ଓଡ଼ିଶାରେ କୋଷ୍ଟାଲ ହାଇୱେ ନିର୍ମାଣ ପ୍ରସଙ୍ଗକୁ ନେଇ ବିଜେଡ଼ିକୁ ଟାର୍ଗେଟ : ବିଜେପିର ଅଭିଯୋଗ, ରାଜ୍ୟ ସରକାରଙ୍କ ଯୋଗୁଁ ଅଟକି ରହିଛି କାମ 

120

କନକ ବ୍ୟୁରୋ : ଓଡ଼ିଶାରେ କୋଷ୍ଟାଲ ହାଇୱେ ନିର୍ମାଣ ହେବାରେ ବିଳମ୍ବ ହେଉଛି । ଆଉ ଏଥିପାଇଁ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ବିଜେପି । ସ୍ୱର୍ଗତ ଲୁଲୁ ମହାପାତ୍ରଙ୍କ ଭାଇ ତଥା ବିଜେପି ନେତା ଲଳିତେନ୍ଦୁ ମହାପାତ୍ର ଏନେଇ ଆଜି ନିଜର ପ୍ରତିକ୍ରିୟା ରଖିଛନ୍ତି । ସୂଚନାଯୋଗ୍ୟ ଲୁଲୁ ମହାପାତ୍ରଙ୍କ ମୃତ୍ୟୁ ପରେ ଲୁଲୁଙ୍କ ଝିଅ ଉପାସନା ଓ ଭାଇ ଲଳିତେନ୍ଦୁଙ୍କ ସହ ଲୁଲୁ ସମର୍ଥକମାନେ ବିଜେପିରେ ମିଶିଥିଲେ ।

ତେବେ ଲଳିତେନ୍ଦୁ ମହାପାତ୍ର ଆଜି ଏପ୍ରସଙ୍ଗରେ ବିଜେଡ଼ି ବିଧାୟକ ସଞ୍ଜୟ ଦାସବର୍ମା ଦେଇଥିବା ବିବୃତିକୁ ନେଇ ଟାର୍ଗେଟ କରିଛନ୍ତି ।  ସେ କହିଛନ୍ତି, କୋଷ୍ଟାଲ ହାଇୱେ ଓ ଚିଲିକା ଉପରେ ବ୍ରିଜକୁ ନେଇ ସଞ୍ଜୟ ଦାସବର୍ମା ବିଭ୍ରାନ୍ତିକର ମତ ଦେଇଥିଲେ । ସଞ୍ଜୟ ଦାସବର୍ମା ୨୦୧୬ ମସିହାରେ ମନ୍ତ୍ରୀ ଥିବା ସମୟରେ କୋଷ୍ଟାଲ ହାଇୱେର କିଛି ପରିବର୍ତ୍ତନ କରିବା ପାଇଁ ଚାହିଁଥିଲେ । ଆଉ ତାଙ୍କର ଅନୁମୋଦନ କ୍ରମରେ ସେଥିରେ ପରିବର୍ତ୍ତନ ମଧ୍ୟ ହୋଇଥିଲା । ୪ ମାସ ପରେ ସେ ପୁଣି ଆଉ ଥରେ ସେଥିରେ ପରିବର୍ତ୍ତନ ଚାହିଁଥିଲେ । ସେଥିରେ ମଧ୍ୟ ନ୍ୟାସନାଲ ହାଇୱେ ଅଥରିଟି ତାଙ୍କୁ ସହମତି ପ୍ରଦା କରିଥିଲା । ଏବଂ ପରିବର୍ତ୍ତନ ହୋଇଥିଲା । କିନ୍ତୁ ଏହି ପ୍ରକ୍ରିୟାରେ କୋଷ୍ଟାଲ ହାଇୱେର କାମ ବିଳମ୍ବ ହେଉଥିଲା । ଲୋକଙ୍କୁ ସ୍ୱାର୍ଥକୁ ଦୃଷ୍ଟି ନଦେଇ ବିଭିନ୍ନ ପରିବର୍ତ୍ତନ କରୁଥିଲା ବିଜେଡ଼ି । ଆଉ ପରିବର୍ତ୍ତି ଅବସ୍ତାରେ ପୁରୀର ମନ୍ତ୍ରୀ ମହେଶ୍ୱର ମହାନ୍ତି ପୁରୀ ଜିଲ୍ଲାରେ ପୁଣି କିଛି ପରିବର୍ତ୍ତନ ଚାହିିଁଥିଲେ ।

ଲଳିତେନ୍ଦୁ କହିଛନ୍ତି, କୋଷ୍ଟାଲ ହାଇୱେର ଶୀଘ୍ର କାମ ହେଲେ ପୁରୀ ଓ ବ୍ରହ୍ମଗିରି ଅଂଳଳର ଲୋକେ ଉପକୃତ ହୋଇପାରିବେ । ଦୁଇ ଜଣ ମନ୍ତ୍ରୀ ଗୋଟିଏ ଜିଲ୍ଲାର ହେଲେ ମଧ୍ୟ ବାରମ୍ବାର ଏପରି ପରିସ୍ଥିତି ଯୋଗୁଁ କାମ ଅଟକି ରହୁଛି । ଯେଉଁଥିରୁ ସ୍ୱଷ୍ଟ ଜଣାପଡ଼ୁଛି ସେମାନେ ପୁରୀ ଜିଲ୍ଲାର ବିକାଶ ଚାହୁଁନାହାନ୍ତି । କୋଷ୍ଟାଲ ହାଇୱେ ଓ ଚିଲିକା ଉପରେ ବ୍ରିଜ୍ କିପରି ନହୋଇପାରିବ ସେନେଇ ବିଜେଡ଼ି ପ୍ରତିବନ୍ଧକ ସାଜୁଛି । ସବୁବେଳେ ଓଡ଼ିଶା ବାସୀଙ୍କ ବିକାଶର କଥା କହିଲେ କ’ଣ ହେବ, ନିଜ ଅଂଚଳର ଦୀର୍ଘ ଦିନର ଦାବି ପୂରଣ କରିପାରିନାହାନ୍ତି । ବିପଦସଙ୍କୁଳ ଭାବେ ଲୋକେ ଯାତାୟତ କଲେ ମଧ୍ୟ ସେଥିପ୍ରତି ରାଜ୍ୟ ସରକାରଙ୍କ ନିଘା ନାହିଁ । ବିଜେଡ଼ି କେନ୍ଦ୍ର ସରକାରକଙ୍କୁ ପରିକଳ୍ପନାକୁ ବନ୍ଦ କରିବା ପାଇଁ ଉଦ୍ୟମ କରୁଛି ବୋଲି ଅଭିଯୋଗ କରିଛନ୍ତି ଲଳିତେନ୍ଦୁ । କୋଷ୍ଟାଲ ହାଇୱେ ପାଇଁ ସରକାରଙ୍କ ଠାରୁ କିଛି ଅନୁମତି ମଗାଯାଇଛି । କିନ୍ତୁ ଏଯାଏଁ ଅନୁମତି ମିଳିନାହିଁ । ଅନୁମୋଦନ ଉପରେ କିଏ ରୋକ ଲଗାଇଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ଲଳିତେନ୍ଦୁ । ଏହାସହ ରାଜ୍ୟ ସରକାରଙ୍କୁ ଅନୁରୋଧ କରି କହିଛନ୍ତି ୧୫ ଦିନ ଭିତରେ ରାଜ୍ୟ ସରକାର ଅନୁମତି ଦେଲେ କେନ୍ଦ୍ର ସରକାର ପରବର୍ତ୍ତୀ ୧୫ ଦିନରେ କାର୍ଯ୍ୟର ଶୁଭାରମ୍ଭ କରିବେ ।

ତେବେ ଏହାର ଜବାବରେ ବିଜୁ ଜନତା ଦଳ ମୁଖପାତ୍ର ସସ୍ମିତ ପାତ୍ର ସସ୍ମିତ ପାତ୍ର କହିଛନ୍ତି, ଭାରତୀୟ ଜନତା ପାର୍ଟି ଅଭ୍ୟାସଗତ ନିନ୍ଦୁକ ସାଜିଲେଣି । ପ୍ରତ୍ୟେକ ଦିନ ସକାଳ ହେଲେ କିଛି ନିନ୍ଦା ନକଲେ ତାଙ୍କ ରାଜନୀତି ଆରମ୍ଭ ହେଉନାହିଁ । ଯାହା ଅତ୍ୟନ୍ତ ନିନ୍ଦାଜନକ । ମେକ୍ ଇନ୍ ଓଡ଼ିଶା କଥା ଉଠିଲେ ଦଳ ଇର୍ଷା ଭାବନା ସ୍ପଷ୍ଟ ଭାବେ ବାରିହେଇ ପଡ଼ୁଛି । ଭାରତୀୟ ଜନତା ପାର୍ଟି ଆଉ ସହ୍ୟ କରିବା ସ୍ଥିତିରେ ନାହିଁ । ଓଡ଼ିଶାରେ ଶିଳ୍ପାୟନର ବିକାଶ ଦେଖି ସହିପାରୁନାହିଁ ବିଜେପି ।

୨୦୧୬ରେ ମେକ୍ ଇନ୍ ଓଡ଼ିଶା ଯୋଗୁଁ ୨ ଲକ୍ଷ କୋଟି ଟଙ୍କା ପୁଞ୍ଜିନିବେଶ ଆସିଥିଲା । ସେଥିରୁ ୬୫ ପ୍ରତିଶତ ଭାଗ କାର୍ଯ୍ୟକାରୀ କରିଦେଲେଣି ରାଜ୍ୟ ସରକାର । ନିଜେ ଶିଳ୍ପ ସଚିବ ଏନେଇ ମତ ରଖିଛନ୍ତି । ତେବେ ରାଜ୍ୟ ସରକାରଙ୍କ ପଦକ୍ଷେପ ଯୋଗୁଁ ଓଡ଼ିଶାର ଶିଳ୍ପାୟନରେ ହେଉଥିବା ବିକାଶକୁ ନେଇ ବିଜେପି ଭୟଭୀତ ହେବାରେ ଲାଗିଲେଣି । ସେଥିପାଇଁ ଓଡ଼ିଶାର ବିକଶା ପାଇଁ ଏକାଠି କାମ କରିବା ଜାଗାରେ ବାଧକ ସାଜିଛନ୍ତି  । ମେକ୍ ଇନ୍ ଓଡ଼ିଶା କେବଳ ଦେଶ ନୁହେଁ ବିଦେଶରୁ ମଧ୍ୟ ପୁଞ୍ଜିନିବେଶ ହେଉଛି । ତେବେ ମେକ୍ ଇନ୍ ଓଡ଼ିଶା ୨୦୧୮ରେ ଆଉ ପାଦେ ଆଗକୁ ଯାଇ ଆହୁରି ଅଧିକ ପୁଞ୍ଜିନିବେଶ ଆଶାକରୁଛି । ଯାହା ଲୋକଙ୍କ ପାଇଁ ସହାୟକ ହେବ । ହେଲେ ଏହାକୁ ଦେଖି ସହିପାରୁନି ବିଜେପି ବୋଲି କହିଛନ୍ତି  ସସ୍ମିତ ପାତ୍ର ।