ଭୁବନେଶ୍ୱରରେ ମନ ମିଳିଲା, ସୁନ୍ଦରଗଡରେ ଫାଟ ବଢିଲା! ଯୋଗେଶଙ୍କ ରୋଡ ସୋ’ରେ ସାମିଲ ହେଲେନି କୁସୁମ । ବଢିଲା ସୁନ୍ଦରଗଡ କଳି ?

638

କନକ ବ୍ୟୁରୋ : ଭୁବନେଶ୍ୱରରେ ମିଶିଲେ, ସୁନ୍ଦରଗଡରେ ଭୁଲିଗଲେ । ସୁନ୍ଦରଗଡର ପୂର୍ବତନ ବିଧାୟକ ଯୋଗେଶ ସିଂ ବିଜେଡିରେ ମିଶିବା ପୂର୍ବରୁ ଦଳରେ ଯେଉଁଭଳି ଅସନ୍ତୋଷ ଦେଖିବାକୁ ମିଳିଥିଲା ତାହା ଯୋଗେଶ ଦଳରେ ମିଶିବା ପରେ ଉଗ୍ର ରୂପ ଧାରଣ କରିଛି । ଯୋଗେଶ ବିଜେଡିରେ ମିଶିବା ପରେ ସୁନ୍ଦରଗଡରେ ଦଳୀୟ କର୍ମୀ ତାଙ୍କୁ ସମ୍ବର୍ଦ୍ଧନା ଦେବା ସହ ରୋଡ ସୋ’ରେ ନେଇଥିଲେ । କିନ୍ତୁ ସାଙ୍ଗରେ ନଥିଲେ ବିଜେଡି ନେତ୍ରୀ କୁସୁମ ଟେଟେ । ଯାହା ସ୍ପଷ୍ଟ ଦର୍ଶାଉଥିଲା ସୁନ୍ଦରଗଡ ବିଜେଡିରେ ସବୁକିଛି ଠିକ୍ ନାହିଁ ।

ବିଜେଡିରେ ଯୋଗେଶଙ୍କ ଯୋଗଦାନ ସହ ସୁନ୍ଦରଗଡରେ ଦଳକୁ ସଙ୍ଗଠିତ କରିବାକୁ ଉଭୟ କୁସୁମ ଓ ଯୋଗେଶ ପଣ କରିଥିଲେ । ଏପରିକି ପରସ୍ପରକୁ ପ୍ରଂଶସା କରିବା ସହ ସବୁ ସମସ୍ୟାର ସମାଧାନ ହୋଇଗଲା ବୋଲି ବାର୍ତ୍ତା ମଧ୍ୟ ସାମ୍ନାକୁ ଆସିଥିଲା । ଆଉ ୧୯ ବର୍ଷ ଧରି ଏହି ଆସନରେ ବିଜୟର ସ୍ୱାଦ ଚାଖିନଥିବା ବିଜେଡି ପାଇଁ ୨୦୧୯ରେ ଏହି ଆସନରେ ପ୍ରଥମ ଥର ପାଇଁ ବିଜୟର ବାନା ଉଡାଇବା ସମ୍ଭାବନା ସୃଷ୍ଟି ହୋଇଥିଲା । କିନ୍ତୁ ଭୁବନେଶ୍ୱରରୁ ସୁନ୍ଦରଗଡ ଫେରିବା ପରେ ପୁଣିଥରେ ସବୁ କିଛି ପୂର୍ବ ଭଳି ଦେଖିବାକୁ ମିଳିଛି । ପୁଣିଥରେ ଦେଖିବାକୁ ମିଳିଛି ସୁନ୍ଦରଗଡ ବିଜେଡିରେ ଗୋଷ୍ଠୀ କନ୍ଦଳ । ଲାଗୁଛି ଯେମିତି ଯୋଗେଶଙ୍କ ଯୋଗଦାନକୁ ଏଯାଏଁ ଗ୍ରହଣ କରିପାରି ନାହାନ୍ତି କୁସୁମ ଓ ତାଙ୍କର ସମର୍ଥକ । ଯାହାର ଝଲକ ଯୋଗେଶଙ୍କ ସମ୍ବର୍ଦ୍ଧନା ପର୍ବେରେ ଦେଖିବାକୁ ମିଳିଛି ।

ଗୋଟିଏ ପଟେ ଯୋଗେଶଙ୍କ ଯୋଗଦାନ ଦଳକୁ ଶକ୍ତିଶାଳୀ କରିବ ବୋଲି ଭୁବନେଶ୍ୱରରେ କୁସୁମ କହୁଥିବା ବେଳେ ଅନ୍ୟପଟେ ସୁନ୍ଦରଗଡରେ ଯୋଗେଶଙ୍କ ରୋଡ ସୋ’ରେ ଯୋଗ ଦେଇନଥିଲେ କୁସୁମ । ଯାହା ଦର୍ଶାଉଛି ଯୋଗେଶଙ୍କ ଯୋଗଦାନ ଦଳକୁ ଶକ୍ତିଶାଳୀ କରିବା ବଦଳରେ ଦୁର୍ବଳ କରିବାକୁ ଯାଉଛି । ଏସବୁ ଭିତରେ କୁସୁମ କହିଛନ୍ତି, ଯୋଗେଶଙ୍କ ସମ୍ବର୍ଦ୍ଧନା ପର୍ବ ଓ ରୋଡ ସୋ’ ପାଇଁ ତାଙ୍କୁ ବେଳେ ଡକା ହୋଇଥିଲେ ମଧ୍ୟ ସେ ଯାଇନଥାନ୍ତେ ବୋଲି କହିଛନ୍ତି କୁସୁମ । କାରଣ ମୁଖ୍ୟମନ୍ତ୍ରୀ ତାଙ୍କୁ ସୁନ୍ଦରଗଡର ସ୍ପେଶାଲ ଡେଭେଲପମେଂଟ କାଉନସିଲର ଅଧ୍ୟକ୍ଷା ଭାବେ ଦାୟିତ୍ୱ ଦେବା ପରେ କାମ ଉପରେ ଫୋକସ କରିବାକୁ ଚାହୁଁଥିବା କହିଛନ୍ତି କୁସୁମ । ଏହାବାଦ୍ ଯୋଗେଶଙ୍କ ରାଲିରେ ଯୋଗଦେବା ନେଇ ତାଙ୍କୁ ବିଜେଡି ସୁପ୍ରିମୋଙ୍କ ପକ୍ଷରୁ କୌଣସି ନିର୍ଦ୍ଦେଶ ଦିଆଯାଇନଥିବା କହିଛନ୍ତି କୁସୁମ ।

ଯୋଗେଶଙ୍କ ବିଜେଡିରେ ଯୋଗଦାନକୁ ପୂର୍ବରୁ ବିରୋଧ କରିଆସୁଥିଲେ କୁସୁମ ଓ ତାଙ୍କର ସମର୍ଥକ  । ଖାସକରି ୨୦୧୪ରେ ବିଜେଡିରୁ ପ୍ରାର୍ଥୀ ହୋଇଥିବା କୁସୁମ ଟେଟେଙ୍କ ସମର୍ଥକ ମାନେ ଯୋଗେଶଙ୍କ ବିଜେଡି ଯୋଗଦେବାକୁ ସହଜରେ ଗ୍ରହଣ କରିପାରିନଥିଲେ । ଏପରିକି କୁସୁମଙ୍କୁ ବୁଝାଇବାକୁ ଭୁବନେଶ୍ୱରରେ ବିଜେଡିର ଦୁଇ ନେତା ଯାଇଥିଲେ ମଧ୍ୟ ତାହା ଫେଲ ମାରିଥିଲା । ଯୋଗେଶ ଦଳରେ ମିଶିଲେ ବିଜେଡି ଛାଡିବୁ ବୋଲି କୁସୁମଙ୍କ ସମର୍ଥକ ସିଧାସଳଖ ଭୁବନେଶ୍ୱରରୁ ଯାଇଥିବା ନେତାଙ୍କୁ ଶୁଣାଇ ଦେଇଥିଲେ । କାରଣ ଦୀର୍ଘ ୧୦ ବର୍ଷ ଧରି କଂଗ୍ରେସର ବିଧାୟକ ରହି ଆସିଥିବା ଯୋଗେଶ ସିଂ ସୁନ୍ଦରଗଡ ପାଇଁ କୌଣସି କାମ କରିନାହାନ୍ତି ତେଣୁ ତାଙ୍କୁ ଦଳରେ ନ ମିଶାଇବାକୁ ଅନୁରୋଧ କରିଥିଲେ କୁସୁମ ଟେଟେଙ୍କ ସମର୍ଥକ । କାରଣ ଯୋଗେଶଙ୍କ ବିଜେଡିରେ ମିଶିବା ଦ୍ୱାରା କୁସୁମଙ୍କ ରାଜନୈତିକ କ୍ୟାରିୟରରେ ଏକରକମ ପୂର୍ଣ୍ଣଚ୍ଛେଦ ପଡିଯିବ ବୋଲି ଗୋଟିଏ ଧାରଣା ସୃଷ୍ଟି ହୋଇଥିଲା ।

ଏଭଳି ସ୍ଥିତିରେ ଯୋଗେଶ ନା କୁସୁମ କାହାକୁ ମିଳିବ ବିଜେଡି ଟିକେଟ? ସବୁଠାରୁ ବଡ ଦିଗକୁ ନେଇ ବର୍ତ୍ତମାନ ଆରମ୍ଭ ହୋଇଯାଇଛି ସମୀକ୍ଷା । ଯୋଗେଶଙ୍କୁ କଂଗ୍ରେସ ଟିକେଟ ମିଳିବା ପକ୍କା ଥିବା ବେଳେ ତାଙ୍କ ବିରୋଧରେ ଥିବା ଜନ ଅସନ୍ତୋଷକୁ ପ୍ରତିହତ କରିବାକୁ ସେ ବିଜେଡିରେ ମିଶିଲେ ବୋଲି ଚର୍ଚ୍ଚା କରାଯାଉଛି । କୁହାଯାଉଛି, ପଂଚାୟତ ନିର୍ବାଚନରେ ଦଳର ଦୁର୍ବଳ ପ୍ରଦର୍ଶନ ପରେ ବିଜେଡି ଆଡକୁ ଢଳିବା ଆରମ୍ଭ କରିଥିଲେ ଯୋଗେଶ । ଆଉ ନବ ଦାସ ବିଜେଡିରେ ସାମିଲ ହେବା ପରେ ଏହି ରାସ୍ତା ଆହୁରି ସଫା ହୋଇଥିଲା ।ଅନ୍ୟପକ୍ଷରେ କୁସୁମ ଟେଟେ ୨୦୧୪ରେ ନିର୍ବାଚନରେ ହାରିବା ପରେ ମଧ୍ୟ ଦଳୀୟ ସଂଗଠନକୁ ସୁଦୃଢ କରିବାକୁ ଚେଷ୍ଟା ଚଳାଇଥିଲେ । ଫଳରେ ଭୁବନେଶ୍ୱରରୁ ଯାଇଥିବା ଦୁଇ ନେତାଙ୍କ ପ୍ଲାନ ବିରୋଧରେ ମତ ରଖିଥିଲେ ତାଙ୍କ ସମର୍ଥକ । ଏପରିକି ଭୁବନେଶ୍ୱର ନିଷ୍ପତ୍ତିକୁ ସହଜରେ ମାନିବେ ନାହିଁ ବୋଲି ରୋକଠୋକ ଶୁଣାଇ ଦେଇଥିଲେ ।

ଚର୍ଚ୍ଚା ଅନୁସାରେ, ଉଭୟଙ୍କୁ ଥଇଥାନ କରିବାକୁ ବିଜେଡିର ରଣନୀତିକାର ଚେଷ୍ଟା କରୁଛନ୍ତି । ତଳସରାରୁ କୁସୁମ ଟେଟେଙ୍କୁ ପ୍ରାର୍ଥୀ କରିବା ସହ ଯୋଗେଶଙ୍କୁ ସୁନ୍ଦରଗଡରୁ ପ୍ରାର୍ଥୀ ଭାବେ ଦଳ ସାମ୍ନାକୁ ଆଣିପାରେ ବୋଲି ଅନୁମାନ କରାଯାଉଛି । ହେଲେ ଏହି ଫର୍ମୁଲା କାର୍ଯ୍ୟକାରୀ କରିବା ଏତେ ସହଜ ନୁହେଁ । କାରଣ ଭୁବନେଶ୍ୱରର ଏହି ଫର୍ମୁଲାକୁ କୁସୁମଙ୍କ ସମର୍ଥକ ପ୍ରତ୍ୟାଖାନ କରିଦେଇଛନ୍ତି । ଏଭଳି ସ୍ତରରେ ସୁନ୍ଦରଗଡ ରାଜନୈତିକ ସମୀକରଣରେ କୁସୁମ ଏବଂ ଯୋଗେଶ ସିଂଙ୍କ ମଧ୍ୟରେ କିଭଳି ସାମଞ୍ଜସ୍ୟ ରଖାଯାଉଛି ଏବଂ ବିଜେଡି ରଣନୀତି କାର କଣ ଫର୍ମୁଲା ବାହାର କରୁଛନ୍ତି, ତାକୁ ଅପେକ୍ଷା ।