ଲାଲଗଡ଼ରେ ଲେଡ଼ି କମାଣ୍ଡୋ ! ଦିନେ ସୁରକ୍ଷାବାହିନୀକୁ କରୁଥିଲେ ଟାର୍ଗେଟ, ଏବେ ମାଓବାଦୀଙ୍କୁ ମାତ୍ ଦେବାକୁ ପାଇଛନ୍ତି ଅତ୍ୟାଧୁନିକ ବନ୍ଧୁକ

52

କନକ ବ୍ୟୁରୋ : ଲାଲଗଡ ଜଗିଛନ୍ତି ମହିଳା କମାଣ୍ଡୋ । ଦେଶର ସବୁଠାରୁ ଅଧିକ ମାଓ ପ୍ରବଣ ଅଂଚଳ ଭାବେ ପରିଚିତ ସୁକୁମା ଜିଲ୍ଲାର ପୋଲମପାଲି ଅଂଚଳରେ ପ୍ରଥମ କରି ମହିଳା କମାଣ୍ଡୋଙ୍କୁ ମୁତୟନ କରିଛି ଛତିଶଗଡ ପୁଲିସ । ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଧରି କୁମ୍ବିଂ ଅପରେସନ କରିବା ସହ ରାସ୍ତା ନିର୍ମାଣ କାମକୁ ସୁରକ୍ଷା ଯୋଗାଉଛନ୍ତି ଏହି ମହିଳା କମାଣ୍ଡୋ ।

ଦିନେ ଲାଲ କରିଡରରେ ଆତଙ୍କ ଖେଳାଉଥିଲେ, ଏବେ ପୁଲିସ ପୋଷାକରେ ଲେଡି କମାଣ୍ଡୋ । ଲାଲଗଡରେ ସୁରକ୍ଷା ଯୋଗାଉଛନ୍ତି ଏହି ମହିଳା କମାଣ୍ଡୋ । ହାତରେ ଅଟୋମେଟିକ୍ ରାଇଫଲ ଧରି ଜଙ୍ଗଲରେ କରୁଛନ୍ତି କୁମ୍ବିଂ ଅପରେସନ୍ । ଲାଲସଂଗଠନ ଛାଡି ମୁଖ୍ୟ ସ୍ରୋତକୁ ଫେରି ଆସିଥିବା ମାଓବାଦୀଙ୍କୁ ପୁଲିସ ଚାକିରି ଦେଇଛି ଛତିଶଗଡ । କିପରି ଦୁର୍ଦ୍ଧର୍ଷ ଲାଲବାହିନୀକୁ ମୁକାବିଲା କରିବେ ସେଥିଲାଗି ଦିଆଯାଇଛି ସ୍ୱତନ୍ତ୍ର ତାଲିମ୍ । ପ୍ରଥମ ଥର ପାଇଁ ମାଓ ପ୍ରବଣ ସୁକୁମା ଜିଲ୍ଲା ପୋଲମପାଲିର ସୁରକ୍ଷାର ଦାୟିତ୍ୱ ନେଇଛନ୍ତି ଲେଡି କମାଣ୍ଡୋ । ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଧରି ପୋଲମପାଲି ଜଙ୍ଗଲକୁ ତନତନ କରି ଯାଂଚ କରିବା ସହ ରାସ୍ତା କାମକୁ ସୁରକ୍ଷା ଯୋଗାଉଛନ୍ତି ଏମାନେ ।

ଯେଉଁ ରାସ୍ତାରେ ଲ୍ୟାଣ୍ଡ ମାଇନସ ବିସ୍ଫୋରଣ ଓ ଗୁଳି ଚାଳନା ନିତି ଦିନିଆ ଘଟଣା । ସେହି ଅଂଚଳକୁ ଜଗିଛନ୍ତି ଲେଡି କମାଣ୍ଡୋ । ସୁକୁମା ଜିଲ୍ଲାର ଦୋର୍ନାପାଲ–ଜଗରଗୋଣ୍ଡା ରାସ୍ତାରେ ଶତ୍ରୁକୁ ଖାତିର ନକରି ରାସ୍ତା ନିର୍ମାଣ କାମକୁ ସୁରକ୍ଷା ଯୋଗାଉଛି ମହିଳା ଯବାନ୍ । ସ୍ଥାନୀୟ ଅଂଚଳର ମହିଳା ଏବଂ ମହିଳା ମାଓବାଦୀଙ୍କ ସହ ଅସଦାଚରଣ ଅଭିଯୋଗ ଆସୁଥିବା ବେଳେ ମହିଳା କମାଣ୍ଡୋଙ୍କ ମୁତୟନ ଯୋଗୁ ଏ ସବୁ ଅଭିଯୋଗ ଆସିବ ନାହିଁ ବୋଲି କହିଛିି ସୁକୁମା ପୁଲିସ । ଛତିଶଗଡ଼ ପୁଲିସର ପ୍ରୟାସକୁ ବେଶ୍ ତାରିଫ କରାଯାଉଛି । ଆତ୍ମସମର୍ପଣ କରିଥିବା ମହିଳା ମାଓବାଦୀ ଏବେ ପୁଲିସବାହିନୀରେ ସାମିଲ ହୋଇ ସୁରକ୍ଷା ଯୋଗାଉଛନ୍ତି ଲାଲଗଡ଼ରେ ।