କ୍ରୋଧ ଥମିଗଲା କୁସୁମଙ୍କର! ଭୁବନେଶ୍ୱରକୁ ଆସିଲେ, ନବୀନଙ୍କ ନିଷ୍ପତିରେ ହଁ ମାରିଲେ । ପଦ ପାଇ ଖୁସିରେ ଫେରିଲେ ।

1,001

କନକ ବ୍ୟୁରୋ : ବିଜେଡିକୁ ଯୋଗେଶ ଆସିଲେ ଏବଂ କୁସୁମ ମଧ୍ୟ ମାନିଗଲେ । ଆଉ ଏହାକୁ ସମ୍ଭବ କରି ଦେଖାଇଲେ ରାଜନୀତିର ଧୂରନ୍ଧର ନବୀନ ପଟ୍ଟନାୟକ । ବିଜେଡିରେ ଯୋଗେଶ ଯୋଗଦାନକୁ ନେଇ ସୁନ୍ଦରଗଡ ବିଜେଡିରେ ଯେଉଁ ଅସନ୍ତୋଷ ଦେଖାଦେଇଥିଲା ସେଥିରେ ଏକରକମ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ । ଆଜି ବିଜେଡି କାର୍ଯ୍ୟାଳୟରେ ନବୀନଙ୍କ ଉପସ୍ଥିତିରେ ଯୋଗେଶ ସିଂ ସବୁଜ କ୍ୟାମ୍ପରେ ଯୋଗ ଦେଇଥିବା ବେଳେ ପାଖରେ ଥିଲେ କୁସୁମ ଟେଟେ । ନବୀନଙ୍କ ନିଷ୍ପତିକୁ ସମ୍ମାନ ଜଣାଇବା ସହ ଯୋଗେଶଙ୍କୁ ଦଳକୁ ସ୍ୱାଗତ କରିଥିଲେ ନିଜେ କୁସୁମ । ଯାହା ସମସ୍ତଙ୍କୁ ଆଶ୍ଚଯ୍ୟ କରିଥିଲା ।

ଯୋଗେଶଙ୍କ ବିଜେଡିରେ ଯୋଗଦାନ ପୂର୍ବରୁ ସୁନ୍ଦରଗଡ ବିଜେଡିରେ ଅସନ୍ତୋଷ ଦେଖିବାକୁ ମିଳିଥିଲା । ଖାସକରି ୨୦୧୪ରେ ବିଜେଡିରୁ ପ୍ରାର୍ଥୀ ହୋଇଥିବା କୁସୁମ ଟେଟେଙ୍କ ସମର୍ଥକ ମାନେ ଯୋଗେଶଙ୍କ ବିଜେଡି ଯୋଗଦେବାକୁ ସହଜରେ ଗ୍ରହଣ କରିପାରିନଥିଲେ । ଏପରିକି କୁସୁମଙ୍କୁ ବୁଝାଇବାକୁ ଭୁବନେଶ୍ୱରରେ ବିଜେଡିର ଦୁଇ ନେତା ଯାଇଥିଲେ ମଧ୍ୟ ତାହା ଫେଲ ମାରିଥିଲା । ଯୋଗେଶ ଦଳରେ ମିଶିଲେ ବିଜେଡି ଛାଡିବୁ ବୋଲି କୁସୁମଙ୍କ ସମର୍ଥକ ସିଧାସଳଖ ଭୁବନେଶ୍ୱରରୁ ଯାଇଥିବା ନେତାଙ୍କୁ ଶୁଣାଇ ଦେଇଥିଲେ । କାରଣ ଦୀର୍ଘ ୧୦ ବର୍ଷ ଧରି କଂଗ୍ରେସର ବିଧାୟକ ରହି ଆସିଥିବା ଯୋଗେଶ ସିଂ ସୁନ୍ଦରଗଡ ପାଇଁ କୌଣସି କାମ କରିନାହାନ୍ତି ତେଣୁ ତାଙ୍କୁ ଦଳରେ ନ ମିଶାଇବାକୁ ଅନୁରୋଧ କରିଥିଲେ କୁସୁମ ଟେଟେଙ୍କ ସମର୍ଥକ । କାରଣ ଯୋଗେଶଙ୍କ ବିଜେଡିରେ ମିଶିବା ଦ୍ୱାରା କୁସୁମଙ୍କ ରାଜନୈତିକ କ୍ୟାରିୟରରେ ଏକରକମ ପୂର୍ଣ୍ଣଚ୍ଛେଦ ପଡିଯିବ ବୋଲି ଗୋଟିଏ ଧାରଣା ସୃଷ୍ଟି ହୋଇଥିଲା ।

ଯୋଗେଶଙ୍କୁ ନେଇ କୁସୁମ ଟେଟେଙ୍କ ସମର୍ଥକଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଥିବା ବେଳେ ଯୋଗେଶଙ୍କୁ ବିଜେଡିରେ ମିଶାଇବା ପାଇଁ ଆରମ୍ଭ ହୋଇଥିଲା ପ୍ରୟାସ । ସୁନ୍ଦରଗଡ ବଦଳରେ ଭୁବନେଶ୍ୱର ପାର୍ଟି ଅଫିସରେ ଯୋଗେଶଙ୍କୁ ମିଶାଇବା ପାଇଁ ସ୍ଥିର ହେବା ପରେ କୁସୁମଙ୍କୁ ଭୁବନେଶ୍ୱରରୁ ଆସିଥିଲା ଡାକରା । ଦଳର କ୍ରାଇସିସ ମ୍ୟାନେଜର କୁସୁମଙ୍କୁ ବୁଝାଇବା ପରେ ଯୋଗେଶଙ୍କ ବିଜେଡିରେ ମିଶିବା ପଥ ପରିଷ୍କାର ହୋଇଥିଲା । ସୁନ୍ଦରଗଡରେ ଯେଉଁ ଫର୍ମୂଲା କାମ କରିନଥିଲା ତାହାକୁ ଭୁବନେଶ୍ୱରରେ ଗ୍ରହଣ କରି ନେଇଥିଲେ କୁସୁମ । ଆଉ ଏହା ବଦଳରେ କୁସୁମଙ୍କୁ ମିଳିଥିଲା ସୁନ୍ଦରଗଡ ସ୍ପେଶାଲ ଡେଭଲପମେଣ୍ଟ କାଉନସିଲର ଚେୟାରମ୍ୟାନ ପଦ । ଆଉ ଠିକ୍ ସମୟରେ ନବୀନଙ୍କ ଏହି ସନ୍ତୁଷ୍ଟି ଫର୍ମୁଲା ବେଶ କାମ ଦେଇଥିଲା । ଯାହା କୁସୁମ ଓ ତାଙ୍କ ସମର୍ଥକଙ୍କୁ ସନ୍ତୁଷ୍ଟ କରିଥିଲା । ଆଉ ଏହାପରେ ବିନା କୌଣସି କନ୍ଦଳ ଓ ବାଧାରେ ବିଜେଡିରେ ମିଶିଥିଲେ କଂଗ୍ରେସର ହାତ ଛାଡିଥିବା ଯୋଗେଶ ସିଂ ।