ଲକଡାଉନ ଆଣିଲା ଆଖିରେ ଲୁହ । ତାଲାବନ୍ଦ ପାଇଁ ରାସ୍ତାରେ ଗଡୁନି ଗାଡି, କେମିତି ଘରକୁ ଫେରିବେ ଦିନ ମଜୁରିଆ ? ବାଟ ଜାଣିନଥିବାରୁ ରେଳଧାରଣା କଡେ କଡେ ୧୫୦ କିମି ଚାଲି ପଟିଆ ଷ୍ଟେସନରେ ପହଞ୍ଚିଲେ ଶ୍ରମିକ । ଘରକୁ ଫେରାଇ ନେବାକୁ ସରକାରଙ୍କୁ ହେଲେ ନେହୁରା…

2,197

କନକ ବ୍ୟୁରୋ: ଲକଡାଉନ ପାଇଁ ଏବେ ଘରେ ରହିଛି ସାରା ଦେଶ । ଗାଡିମଟର ଚାଲୁନି କି ରାସ୍ତାରେ ଲୋକଙ୍କ ଭିଡ ଜମୁନି । କରୋନା ମୁକାବିଲା ପାଇଁ ସମସ୍ତ ଯାନବାହନ ବନ୍ଦ କରାଯାଇଥିବାରୁ ଅଧା ବାଟରେ ଅଟକିଥିବା ଲୋକ ହନ୍ତସନ୍ତ ହେଉଛନ୍ତି । ତେବେ ଲକଡାଉନ ବଳେ ସାମ୍ନାକୁ ଆସିଛି ଏକ ଅଭାବନୀୟ ଚିତ୍ର । ଗାଡି ଚାଲୁନଥିବାରୁ କିଛି ଶ୍ରମିକ ଚାଲି ଚାଲି ଘରକୁ ଯାଉଥିବା ବେଳେ ଯାଜପୁର ହରିଦାସପୁରରୁ ସେମିତି କିଛି ଶ୍ରମିକ ଟ୍ରେନ ଲାଇନ କଡରେ ଚାଲି ଚାଲି ଭୁବନେଶ୍ୱର ପଟିଆ ଷ୍ଟେସନରେ ପହଞ୍ଚିଛନ୍ତି ।

ସାରା ଦେଶରେ ତାଲା ବନ୍ଦ ଥିବା ବେଳେ ଖାଇବାକୁ ପାଉନାହାନ୍ତି ଦିନ ମଜୁରିଆ ଓ ଶ୍ରମିକ ଶ୍ରେଣୀର ଲୋକେ । ରୋଜଗାର ପାଇଁ ନିଜ ଘର ଛାଡି ଅନ୍ୟତ୍ର ରହୁଥିବା ଲୋକେ ବାଧ୍ୟହୋଇ ଘରମୁହାଁ ହେଉଛନ୍ତି । ତେବେ ଯାତାୟତର କୌଣସି ସାଧନ ନଥିବା ଯୋଗୁଁ ହରିଦାସପୁରରୁ ପ୍ରାୟ ୧୫ରୁ ୨୦ଦିନ ମଜୁରିଆ ଟ୍ରେନ ଲାଇନ କଡେ କଡେ ଆସି ପହଞ୍ଚିଛନ୍ତି । ପ୍ରାୟ ୧୫୦ କିସୋମିଟର ବାଟ ଚାଲି ଚାଲି ସେମାନେ ପଟିଆରେ ପହଞ୍ଚିଛନ୍ତି । ତେବେ ସମସ୍ତ ଶ୍ରମିକଙ୍କ ଘର କୋରାପୁଟ ହୋଇଥିବାରୁ ସେମାନେ କେମିତି ଘରେ ପହଞ୍ଚିବେ ତାହା ଚିନ୍ତାର ବିଷୟ ପାଲଟିଥିବା ବେଳେ ସମସ୍ତେ ସରକାରଙ୍କୁ ଅନୁରୋଧ କରିଛନ୍ତି ।

ସେପଟେ ଶ୍ରମିକଙ୍କ ଦୁଃଖ ଦେଖି, ସଙ୍କଟ ସମୟରେ ସେମାନଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଥିଲେ ସ୍ଥାନୀୟ ଜଣେ ଯୁବକ । ନିଜ ସାମର୍ଥ୍ୟ ଅନୁସାରେ ସେମାଙ୍କୁ ଖାଇବାକୁ ଦେବା ସହ ବିସ୍କୁଟ, କଦଳୀ ଭଳି କିଛି ଶୁଖିଲା ଖାଦ୍ୟ ଦେଇ ସେମାନଙ୍କ ପାଇଁ ଦେବଦୂତ ପାଲଟିଥିଲେ । ତେବେ ସରକାର ଉକ୍ତ ଶ୍ରମିକଙ୍କୁ ଘରେ ପହଞ୍ଚାଇବାକୁ ସେମାନେ ନେହୁରା ହୋଇଛନ୍ତି ।