ଲାଲମୋହନଙ୍କ ପରିବାରର ପ୍ରତ୍ୟେକ ସଦସ୍ୟଙ୍କ ଶିରାପ୍ରଶିରାରେ ଭରିରହିଛି। ପ୍ରଣବ ସିନା ନିର୍ବାଚନ ରାଜନୀତିରେ ଆଗ୍ରହ ପ୍ରକାଶ କଲେନାହିଁ, କିନ୍ତୁ ଲାଲମୋହନଙ୍କ ଝିଅ ତଥା ବ୍ରିଗେଡିୟର୍ ସଂଗ୍ରାମକେଶରୀ ରାୟଙ୍କ ପତ୍ନୀ ସୁଧାଂଶୁମାଳିନୀ ରାୟ ୧୯୭୪ ମସିହା ବିଧାନସଭା ନିର୍ବାଚନରେ ଗୋବିନ୍ଦପୁର ଆସନରୁ କଂଗ୍ରେସ ଟିକେଟରେ ବିଜୟୀ ହୋଇଥିଲେ।
ଲାଲମୋହନ ଥିଲେ ଶାନ୍ତି ଓ ସର୍ବଧର୍ମ ସମନ୍ଵୟ ପାଇଁ ସମର୍ପିତ ଏକ ଅନନ୍ୟ ବ୍ୟକ୍ତିତ୍ଵ। ଓଡ଼ିଶା ପୁନରୁତ୍ଥାନର ଏକ ଅମୃତ ବିନ୍ଧାଣୀ। ଆକାଶବାଣୀ ଦ୍ଵାରା ପ୍ରସ୍ତୁତ ତଥା ପୁଅ ପ୍ରଣବଙ୍କ କଣ୍ଠରେ ସଂଗୀତ ରୂପ ପାଇଥିବା ତାଙ୍କ ରଚିତ ‘ଜୀବନ ଚମ୍ପୂ’ର ପ୍ରତ୍ୟେକଟି ଗୀତରେ ଏହି ଦିବ୍ୟ ଭାବନା ପ୍ରତିଫଳିତ ହୁଏ।

Comments are closed.