ଓଡିଶା କ୍ୟାଡର ମହିଳା ଆଇଏଏସଙ୍କ ଦବଙ୍ଗଗିରି । ଯେତେବେଳେ ପୋଲିସ ହାର ମାନିଥିଲା, ପଂଚକୁଲାକୁ ବଂଚାଇଥିଲେ ଗୌରୀ ପରାଶର ଯୋଶୀ

79

କନକ ବ୍ୟୁରୋ : ଆତ୍ମଘୋଷିତ ଭଗବାନ ବାବା ରାମ ରହିମଙ୍କୁ ସିବିଆଇର ସ୍ୱତନ୍ତ୍ର କୋର୍ଟ ଦୋଷୀ ସାବ୍ୟସ୍ତ କରିବା ପରେ ଆରମ୍ଭ ହୋଇଥିଲା ହିଂସା । ପଞ୍ଚକୁଲାରୁ ଆରମ୍ଭ ହୋଇଥିବା ଏହି ହିଂସା ସଙ୍ଗେ ସଙ୍ଗେ ପଞ୍ଜାବ ସହିତ ରାଜଧାନୀ ଦିଲ୍ଲୀରେ ତାର କାୟା ବିସ୍ତାର କରିଥିଲା । ଶାନ୍ତିର ବାର୍ତ୍ତା ଦେଉଥିବା ବାବାଙ୍କ ସମର୍ଥକ ମାନେ ସଙ୍ଗେ ସଙ୍ଗେ ପାଲଟି ଯାଇଥିଲେ ରକ୍ତମୁଖା । ହିଂସାରେ ତିନୋଟି ରାଜ୍ୟ ହୁତହୁତ ହୋଇ ଜଳି ଉଠିଥିଲା । ଚାରିଆଡ଼େ ଖାଲି ନିଆଁ ନିଆଁ । ଏପରିକି ଏହି ରକ୍ତମୁଖା ସମର୍ଥକଙ୍କ ପାଖରୁ ବଞ୍ଚିପାରିନଥିଲା ଛୋଟିଆ ଶିଶୁ । ଚାହୁଁ ଚାହୁଁ ଚାଲି ଯାଇଥିଲା ୩୧ ନିରୀହ ଜୀବନ । ୩୦୦ରୁ ଅଧିକ ଲୋକ ଗୁରୁତର ଆହତ ହେଲେ । ଗୋଟିଏ ପଟେ ବାବାଙ୍କ ସମର୍ଥକ ମାନେ ବିଭିନ୍ନ ସ୍ଥାନରେ ମୃତ୍ୟୁର ତାଣ୍ଡବ ରଚୁଥିବା ବେଳେ ଅନ୍ୟପଟେ ପୁଲିସ ହାତରୁ ଖସି ଖସି ଯାଉଥିଲା ପଞ୍ଚକୁଲାର ଆଇନ ଶୃଙ୍ଖଳା ସ୍ଥିତି ।

ପୂରା ପଞ୍ଚକୁଲାକୁ ହିଂସାର ନିଆଁ ଗିଳି ଚାଲିଥିଲା । ବାବାଙ୍କ ଅନୁଗାମୀ ମାନେ ଆରମ୍ଭ କରିଥିଲେ ପୁଲିସ ଉପରେ ପଥରମାଡ । ହିଂସାର ପ୍ରକୋପ ଏତେ ବଢି ଯାଇଥିଲା ଯେ, ଧୀରେ ଧୀରେ ଛତ୍ରଭଙ୍ଗ ଦେଇଥିଲେ ପୁଲିସ ବାହିନୀ । କିନ୍ତୁ ଏହି ସମୟରେ ସାହସିକତାର ପରିଚୟ ଦେଇଥିଲେ ଓଡିଆ କ୍ୟାଡର ମହିଳା ଆଇଏଏସ୍ ଅଫିସର ଗୌରୀ ପରାଶର ଯୋଶୀ । ପଞ୍ଚକୁଲାର ଡେପୁଟି କମିଶନର ତଥା ଜିଲ୍ଲା ମାଜିଷ୍ଟ୍ରେଟ ଗୌରୀ ପରାଶର ଯୋଶୀ ।

ପୁଲିସ ହାତରୁ ଆଇନ ଶୃଙ୍ଖଳା ସ୍ଥିତି ଖସି ଯାଉଥିବା ବାବାଙ୍କ ଅନୁଗାମୀଙ୍କ ଉତ୍ପାତ ବଢି ବଢି ଚାଲିଥିଲା । ଗୋଟିଏ ପଟେ ପୋଲିସର ଦମ୍ଭ ଭାଙ୍ଗୁଥିବା ବେଳେ ଦମ୍ ଦେଖାଇଥିଲେ ଗୌରୀ । ଏପରିକି ବାବାଙ୍କ ସମର୍ଥକଙ୍କ ଆକ୍ରମଣରେ ନିଜେ ଗୌରୀ ମଧ୍ୟ ଗୁରୁତର ଭାବେ କ୍ଷତାକ୍ତ ହୋଇଥିଲେ । କିନ୍ତୁ ହାର୍ ମାନି ନଥିଲେ । ପରିସ୍ଥିତିକୁ ଆୟତ୍ତ କରିବା ପାଇଁ ସେନାକୁ ଡାକିବାକୁ ନିଷ୍ପତି ନେଇଥିଲେ । ମାତ୍ର ଜଣେ ଅଙ୍ଗରକ୍ଷୀଙ୍କ ସହୟତାରେ ସେ ତାଙ୍କ ଅଫିସରେ ପହଞ୍ଚି ସେନାର ସାହାଯ୍ୟ ପାଇଁ ସ୍ୱରାଷ୍ଟ୍ର ମନ୍ତ୍ରାଳୟକୁ ଫୋନ କରିଥିଲେ । ଆଉ ପଞ୍ଚକୁଲାକୁ ସେନା ହାତରେ ଟେକି ଦେଇଥିଲେ । ଉତ୍ତରକୁ ଅପେକ୍ଷା ନ କରି ପୁଣି ଘଟଣାସ୍ଥଳକୁ ଫେରି ଯାଇଥିଲେ ଗୌରୀ । ଜିଲ୍ଲାପାଳଙ୍କ ଏଭଳି ପଦକ୍ଷେପ ସେଠାରେ ଉପସ୍ଥିତ ଥିବା ପୋଲିସ ଓ ପ୍ରଶାସନିକ ଅଧିକାରୀଙ୍କୁ ପ୍ରେରଣା ଯୋଗାଇଥିଲା ।

ଗୌରୀଙ୍କ ଅନୁରୋଧ କ୍ରମେ କିଛି ସମୟ ମଧ୍ୟରେ ସେନା ପଞ୍ଚକୁଲାରେ ପହଞ୍ଚି ଆରମ୍ଭ କଲା ଅପରେସନ । ତାଙ୍କର ସାହସିକ ନିଷ୍ପତି ପାଇଁ ଧ୍ୱଂସମୁଖକୁ ଟାଣି ହୋଇ ଯାଉଥିବା ପଞ୍ଚକୁଲା ଉପରେ ବରଷି ଯାଇଥିଲା ଅଦିନିଆ ମେଘ । ସେନାର ଅପରେସନ ପରେ ପଞ୍ଚକୁଲାର ସ୍ଥିତି ନିୟନ୍ତ୍ରଣକୁ ଆସିଥିଲା । ତଥାପି ଚୁପ ବସିନଥିଲେ ଗୌରୀ । ଘଟଣାଦିନ ହିଂସାକାଣ୍ଡ ଘଟିଥିବା ସମସ୍ତ ସ୍ଥାନ ବୁଳି ସାରିବା ପରେ ରାତି ୩ଟାରେ ଘରକୁ ଫେରିଥିଲେ ।

୧୧ ମାସର ପୁଅକୁ ଘରେ ଛାଡି ସହରର ହିଂସାକୁ ଆୟତ୍ତ କରିବାକୁ ଯାଇଥିବା ଗୌରୀ କିନ୍ତୁ ଫେରିଥିଲେ କ୍ଷତାକ୍ତ ହୋଇ । ବିକ୍ଷୋଭକାରୀଙ୍କ ଆକ୍ରମଣରେ ଗୁରୁତର ଆହତ ହୋଇଥିଲେ ମଧ୍ୟ ଡାକ୍ତରୀ ଚିକିତ୍ସା କରିବାକୁ ମନା କରି ଦେଇଥିଲେ । ୨୦୦୯ ବ୍ୟାଚର ଏହି ଆଇଏଏସ୍ ଅଫିସର ପୂର୍ବରୁ ଓଡ଼ିଶାର ନକ୍ସଲ ପ୍ରଭାବିତ ଜିଲ୍ଲା କଳାହାଣ୍ଡିରେ କାର୍ଯ୍ୟ କରି ବେଶ ପ୍ରଂଶସା ସାଉଁଟିଛନ୍ତି । କଳାହାଣ୍ଡିରେ ଥିବା ସମୟରେ ନକ୍ସଲ ମୁକାବିଲା କ୍ଷେତ୍ରରେ ଯେଉଁ ଅଭିଜ୍ଞତା ହାସଲ କରିଥିଲେ, ତାହା ଏଭଳି ପରିସ୍ଥିତିରେ କାମ ଦେଲା ବୋଲି ଗୌରୀ କହିଛନ୍ତି । ତେବେ ହରିୟାଣାକୁ ଡେପୁଟେସନରେ ଯାଇଥିବା ଗୌରୀଙ୍କ ହିଂସା ନିୟନ୍ତ୍ରଣ ଦକ୍ଷତାକୁ ନେଇ ଚାରିଆଡେ ତାଙ୍କୁ ପ୍ରଶଂସା କରାଯାଉଛି ।ଏହା ଓଡିଶାବାସୀଙ୍କ ପାଇଁ ଏକ ଗର୍ବର ବିଷୟ ।