ରୋଡ୍ ରୋମିଓ ସାବଧାନ ! ଯୁବତୀଙ୍କୁ ପିଛା କରି କମେଂଟ ମାରୁଥିବା ଯୁବକଙ୍କୁ ଧରୁଛି ଆଂଟି ରୋମିଓ ସ୍କ୍ୱାର୍ଡ

42

କନକ ବ୍ୟୁରୋ : ଯେଉଁମାନେ ରାସ୍ତାରେ ଝିଅ, ବୋହୁ, ଯୁବତୀ, ଛାତ୍ରୀଙ୍କୁ ଅଶ୍ଳୀଳ ଇଙ୍ଗିତ, ଆଖି ମାରୁଛନ୍ତି, କମେଣ୍ଟକରୁଛନ୍ତି, ସେମାନଙ୍କୁ ସାବାଡ କରିବା ପାଇଁ ଆଗେଇ ଆସିଛି ପୁଲିସ୍ । ରାତିରେ ରାସ୍ତା ଉପରେ ବୁଲୁଛନ୍ତି ମହିଳା ଆଇପିଏସ । କୋରାପୁଟ ଜିଲ୍ଲା ଜୟପୁରରେ ରୋଡ ରୋମିଓଙ୍କୁ ସାବାଡ କରିବାକୁ ଏଭଳି ଅଭନବ ଅଭିଯାନ ଆରମ୍ଭ କରିଛି ପୁଲିସ । ଫଳରେ ଝିଅଙ୍କୁ କମେଂଟ ମାରିବା, ଅଶ୍ଲୀଳ ଇଙ୍ଗିତ କରିବା ରୋଡ ରୋମିଓଙ୍କୁ ମହଙ୍ଗା ପଡୁଛି ।

ସହର ସାରା ସାଧା ପୋଷାକରେ ଘୁରି ବୁଲୁଛନ୍ତି ଆଂଟି ରୋମିଓ ସ୍କ୍ୱାର୍ଡ । ସହରର ଗଳି କନ୍ଦି ଓ ଜିଲ୍ଲାରେ ବିଭିନ୍ନ ସ୍ଥାନରେ ସାଧା ପୋଷାକଧାରୀ ପୁଲିସ ମୁତୟନ ହୋଇଛନ୍ତି । ଦିନରେ ପୁଲିସ୍ ପୋଷାକରେ ରହୁଥିବା ବେଳେ ରାତିରେ ସାଧା ପୋଷାକରେ ରହି ପୁଲିସ୍ ନିଜର କର୍ତ୍ତବ୍ୟ କରୁଛି । ରୋଡ ରୋମିଓଙ୍କ ଠାରୁ ବାଇକ୍ ଜବତ କରାଯାଉଛି ଓ ଜରିମାନା ଆଦାୟ କରାଯାଉଛି । ଏହା ସହିତ କଠୋର କାର୍ଯ୍ୟାନୁଷ୍ଠାନ ମଧ୍ୟ ସେମାନଙ୍କ ବିରୋଧରେ ନିଆଯାଉଛି । ଏହି ସ୍କ୍ୱାର୍ଡର ନେତୃତ୍ୱ ନେଉଛନ୍ତି ମହିଳା ଆଇପିଏସ ସାଗରିକା ନାଥ । ନିଜେ ଛକ ଜାଗାରେ ସାଦା ପୋଷାକରେ ବୁଲୁଥିବା ବେଳେ ତାଙ୍କୁ ଫଲୋ କରୁଛନ୍ତି ଅନ୍ୟ କର୍ମଚାରୀ । ବିଗତ ଦିନ ଗୁଡିକରେ ସେ ଜିଳ୍ଲାରେ ଅନେକ ଅପରାଧୀଙ୍କୁ ଧରିବା ସହିତ ପୁଲିସ ପ୍ରଶାସନର ରୂପରେଖକୁ ବଦଳାଇ ଦେଇଛନ୍ତି । ସାଧା ପୋଷାକରେ ମହିଳା ଆଇପିଏସ୍ ରାତି ଅଧିଆ ଛକ ଜାଗା ମାନଙ୍କରେ ଚଢ଼ଉ କରି ରୋଡ ରୋମିଓଙ୍କୁ ସାବାଡ କରିବା ପାଇଁ ଚେଷ୍ଟା କରୁଛନ୍ତି ।