ନେତାଙ୍କ ପାଦ ପୂଜା ! ମନ୍ତ୍ରୀ ସଂଜୟ ଦାସବର୍ମା ଓ ମେୟର ଅନନ୍ତ ଜେନାଙ୍କ ସାମନ୍ତବାଦୀ ଆଚରଣକୁ ନେଇ ଚର୍ଚ୍ଚା

64

କନକ ବ୍ୟୁରୋ : ନେତା, ମନ୍ତ୍ରୀ ସାଜିଛନ୍ତି ମାଇବାପ୍ । ଜନତା କରୁଛନ୍ତି ଜୀ-ହଜୁରୀ । ଗଣତନ୍ତ୍ରରେ ଭୋଟରଙ୍କୁ ଭଗବାନ ବୋଲି କୁହାଯାଏ । ହେଲେ ମନ୍ତ୍ରୀପଦ ପାଇବା ପରେ ଶାସକ ଦଳ ନେତାଙ୍କ ସାମନ୍ତବାଦୀ ଚିନ୍ତାଧାରାର ପ୍ରତିଫଳନ ଦେଖିବାକୁ ମିଳିଛି। ଯାହା ନିର୍ବାଚିତ ପ୍ରତିନିଧିଙ୍କ ସ୍ୱଭାବ କେମିତି ହେବା ଦରକାର, ତା ଉପରେ ପ୍ରଶ୍ନଚିହ୍ନ ଲଗାଇଛି।

vlcsnap-2016-09-13-19h01m36s299ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ସଂଜୟ ଦାସବର୍ମା । ରାଜ୍ୟବାସୀଙ୍କୁ ରାସନକାର୍ଡ ଯୋଗାଇ ଦେଉଥିବା ବିଭାଗର ମନ୍ତ୍ରୀ। ଗଣତନ୍ତ୍ରରେ ଲୋକେ ଭୋଟଦେଇ ନେତାଙ୍କୁ ବାଛନ୍ତି । ଆଉ ନେତାଙ୍କ ପାଇଁ ଭୋଟର ହିଁ ଭଗବାନ। ହେଲେ ଥରେ ମନ୍ତ୍ରୀପଦ ମିଳିଗଲେ ମାଇବାପ ସାଜୁଛନ୍ତି ମନ୍ତ୍ରୀ । ଏହି ଦୃଶ୍ୟ ବୟାନ କରୁଛି କେମିତି ଭୋଟରଙ୍କ ପାଇଁ ଭଗବାନ ପାଲଟି ଯାଇଛନ୍ତି ନିର୍ବାଚିତ ଜନପ୍ରତିନିଧି। ଖାଦ୍ୟ ଯୋଗାଣମନ୍ତ୍ରୀ ସଂଜୟ ଦାସ ବର୍ମାଙ୍କ ପାଦ ଧୋଇ ଦେଉଛନ୍ତି ଗ୍ରାମବାସୀ । ନବରଙ୍ଗପୁର ଜିଲ୍ଲାରେ ବିଜୁ କେବିକେ ଯୋଜନାରେ ଏକ ରାସ୍ତାର ଶୁଭ ଦେବାକୁ ଯାଇଥିବାବେଳେ ଲୋକେ ପାଦ ଧୋଇ ପୂଜା କରୁଛନ୍ତି । ତାଙ୍କୁ ଫୁଲ ମାଳ ବି ପିନ୍ଧାଉଛନ୍ତି । ମନ୍ତ୍ରୀ, ରାଇଘର ବ୍ଲକ ଇଂଲାଷଣ୍ଡି ଠାରୁ ରଘୁଡଙ୍ଗ୍ରୀ ଯାଏଁ ରାସ୍ତାର ଶୁଭ ଦେବା ବେଳେ ଦେଖିବାକୁ ମିଳିଥିଲା ଏଭଳି ସାମନ୍ତବାଦୀ ପ୍ରଥାର ଦୃଶ୍ୟ ।

vlcsnap-2016-09-13-19h08m43s038ସେହିପରି ବିଏମସି ମେୟର ଅନନ୍ତ ନାରାୟଣ ଜେନାଙ୍କ ପାଦଧୂଳି ନେଉଛନ୍ତି ବୟସ୍କ ମହିଳା। କେନ୍ଦ୍ରୀୟ ଜଳ କମିଶନଙ୍କ କାର୍ଯ୍ୟାଳୟ ଆଗରେ ବିଜେଡି ପ୍ରତିଦିନ ରିଲେ ଅନଶନ ଚଳାଇଥିବା ବେଳେ ସମାନ ଦୃଶ୍ୟ ଦେଖିବାକୁ ମିଳିଛି ଭୁବନେଶ୍ୱର ମେୟରଙ୍କ କ୍ଷେତ୍ରରେ। ଭୁବନେଶ୍ୱରର ମେୟର ତଥା ବିଜେଡି ନେତା ଅନନ୍ତ ନାରାୟଣ ଜେନା ବିକ୍ଷୋଭସ୍ଥଳକୁ ଆସିବା ବେଳେ ପୂର୍ବରୁ ନାରାବାଜି ଦେଉଥିବା ମହିଳାମାନେ ମେୟରଙ୍କ ପାଦଧୂଳି ନେବାକୁ ଲାଇନ୍ ଲଗାଉଛନ୍ତି। ଆଉ ଏଥିରେ ବି ଅଛନ୍ତି ଅନେକ ବୟସ୍କ ମହିଳା। ମେୟର ଅନନ୍ତ ଜେନା ସେମାନଙ୍କୁ ଏଭଳି କାର୍ଯ୍ୟରୁ ନିବୃତ ରହିବାକୁ ପରାମର୍ଶ ନ ଦେଇ ହସିହସି ଏହି ସମ୍ମାନକୁ ଗ୍ରହଣ କରୁଛନ୍ତି।

vlcsnap-2016-09-13-19h02m47s894ମନ୍ତ୍ରୀ ଯୋଗେନ୍ଦ୍ର ବେହେରାଙ୍କୁ ଜୋତା ପିନ୍ଧାଇ ଦେଉଛନ୍ତି ତାଙ୍କ ପିଏସଓ। ସ୍ୱାଧୀନତା ଦିବସ ଅବସରରେ ମନ୍ତ୍ରୀ ଯୋଗେନ୍ଦ୍ର ବେହେରାଙ୍କୁ ତାଙ୍କ ପିଏସଓ ଜୋତା ପିନ୍ଧାଇ ଦେଉଥିବା ଦୃଶ୍ୟକୁ ନେଇ ବେଶ୍ ଚର୍ଚ୍ଚା ହୋଇଥିଲା। ଅଧିକ ବିବାଦୀୟ ହୋଇଥିଲା ଯେତେବେଳେ ମନ୍ତ୍ରୀ ଯୋଗେନ୍ଦ୍ର ବେହେରା କହିଥିଲେ ମୁଁ ଭିଆଇପି। ଅବଶ୍ୟ ଏହା ଏପରି ବିବାଦୀୟ ପରସ୍ଥିତି ସୃଷ୍ଟି କରିଥିଲା, ଯେ, ପରବର୍ତି ସମୟରେ ଏଭଳି ବିବୃତିରୁ ଓହରି ଯାଇଥିଲେ ମନ୍ତ୍ରୀ।

ତିନିଟି ଯାକ ଚିତ୍ର ସାମନ୍ତବାଦୀ ଚିନ୍ତାଧାରାର ସ୍ପଷ୍ଟ ପ୍ରତିଫଳନ। ନବରଙ୍ଗପୁରରେ ମନ୍ତ୍ରୀ ସଂଜୟ ଦାସବର୍ମାଙ୍କ ପାଦ ପୂଜା ଭଳି ଚିତ୍ର ମଧ୍ୟ ଦେଖିବାକୁ ମିଳୁଛି ଖୋଦ୍ ରାଜଧାନୀ ଭୁବନେଶ୍ୱରରେ। ଶାସକ ଦଳର ସାମନ୍ତବାଦୀ ଚିନ୍ତାଧାରା ଏପରି ଭାବେ ବଢିବାରେ ଲାଗିଛି ଯେ ଗଣତନ୍ତ୍ରରେ ସାଧାରଣ ନାଗରିକ ହିଁ ମାଇବାପ, ଭୋଟର ହିଁ ଭଗବାନ ଏକଥାକୁ ସେମାନେ ଭୁଲିଯାଉଛନ୍ତି।