ସାହାଯ୍ୟ ମାଗିଲେ ସୁନ୍ଦରୀ ଝିଅ, ଲିଫ୍ଟ ମାଗି କରୁଥିଲେ ଲୁଟ୍ : ଲେଡି ଲୁଟେରା ଗ୍ୟାଙ୍ଗର ପର୍ଦ୍ଦାଫାସ କଲା କମିଶନରେଟ୍ ପୁଲିସ

60

କନକ ବ୍ୟୁରୋ : ବୁଧବାର ରାତିରେ ଆଇ.ଜି.ପାର୍କ ସାମ୍ନାରେ ଲିଫ୍ଟ ପାଇଁ ହାତ ଦେଖାଇଥିଲେ ଜଣେ ଯୁବତୀ । କାରରେ ଏକା ଆସୁଥିବା ଡ୍ରାଇଭର ଜଣକ ବି ଯୁବତୀଙ୍କୁ ଲିଫ୍ଟ ଦେଇଥିଲେ । ଲିଫ୍ଟ ଦେବା ପରେ ଯୁବତୀଙ୍କ ସାଙ୍ଗ କହି ଗାଡି ଭିତରକୁ ପଶିଥିଲେ ଆଉ ୨ ଜଣ ମହିଳା । ଆଉ ତାପରେ ଆରମ୍ଭ ହେଲା – ଲୁଟର କାହାଣୀ ଯାହା କୌଣସି ଫିଲ୍ମର କାହାଣୀ ଠାରୁ କମ୍ ନଥିଲା ।

ଗାଡି ଆଗକୁ ଗଡାଇବା ପାଇଁ ତାଗିଦ କଲେ । ପଛରେ ବସିଥିବା ଏହି ୨ଜଣ ମହିଳା ଏକ ପ୍ରକାରର କାବୁ କରିନେଲେ ଡ୍ରାଇଭରଙ୍କୁ । ଗାଡି ଭିତରେ ଥିବା ଲାପଟପକୁ ନିଜ ବ୍ୟାଗ ଭିତରେ ପୁରାଇ ଦେଲେ । ଡ୍ରାଇଭରର ପକେଟ୍ ଭିତରେ ହାତ ପୁରାଇ ଜୋର ଜବରଦସ୍ତ ଟଙ୍କା ଓ ମୋବାଇଲ ବି ନେଇଗଲେ । ଚାଲାକି କଲେ ବଳାତ୍କାରର ଅଭିଯୋଗ ଆଣି ଥାନାରେ ପୁରାଇ ଦେବେ ବୋଲି ଧମକ ଦେଲେ ।

ବେଶ କିଛି ସମୟ ଧରି ଚାଲିଥିଲା ଲେଡି ଲୁଟେରାଙ୍କର ଉତ୍ପାତ । ସମସ୍ତ ଜିନିଷ ଲୁଟ ପରେ, ଚନ୍ଦ୍ରଶେଖରପୁର ବୁଲିବା ପାଇଁ କହିଥିଲେ ଡ୍ରାଇଭରଙ୍କୁ । ତେବେ ଚନ୍ଦ୍ରଶେଖରପୁର ପାଖ ପେଟ୍ରୋଲ ପମ୍ପ ନିକଟରେ ଗାଡି ଛାଡି ଦେଇ ଖସି ଯାଇଥିଲେ ଡ୍ରାଇଭର ଜଣକ । ଆଉ ପୁଲିସକୁ ଖବର ଦେଇଥିଲେ ।
୫ ଘଂଟାର ଅପରେସନ ପରେ, ୩ ଲେଡି ଲୁଟାରାଙ୍କୁ ମାଷ୍ଟରକ୍ୟାଂଟିନ ଛକରୁ କାବୁ କରିଥିଲା କ୍ୟାପିଟାଲ ଥାନା ପୁଲିସ ।