କରିବାକୁ ଯାଇଥିଲେ ଆତ୍ମହତ୍ୟା, ଜଗାକୁ ଦେଖିଲା ପରେ ବଦଳିଗଲା ମନ । ମାସେ ପରେ ଘରକୁ ଫେରିଲେ ମହିଳା

ପୁରୀ ଯାଇ କାଳିଆ ଦର୍ଶନ କରିବା ପରେ ବଦଳିଗଲା ଆତ୍ମହତ୍ୟା କରିବାର ନିଷ୍ପତ୍ତି ।

768

କନକ ବ୍ୟୁରୋ: ମାସେ ପରେ ଘରକୁ ପେରିଲା ମା’ । ଆତ୍ମହତ୍ୟା କରିବାକୁ ଘର ଛାଡିଥିଲେ । ହେଲେ ପୁରୀ ଯାଇ କାଳିଆ ଦର୍ଶନ କରିବା ପରେ ବଦଳିଗଲା ଆତ୍ମହତ୍ୟା କରିବାର ନିଷ୍ପତ୍ତି । ମାସେ ପରେ ପରିବାର ସହିତ ବଂଚିବାକୁ ଘରକୁ ଫେରିଆସିଲେ । ଜୟପୁରରୁ ଆସିଥିବା ଆରତି ମିଶ୍ରଙ୍କ ଏହି କାହାଣି ଏବେ ପୁରା ସହରରେ ଚର୍ଚ୍ଚାର ବିଷୟ ପାଲଟିଛି ।

ସୂଚନା ମୁତାବକ, ଗତ ୮ ତାରିଖରେ ଦାନ୍ତ ଚିକିତ୍ସା କରିବା ପାଇଁ ଭୁବନେଶ୍ୱର ବାହାରିଥିଲେ ଆରତି । ସ୍ୱାମୀ ମନୁ ମିଶ୍ର ଆରତିଙ୍କୁ ରେଳଷ୍ଟେସନରେ ଛାଡିଗଲେ । ହେଲେ ଆରତି ଭୁବନେଶ୍ୱରରେ ପହଞ୍ଚିନଥିଲେ । ଘର ଲୋକ ଏହା ଜାଣିବା ପରେ ବହୁ ଖୋଜାଖୋଜି କରି ଆରତି ନିଖୋଜ ନେଇ ଥାନାରେ ମାମଲା କଲେ । ଏହି ସମୟରେ ଘରୁ ଏକ ଡାଏରୀ ମଧ୍ୟ ମିଳିଲା । ଆଉ ଏଥିରେ ଲେଖାଥିଲା ସୁଇସାଇଡ ନୋଟ । ୪ ପୃଷ୍ଠାର ଏହି ସୁଇସାଇଡ ନୋଟରେ ଯାହା ଲେଖାଥିଲେ ତାହା ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ଡାଏରିରେ ଲେଖାଥିଲା, ପିଲାଦୁହିଁଙ୍କୁ ତୁମ ଦାୟିତ୍ୱରେ ଛାଡିଲି । ସବୁବେଳେ ତୁମ ସହିତ ଠିଆ ହୋଇଛି ଆଗଭଳି । ଯେତିକି ଦିନ ସାଥିରେ ରହିଲେ ସୁଖଦୁଃଖରେ କାଟିଲେ । ଏବେ ଆଉ ବଞ୍ଚିବାକୁ ଇଚ୍ଛା ଲାଗୁନାହିଁ । ଘରେ କିଛି ଅଭାବ କରିନଥିଲ । ମାତ୍ର ମୋ ଉପରେ ବୋଧ ହୁଏ ତୁମର ସୌଭାଗ୍ୟ ନାହିଁ । ମୋର ଏହି ଷ୍ଟେପ ଲାଗି ମତେ କ୍ଷମା କରିବ ଏବଂ ପିଲାମାନଙ୍କୁ ମଣିଷ କରିବ । ଏହା ଜାଣିବା ପରେ ପୁରା ପରିବାରରେ ପଡିଗଲା କାନ୍ଦବୋବାଳି । ଏହି ଖବର ପାଇବା ପରେ ଆରତିଙ୍କୁ ପରିବାର ଲୋକେ ବହୁତ ଖୋଜାଖୋଜି କରିଥିଲେ ମଧ୍ୟ ଆରତିଙ୍କର କୌଣସି ପତା ମିଳିନଥିଲା । ପରେ ପ୍ରାୟ ଏକ ମାସ ପରେ ହଠାତ୍ ଆରତି ଘରକୁ ଫେରିଥିଲେ । ଆରତି ଘରକୁ ଫେରିବା ପରେ ପରିବାର ଲୋକେ ବହୁତ ଖୁସି ହୋଇଯାଇଥିଲେ । ମା’କୁ ପାଖରେ ପାଇ କୋଳେଇ ପକାଇଲେ ପିଲାମାନେ । ନିଜ ପିଲାମାନଙ୍କୁ ମଧ୍ୟ କୋଳେଇ ପକାଇଥିଲେ ମା’ ଆରତି ।
ତେବେ ଆରତିଙ୍କ କହିବା ମୁତାବକ, ସେ ଜଗନ୍ନାଥଙ୍କୁ ଦର୍ଶନ କରିବା ପରେ ତାଙ୍କର ମନ ପରିବର୍ତ୍ତନ ହୋଇଥିଲା । ସେ ଆତ୍ମହତ୍ୟା ନକରି ପ୍ରାୟ ଏକ ମାସ ପୁରୀରେ ରହିଥିଲେ । ଏବଂ ଟିକେ ମନ ଶାନ୍ତି ହେବା ପରେ ଘରକୁ ଫେରିଥିଲେ । ପାଇବା ପାଇଁ ଜୀବନରୁ ମୁକ୍ତି ଚାହୁଁଥିଲେ ଆରତି ମିଶ୍ର । ଆଉ ଏବେ କାଳିଆର ଆଶିର୍ବାଦରୁ ମିଳିଥିବା ଜୀବନକୁ ନିଜ ପରିବାର ସହ ଖୁସିରେ ବିତାଇବାକୁ ଚିନ୍ତା କରିଛନ୍ତି ଆରତି । ଆଉ ଏବେ କହୁଛନ୍ତି, ସଂସାରର ସମସ୍ତ ଖୁସି ପରିବାରଭିତରେ ହିଁ ଅଛି ।