ସୁନ୍ଦରଗଡ ଉନ୍ନୟନ ପରିଷଦରୁ ଇସ୍ତଫା ଦେଇଛନ୍ତି କୁସୁମ ଟେଟେ । କହିଲେ, ନିର୍ବାଚନ ପାଇଁ ମୋତେ ଦଳୀୟ ଟିକେଟ୍ ମିଳିବ ତେଣୁ ଦୁଇଟି ପଦବୀରେ ରହିବି ନାହିଁ

570

କନକ ବ୍ୟୁରୋ: ସୁନ୍ଦରଗଡ ଉନ୍ନୟନ ପରିଷଦରୁ ଇସ୍ତଫା ଦେଇଛନ୍ତି କୁସୁମ ଟେଟେ । ତେବେ ଇସ୍ତଫା ଦେବାର କାରଣ ମଧ୍ୟ ସ୍ପଷ୍ଟ କରିଛନ୍ତି କୁସୁମ । କୁସୁମ ଟେଟେ ନିଜର ପ୍ରତିକ୍ରିୟାରେ କହିଛନ୍ତି ଯେ ସେ ଏଥର ବିଧାନସଭା ନିର୍ବାଚନ ଲଢ଼ିବାକୁ ନିଷ୍ପତି ନେଇଥିବା ହେତୁ ସୁନ୍ଦରଗଡ଼ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷା ପଦରୁ ଇସ୍ତଫା ଦେଇଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ନିଜର ବ୍ୟକ୍ତିଗତ କାରଣରୁ ଏହି ପଦବୀ ଛାଡ଼ିଛନ୍ତି। ସେ କହିଛନ୍ତି କି, ନିର୍ବାଚନ ପାଇଁ ମୋତେ ଦଳୀୟ ଟିକେଟ୍ ମିଳିବ । ତେଣୁ ଦୁଇଟି ପଦବୀରେ ରହିବି ନାହିଁ ବୋଲି କୁସୁମ ଟେଟେ ସ୍ପଷ୍ଟିକରଣ ଦେଇ କହିଛନ୍ତି ।

ସୁନ୍ଦରଗଡ ବିଧାନସଭା ନିର୍ବାଚନମଣ୍ଡଳୀ । ରାଜ୍ୟର ଏକ ସମ୍ମାନଜନକ ବିଧାନସଭା ଆସନ ଭାବେ ପରିଗଣିତ ହେଉଥିବା ଏହି ଆସନକୁ ହାତେଇବାକୁ ଏବେ ୩ ପ୍ରମୁଖ ଦଳ କସରତ ଆରମ୍ଭ କରିଛନ୍ତି । ଖାସକରି ଗତ ଦୁଇଟି ନିର୍ବାଚନରେ କଂଗ୍ରେସର ଗଡ ପାଲଟିଥିବା ସୁନ୍ଦର‘ଗଡ’ ଆସନକୁ ହାତେଇବା ପାଇଁ ଭିନ୍ନ ରଣନୀତି ଆପଣାଇଛି ବିଜେଡି । ପ୍ରଥମେ ପୂର୍ବତନ କଂଗ୍ରେସ ବିଧାୟକ ଯୋଗେଶ ସିଂଙ୍କୁ ଦଳରେ ମିଶାଇ ସୁନ୍ଦରଗଡ ଜିଲ୍ଲାରେ ନୂଆ ସମୀକରଣ ସୃ୍ଷ୍ଟି କରିଥିଲା ବିଜେଡି । ଯୋଗେଶଙ୍କୁ ଦଳରେ ମିଶାଇବା ସହ ସୁନ୍ଦରଗଡ ଆସନରେ ପ୍ରଥମ ଥର ପାଇଁ ଖାତା ଖୋଲିବାକୁ ଲକ୍ଷ୍ୟ ରଖିଥିବା ବେଳେ ବାଧକ ସାଜିଥିଲେ କୁସୁମ ଟେଟେ । ଯୋଗେଶଙ୍କ ଯୋଗଦାନକୁ ସିଧାସଳଖ ବିରୋଧ କରିଆସୁଛନ୍ତି ୨୦୧୪ରେ ଦଳୀୟ ଟିକେଟରେ ନିର୍ବାଚନ ଲଢିଥିବା କୁସୁମ ଟେଟେ । ଯୋଗେଶ ଶଙ୍ଖ ଧରିବା ପରେ ଅସନ୍ତୁଷ୍ଟ ହୋଇପଡିଥିଲେ କୁସୁମଙ୍କ ସମର୍ଥନ ।

ତେଣୁ କୁସୁମଙ୍କୁ ମନାଇବା ପାଇଁ ତାଙ୍କୁ ସୁନ୍ଦରଗଡ଼ ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ ନିଯୁକ୍ତି କରିଥିଲେ ନବୀନ ।  କୁସୁମ ୨ ବର୍ଷ ପାଇଁ ଅଧ୍ୟକ୍ଷ ଭାବେ ଦାୟିତ୍ୱରେ ରହିବେ ବୋଲି ରାଜ୍ୟ ସରକାରଙ୍କ ଯୋଜନା ଓ ସମନ୍ୱୟ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ଥିଲା । ତେବେ ବିଜେଡି ଟିକେଟ ମିଳିବା ନେଇ ସବୁଜ ସଂକେତ ମିଳିବା ପରେ ଯୋଗେଶ ବିଜେଡିରେ ଯୋଗ ଦେଇଥିବା ଚର୍ଚ୍ଚା ହେଉଥିବା ବେଳେ ନବୀନଙ୍କ ଫୋକସରେ ମହିଳା ରହିଥିବାରୁ କୁସୁମଙ୍କ ସମର୍ଥକ ମଧ୍ୟ ତାଙ୍କୁ ଟିକେଟ ରେସରେ ଆଗରେ ଥିବା କହି ଆସୁଛନ୍ତି । ଏସବୁ ଭିତରେ ସୁନ୍ଦରଗଡ ଉନ୍ନୟନ ପରିଷଦରୁ ଇସ୍ତଫା ଦେଇଛନ୍ତି କୁସୁଟ ଟେଟେ ।