ବାଲିଗୁଡା ଏନକାଉଂଟର ଘଟଣା ସଂପର୍କରେ ଜାଣି ନାହିଁ : ଆଦିବାସୀ କଲ୍ୟାଣ ମନ୍ତ୍ରୀ

22

କନ୍ଧମାଳ : ବାଲିଗୁଡାରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଆଦିବାସୀଙ୍କ ମୃତ୍ୟୁ ଘଟଣାକୁ ୩୬ ଘଂଟା ବିତି ସାରିଲାଣି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଘଟଣାର ବିଚାର ବିଭାଗୀୟ ତଦନ୍ତ ସହ ମୃତକଙ୍କୁ କ୍ଷତିପୂରଣ ଘୋଷଣା କରିସାରିଲେଣି । ହେଲେ ରାଜ୍ୟ ଆଦିବାସୀ କଲ୍ୟାଣ ମନ୍ତ୍ରୀ କହୁଛନ୍ତି, ଘଟଣା ସଂପର୍କରେ ଜାଣି ନାହାନ୍ତି । ଆଜି ଆଦିବାସୀ ଓ ହରିଜନ କଲ୍ୟାଣ ମନ୍ତ୍ରୀ ଲାଲ ବିହାରୀ ହିମରିକାଙ୍କ ପ୍ରତିକ୍ରିୟା ନେଇଥିଲେ ଗଣମାଧ୍ୟମ । ହେଲେ ଆଶ୍ଚର୍ଯ୍ୟଜନକ ଭାବେ ବିଭାଗୀୟ ମନ୍ତ୍ରୀଙ୍କୁ ଏ ସଂପର୍କରେ ଜଣାନାହିଁ । ମନ୍ତ୍ରୀ କହିଛନ୍ତି ଗାଁକୁ ଚାଲିଯାଇଥିଲି, ଆଜି ଭୁବନେଶ୍ୱର ଫେରିବା ପରେ ଜାଣିଲି । ଏନେଇ ବିଭାଗଠାରୁ ଖବର ନେବି । ତେବେ ତାଙ୍କ ସରକାର ଆଦିବାସୀ ବିରୋଧୀ ନୁହେଁ ବୋଲି ସଫେଇ ଦେଇଛନ୍ତି ଲାଲ ବିହାରୀ ହିମରିକା । ବିଭାଗୀୟ ମନ୍ତ୍ରୀଙ୍କ ଏଭଳି ଦାୟିତ୍ୱହୀନ ମନ୍ତବ୍ୟ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏଥିରୁ ଜଣାପଡୁଛି ରାଜ୍ୟରେ କେମିତି ଚାଲିଛି ଆଦିବାସୀ ଓ ହରିଜନଙ୍କ କଲ୍ୟାଣ ବିଭାଗ ।