ଲଦାଖରେ ହିମସ୍ଖଳନ ଘଟି ୫ମୃତ ! ଏବେ ବି ୫ଜଣ ନିଖୋଜ,ବରଫ ଭିତରେ ଚାଲିଛି ସେନାର ଉଦ୍ଧାର କାର୍ଯ୍ୟ

ରାସ୍ତାରେ ଯାଉଥିବା ବେଳେ ପର୍ଯ୍ୟଟକଙ୍କ ଉପରେ ପଡିଥିଲା ବରଫ ପାହାଡ

79

କନକ ବ୍ୟୁରୋ : ଜାମ୍ମୁକାଶ୍ମୀରର ଲଦାଖ ଅଂଚଳରେ ହିମସ୍ଖଳନରେ ୫ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ଜଣ ଫସି ରହିଥିବା ଆଶଙ୍କା କରାଯାଉଛି । ହିମସ୍ଖଳନରେ ଗାଡି ଗୁଡିକ ପୋତି ହୋଇଯାଇଥିବା ବେଳେ ଏଥିରେ ୧୦ଜଣ ପର୍ଯ୍ୟଟକ ରହିଥିଲେ । ଘଟଣା ସର୍ମ୍ପକରେ ଖବର ପାଇବା ପାଇଁ ଭାରତୀୟ ସେନା ପହଂଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି  । ତେବେ ପାଗ ଖରାପ ଥିବା ଯୋଗୁଁ ଉଦ୍ଧାରକାର୍ଯ୍ୟରେ ବାଧା ସୃଷ୍ଟି ହେଉଛି । ଆଜି ସକାଳ ୭ଟା ବେଳେ ଲଦ୍ଦାଖର ଖରଡୁଙ୍ଗଲା ପାସ୍ ଦେଇ ଯାଉଥିବା ସମୟରେ ରାସ୍ତା ଉପରେ ପଡିଥିଲା ବରଫ ଅତଡା ।

ଏହି ସମୟରେ ସେହି ରାସ୍ତା ଦେଇ ଯାଉଥିବା ପର୍ଯ୍ୟଟକଙ୍କ ଗାଡି ବରଫ ଅତଡାରେ ପୋତି ହୋଇଯାଇଛି । ତାଙ୍କୁ ଉଦ୍ଧାର କରିବା ପାଇଁ ମାଇନସ ୧୫ଡିଗ୍ରୀରେ ବରଫରେ ଉଦ୍ଦାର କାର୍ଯ୍ୟ ଜାରି ରଖିଛି ସେନା । ଗତ କିଛି ଦିନ ହେଲା ଜାମ୍ମୁ କଶ୍ମୀରରେ ଭାରି ବରଫପାତ ଜାରି ରହିଛି । ଅନନ୍ତନାଗ, ବଡଗାମ, ବାରାମୁଲ୍ଲା, ବାନ୍ଦିପୋରା, ଗନ୍ଦେରବାଲ, କାର୍ଗିଲ, କୁଲଗାମ, କୁପୱାଡ଼ା ଓ ଲେ’ରେ ହିମସ୍ଖଳନ ନେଇ ମଧ୍ୟ ପାଣିପାଗ ବିଭାଗ ଆଲର୍ଟ ଜାରି କରିଥିଲା । ଏଥିପାଇଁ ଏହି ଅଂଚଳ ଗୁଡିକରେ ଲୋକଙ୍କୁ ବରଫ ପାହାଡ ପାଖକୁ ନଯିବା ସହ ଘରେ ପର୍ଯ୍ୟାପ୍ତ ପରିମାଣର ଖାଦ୍ୟ ମହଜୁଦ ରଖିବା ପାଇଁ ପ୍ରଶାସନ ପକ୍ଷରୁ କୁହାଯାଇଛି ।  ଆସନ୍ତା ୧୯ତାରିଖରୁ ୨୩ତାରିଖ ପର୍ଯ୍ୟନ୍ତ ଜମ୍ମୁକଶ୍ମୀରରେ ପାଗ ଖରାପ ରହିବା ସହ ଲଗାତର ଭାବେ ତୁଷାରପାତ ଲାଗିରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।