ଯେବେ ଲେଡ଼ି ଦବଙ୍ଗ ଅଫିସର ହାତରେ ଧରିଲେ ଲାଠି । ସାବାଡ ହେଲେ ଅମାନିଆ ଅଟୋବାଲା

37

ହାତରେ ଲାଠି, ମନରେ ଦୃଢ ଆତ୍ମବିଶ୍ୱାସ । ଆଗେ ଏସଡିଓ ଗରିମା ସିଂହ, ପଛେ ପଛେ ଅନ୍ୟ କର୍ମଚାରୀ । ଆଉ ଏହି ଖବର ଜଣାପଡିବା ମାତ୍ରେ ରାସ୍ତା ଉପରୁ କିଛି କ୍ଷଣ ମଧ୍ୟରେ ଅଟୋ ଗୁଡିକ ଉଭାନ ହୋଇଗଲା । ଆଉ ଏସଡ଼ିଓ ଗରିମା ସିଂହଙ୍କ ଏଭଳି ଅନ୍ଦାଜ ଏବେ ପୂରା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

ଏସଡ଼ିଓ ଗରିମା ସିଂହ । ନୂଆ କରି ରାଞ୍ଚି ସହରରେ ଏସଡ଼ିଓ ଭାବେ ନିଯୁକ୍ତି ପାଇଛନ୍ତି । ଲେଡି ଦବଙ୍ଗ ଅଫିସର ଭାବେ ଗରିମା ଜଣାଶୁଣା । ତେବେ ନୂଆ ଦାୟିତ୍ୱ ନେବା ପରେ ସହରର ସମସ୍ୟା ସର୍ମ୍ପକରେ ବୁଝିବା ବେଳେ ଜାଣିବାକୁ ପାଇଥିଲେ ସହରରେ ହେଉଥିବା ରୋଡ ଜାମ ବିଷୟରେ । ସହରର ରାସ୍ତାରେ ଯେଉଁ ଜାମ ହେଉଛି ତାହାର କାରଣ ଅଟୋ ବୋଲି ଜାଣିବା ପରେ ଗରିମା ଆରମ୍ଭ କରିଥିଲେ ଅପରେସନ ।

ଶନିବାର ସହରରେ ଅଟୋ ଚାଳକଙ୍କ ମନମୁଖି କାର୍ଯ୍ୟକଳାପକୁ ନେଇ ଗରିମା ଆରମ୍ଭ କରିଥିଲେ ଅପରେସନ । ଆଲବର୍ଟ ଏକ୍କା ଛକରୁ ଏଚବି ରୋଡ ମଧ୍ୟରେ ଅଟୋ ଚାଳକଙ୍କ ବିରୋଧରେ ଯେଉଁ ଅପରେସନ ଗରିମା ଆରମ୍ଭ କରିଥିଲେ ତାହା ପୂରା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ରାସ୍ତାର ଏଣେତେଣେ ଷ୍ଟାଣ୍ଡ କରିଥିବା ଅଟୋ ଗୁଡିକୁ ତୁରନ୍ତ ହଟାଇବାକୁ ଗରିମା ନିର୍ଦ୍ଦେଶ ଦେଇଥିଲେ । ତେବେ କେହି ନ ଶୁଣିବାରୁ ଗରିମାଙ୍କୁ ଲେଡ଼ି ଦବଙ୍ଗ ଅଫିସର ରୂପରେ ଦେଖିବାକୁ ମିଳିଥିଲା ।

ଅମାନିଆ ଅଟୋ ଚାଳକଙ୍କୁ ସାବାଡ କରିବାକୁ ଗରିମା ହାତରେ ଧରିଥିଲେ ଲାଠି । ପ୍ରଥମେ ପ୍ରଥମେ ଗରିମାଙ୍କୁ ଚିହ୍ନି ପାରୁନଥିବା ଅଟୋ ଚାଳକ ପରେ ତାଙ୍କ ବିଷୟରେ ଜାଣିବା ପରେ ଛତ୍ରଭଙ୍ଗ ଦେଇଥିଲେ । ଏପରିକି ରାସ୍ତା ମଝିରେ ଅଟୋ ରଖି ଯାତ୍ରୀ ଉଠାଉଥିବା ଅଟୋ ଚାଳକଙ୍କୁ ମଧ୍ୟ ସେ ସୁଧୁରିଯିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହାଛଡା ସହରରର ବିଭିନ୍ନ ସ୍ଥାନରେ ଚେକିଂ କରି ହେଲମେଟ ଓ ସିଟ୍ ବେଲ୍ଟ ପିନ୍ଧି ନଥିବା ଚାଳକଙ୍କ ଠାରୁ ଚାଲାଣ କାଟିଥିଲେ । ଆଉ ଗରିମାଙ୍କ ଏଭଳି କାର୍ଯ୍ୟକୁ ସ୍ଥାନୀୟ ଲୋକ ମଧ୍ୟ ବେଶ ପସନ୍ଦ କରିଛନ୍ତି ।