କାଳୀଙ୍କ ହାତରେ କଇଁଚି ଆଉ ପାନିଆ : ପୁରୁଷ ସେଲୁନରେ କାମ କରୁଛନ୍ତି ଯୁବତୀ, ୮୫ ବର୍ଷ ପୂର୍ବରୁ ଗାନ୍ଧୀଙ୍କୁ ଖିଅର କରିଥିଲେ କାଳୀଙ୍କ ଅଣଜେଜେମା’

455

କନକ ବ୍ୟୁରୋ : ପୁରୁଷ ସମାଜରେ ଯୁବତୀ କାଳୀଙ୍କ ଆଧିପତ୍ୟ । ପୁୁରୁଷ ସେଲୁନରେ କାମ କରୁଛନ୍ତି ସାଲେପୁରର କାଳୀ । କାଳୀଙ୍କ ସାମ୍ନାରେ ମୁଣ୍ଡ ନୁଆଇଁବାକୁ ବାଧ୍ୟ ପୁରୁଷ । ବେଶ ପୋଷାକ ପୁରା ପୁଅ ପିଲାଙ୍କ ପରି । ବେଶପୋଷାକ ସହ ପେସାରେ ମଧ୍ୟ ସେ ପୁରୁଷଙ୍କ ସମକକ୍ଷ । ହାତରେ କଇଁଚି ଓ ପାନିଆ ଧରି ପୁରୁଷ ସେଲୁନରେ ଚୁଟି ଓ ଦାଢ଼ି କାଟୁଛନ୍ତି କାଳୀ । କେବଳ ଏତିକି ନୁହେଁ ଆବଶ୍ୟକ ପଡ଼ିଲେ ଦଶାହ ଶୁଦ୍ଧିକର୍ମ ବି କୀନ୍ତି । ଜଣେ ଯୁବତୀ ହୋଇ ପୁରୁଷ ସମାଜରେ ଏଭଳି ଭିନ୍ନ ବୃତ୍ତି ଆପଣାଇବା ସହ ପରିବାର ଚଳାଉଥବାରୁ ସ୍ଥାନୀୟ ଅଞ୍ଚଳରେ ତାଙ୍କର ସ୍ୱତନ୍ତ୍ର ପରିଚୟ ରହିଛି ।

କଟକ ସାଲେପୁରର କାଳୀ  । ହାତରେ କଇଁଚି ଓ ପାନିଆ । ଫୁଲ ପ୍ୟାଣ୍ଟ୍ ସାଙ୍ଗକୁ ଫୁଲ୍ ସାର୍ଟ । କେଶସଜ୍ଜା ବି ପୁରୁଷ ପରି । ଦୀର୍ଘ ୭ ବର୍ଷ ହେବ ସେଲୁନରେ କାମ କରୁଛନ୍ତି କାଳୀ । ବାପା ନାରାଣୟ ବାରିକ ଜଣେ ପେସାଦାର ଭଣ୍ଡାରୀ । ଛୋଟ ବେଳୁ ବାପାଙ୍କ କାମକୁ ବେଶ ଆଗ୍ରହ ସହକାରେ ନୀରିକ୍ଷଣ କରନ୍ତି । ଛୋଟବେଳୁ ସେ ଏହି ପେଶାରେ ବେଶ୍ ପାରଙ୍ଗମ । କାମ ଶିଖିବା ପରେ ସାଲେପୁର ବହୁଗ୍ରାମା ପଞ୍ଚାୟତରେ ଥିବା ଏକ ସେଲୁନରେ ରହି କାମ ଆରମ୍ଭ କରିଥିଲେ । ମାଟ୍ରିକ ଯାଏଁ ପାଠ ପଢ଼ିଥିବା କାଳୀ ଏବେ ଜଣେ ସମ୍ପୂର୍ଣ୍ଣ ଆତ୍ମନିର୍ଭର ଯୁବତୀ । ମାସିକ ଯାହା ରୋଜଗାର କରନ୍ତି, ନିଜ ଖର୍ଚ୍ଚ ତୁଲାନ୍ତି । ଏବଂ ବାପା ଓ ଦାଦାଙ୍କୁ ସହଯୋଗ ମଧ୍ୟ କରନ୍ତି ।

ତେବେ ଆଉ ବଡ଼ କଥା ହେଲା ସାଲେପୁର ବହୁଗ୍ରାହମ ପଞ୍ଚାୟତର ବହୁ ଚର୍ଚ୍ଚିତ ନଖି ଭଣ୍ଡାରୁଣୀଙ୍କ ଅଣନାତୁଣୀ ହେଊଛି କାଳୀ । ନଖି ୧୯୩୪ ମସିହାରେ କଟକ ଗସ୍ତରେ ଆସିଥିବା ଜାତିର ପିତା ମହାତ୍ମାଗାନ୍ଧୀଙ୍କୁ ଖିଅର କରିଥିଲେ । ଏବଂ ସେହିଦିନର ସମସ୍ତ ରୋଜଗାର ସ୍ୱାଧୀନତା ସଂଗ୍ରାମ ପାଣ୍ଠିକୁ ଦାନ କରିଦେଇଥିଲେ । ଘଟଣାକୁ ବର୍ଷ ବର୍ଷ ବିତିଗଲାଣି । ହେଲେ ଆଜି ବି ନଖି ଭଣ୍ଡାରୁଣୀଙ୍କୁ ସାଲେପୁର ମାଟି ମନେ ରଖିଛି । ତେବେ ତାଙ୍କ କଥା ମନେ ରଖିବା ନରଖିବା ଭିନ୍ନ କଥା । ତାଙ୍କରି ଅଣନାତୁଣୀ, ଅଣଜେଜେମା’ସ୍ମୃତିକୁ ଅଞ୍ଚଳବାସୀଙ୍କ ଆଗରେ ଜୀବନ୍ତ ରଖିବା ସହ ପୁରୁଷ ପ୍ରାଧାନ୍ୟ ସମାଜରେ ପୁରଷଙ୍କ ପେଶାକୁ ଆପଣାଇବା ସବୁଠାରୁ ବଡ଼ କଥା