ଚଳନ୍ତା ଟ୍ରେନରେ ବିପଦଜନକ ଷ୍ଟଣ୍ଟ ଦେଖାଇଲେ ମହିଳା ! ସୋସିଆଲ ମିଡିଆରେ ଭାଇରାଲ ହେଲା ଭିଡିଓ ।

21

ମୁମ୍ବାଇର ଲୋକାଲ ଟ୍ରେନରେ ଯାଉଥିବା ଜଣେ ମହିଳାଙ୍କ ବିପଦଜନକ ଷ୍ଟଣ୍ଟର ଏକ ଭିଡିଓ ସାମ୍ନାକୁ ଆସିଛି । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଭିଡିଓରେ ଦେଖିବାକୁ ମିଳୁଛି, ଜଣେ ମହିଳା ଚଳନ୍ତା ଟ୍ରେନ୍ ଭିତରେ ଷ୍ଟଣ୍ଟ ଦେଖାଉଛନ୍ତି । ଏହି ଭିଡିଓରେ ଦେଖିବାକୁ ମିଳୁଥିବା ଘଟଣା ରି ରୋଡ ଓ କାଟନ୍ ଗ୍ରିନ୍ସ ଷ୍ଟେସନ୍ ମଧ୍ୟର ବୋଲି ଜଣାପଡ଼ିଛି । ରେଲୱେ ପ୍ରୋଟେକସନ୍ ଫୋର୍ସ ସିସିଟିଭି ଫୁଟେଜ ଯାଞ୍ଚ କରି ମହିଳାଙ୍କ ପରିଚୟ ପାଇଛନ୍ତି । ଖୁବଶୀଘ୍ର ଉକ୍ତ ମହିଳାଙ୍କ ବିରୋଧରେ ମାମଲା ରୁଜୁ କରାଯିବ ।

ଶୁକ୍ରବାର ରାତି ପ୍ରାୟ ୧୧.୩୦ରେ ଜଣେ ଯାତ୍ରୀ ଟ୍ରେନ୍ ଭିତରେ ଥିବା ସମୟରେ ମହିଳାଙ୍କ ଏହି ଷ୍ଟଣ୍ଟ ଦୃଶ୍ୟ ସୁଟିଂ କରିଥିବା ଜଣାପଡ଼ିଛି । ଏହି ମହିଳାଙ୍କ ସହିତ ତାଙ୍କ ସାଙ୍ଗମାନେ ମିଶି ଫାଷ୍ଟକ୍ଲାସର ଜେନେରାଲ କମ୍ପାର୍ଟମେଣ୍ଟରେ ଯାତ୍ରା କରୁଥିଲେ । ଭିଡିଓରେ ଦେଖିବାକୁ ମିଳୁଛି ମହିଳା ଟ୍ରେନ୍ ଦ୍ୱାର ପାଖରେ ଛିଡା ହୋଇ ହ୍ୟାଣ୍ଡେଲକୁ ଧରି ବହୁ ବିପଦଜନକ ଅବସ୍ଥାରେ ସେଥିରେ ଝୁଲୁଛନ୍ତି । କେବଳ ଏତିକି ନୁହେଁ ବାହାରେ ଥିବା ରେଲୱେ ଖମ୍ଭକୁ ବି ସ୍ପର୍ଶ କରିବାକୁ ଚେଷ୍ଟା କରୁଛନ୍ତି ଏବଂ ପ୍ଲାଟଫର୍ମରେ ଟ୍ରେନ୍ ଅଟକିବା ପୂର୍ବରୁ ସେ ଟ୍ରେନରୁ ଡେଇଁ ପଡ଼ି ଓହ୍ଲାଇ ଯାଉଛନ୍ତି ।