ଲାଲ୍ କରିଡରରେ ଲେଡି କମାଣ୍ଡୋ ! ମାଓବାଦୀଙ୍କୁ ଦେବେ ମାତ, ଗରିଲା ଯୁଦ୍ଧ କୌଶଳରେ ସିଦ୍ଧହସ୍ତ

35

କନକ ବ୍ୟୁରୋ : ଓଡିଶା-ଛତିଶଗଡ ସୀମାନ୍ତରେ ମୁତୟନ ହେଲେ ଲେଡି କମାଣ୍ଡୋ । ଛତିଶଗଡର କାଙ୍କେର ଜିଲ୍ଲାରେ ମୁତୟନ ହୋଇଥିବା ଏହି କମାଣ୍ଡୋ ବାହୀନି ଓଡିଶାର ନବରଙ୍ଗପୁର ଓ କାଙ୍କେର ଇଲାକାରେ ମାଓବାଦୀଙ୍କ ଗତିବିଧୀ ଉପରେ ନଜର ରଖିବେ । ଏହି ଅଂଚଳରେ ମାଓବାଦୀଙ୍କ ଦୁଇଟି ପ୍ରମୁଖ ସଂଗଠନ ସକ୍ରିୟ ରହିଛି । ଏହି ଅଂଚଳକୁ ସେମାନେ ନିରାପଦ ଆଶ୍ରୟସ୍ଥଳୀ ଭାବେ ବ୍ୟବହାର କରି କଳାହାଣ୍ଡି, ରାୟଗଡା ଓ ନବରଙ୍ଗପୁରରେ ହିଂସାତ୍ମକ କାର୍ଯ୍ୟକଳାପରେ ଲିପ୍ତ ରହନ୍ତି । ବସ୍ତର ପୋଲିସ କହିଛି, ଲେଡି କମାଣ୍ଡୋମାନେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ସହ ଗରିଲା ଯୁଦ୍ଧକୌଶଳରେ ବେଶ୍ ସିଦ୍ଧହସ୍ତ ।

ଜଙ୍ଗଲୀ ଯୁଦ୍ଧ କୈଶଳରେ ସବୁଠାରୁ ଉଚ୍ଚମାନର କମାଣ୍ଡୋ ତାଲିମ ନେଇ ନକ୍ସଲ ଦମନ କରିବାକୁ ଆସିଥିବା ଏହି ମହିଳା ସୁରକ୍ଷାକର୍ମୀ ମାଓବାଦୀଙ୍କ ପାଇଁ ଖୁବ ଘାତକ ସାବ୍ୟସ୍ତ ହୋଇପାରନ୍ତି । କାରଣ ଏମାନେ ଗରିଲା ଯୁଦ୍ଧରେ ନକ୍ସଲଙ୍କ ଠାରୁ ଢେର ଅଧିକ ପାରଙ୍ଗମ । ଏବଂ ଏମାନଙ୍କ ପାଖରେ ଥିବା ଅତ୍ୟାଧୁନିକ ଏକେ-୪୭ ଓ ଇନସାସ ରାଇଫଲ ଏମାନଙ୍କୁ ଆହୁରି ଶକ୍ତିଶାଳୀ କରିଦେଇଛି ।

ପ୍ରଥମେ ବିଜାପୁର ଏବଂ ଏବେ ଛତିଶଗଡ ଓ ଓଡିଶା ସୀମାନ୍ତରେ ମହିଳା କମାଣ୍ଡୋ ବାହୀନି ମୁତୟନ ହେବାପରେ ମେଇନପୁର ଡିଭିଜନାଲ କମିଟି ଓ ଉଦନ୍ତୀ ଡିଭିଜନାଲ କମିଟିରେ ଛନକା ପଶିଯାଇଛି । କାରଣ ଏହି ମହିଳା କମାଣ୍ଡୋମାନେ ଗରିଲା ଯୁଦ୍ଧରେ ବେଶ ପାରଙ୍ଗମ ହୋଇଥିବାରୁ ସେମାନଙ୍କର ନିରାପଦ ଆଶ୍ରୟସ୍ଥଳୀ ଉପରେ ବିପଦ ଆସିଯାଇଛି ।