ପ୍ରାର୍ଥୀ ତାଲିକା ଘୋଷଣା ପରେ ବଢ଼ିଲା ଅସନ୍ତୋଷ । ବିଜେଡିରୁ ଇସ୍ତଫା ଦେଲେ କୁସୁମ ଓ ପ୍ରମୋଦ ।

1,119

କନକ ବ୍ୟୁରୋ: ବିଜେଡି ପ୍ରାର୍ଥୀ ତାଲିକା ଘୋଷଣା ପରେ ବଢୁଛି ଅସନ୍ତୋଷ । ବିଜେଡିରୁ ଇସ୍ତଫା ଦେଲେ ସୁନ୍ଦରଗଡ଼ ବିଜେଡି ନେତ୍ରୀ କୁସୁମ ଟେଟେ ଓ କଳାହାଣ୍ଡି ବିଜେଡି ସାଧାରଣ ସମ୍ପାଦକ ପ୍ରମୋଦ ପଟ୍ଟନାୟକ । ତେବେ ପ୍ରାର୍ଥୀ ଚୟନରେ ଅସନ୍ତୋଷ ପ୍ରକାଶ କରି ଇସ୍ତଫା ଦେଇଛନ୍ତି କୁସୁମ ବୋଲି ସୂଚନା ମିଳିଛି । ଗତକାଲି ବିଜେଡି ପ୍ରାର୍ଥୀ ତାଲିକାରେ ତାଙ୍କୁ ଟିକେଟ୍ ନଦେଇ ସୁନ୍ଦରଗଡ଼ ବିଧାନସଭା ବିଜେଡି ପ୍ରାର୍ଥୀ ଭାବେ କଂଗ୍ରେସରୁ ଆସି ବିଜେଡିରେ ଯୋଗଦେଇଥିବା ଯୋଗେଶ ସିଂଙ୍କୁ ଟିକେଟ୍ ଦେବାପରେ କୁସୁମ ଅସନ୍ତୋଷ ପ୍ରକାଶ କରିଛନ୍ତି । ତେବେ ୨୦୧୪ ସାଧାରଣ ନିର୍ବାଚନରେ ବିଜେଡି ତରଫରୁ ସୁନ୍ଦରଗଡ଼ ବିଧାୟକ ପ୍ରାର୍ଥୀ ହୋଇଥିଲେ କସୁମ । ଏବଂ ଯୋଗେଶଙ୍କ ଠାରୁ ପରାଜିତ ହୋଇଥିଲେ ।

ଏହାପୂର୍ବରୁ କସୁମ ଟେଟେ ଗତ ୧୭ ତାରିଖ ଦିନ ସୁନ୍ଦରଗଡ ଉନ୍ନୟନ ପରିଷଦରୁ ଇସ୍ତଫା ଦେଇଥିଲେ । ଏବଂ କହିଥିଲେ ସେ ଏଥର ବିଧାନସଭା ନିର୍ବାଚନ ଲଢ଼ିବାକୁ ନିଷ୍ପତି ନେଇଥିବା ହେତୁ ସୁନ୍ଦରଗଡ଼ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷା ପଦରୁ ଦେଇଛନ୍ତି । ଏବଂ ନିର୍ବାଚନ ପାଇଁ ମୋତେ ଦଳୀୟ ଟିକେଟ୍ ମିଳିବ ବୋଲି ଦମ୍ଭୋକ୍ତି ବାଢିଥିଲେ କସୁମ । କିନ୍ତୁ ଗତକାଲି ବିଜେଡି ସୁପ୍ରିମୋଙ୍କ ଦ୍ୱାରା ହୋଇଥିବା ପ୍ରାର୍ଥୀ ଘୋଷଣାରେ କୁସୁମଙ୍କ ନାଁ ନଥିବାରୁ ସେ ଇସ୍ତଫା ଦେଇଛନ୍ତି ବୋଲି ସୂଚନା ମିଳିଛି ।

ଅନ୍ୟପଟେ କଳାହାଣ୍ଡିରେ ମଧ୍ୟ ବିଜେଡିରେ ଫାଟ ସୃଷ୍ଟି ହୋଇଛି । କଳାହାଣ୍ଡି ବିଜେଡି ସାଧାରଣ ସମ୍ପାଦକ ପଦରୁ ଇସ୍ତଫା ଦେଇଛନ୍ତି ପ୍ରମୋଦ ପଟ୍ଟନାୟକ । ଜୁନାଗଡ଼ରୁ ବିଜେଡି ଟିକେଟ୍ ନପାଇବାରୁ ଇସ୍ତଫା ଦେଇଥିବା ସୂଚନା । ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ପ୍ରମୋଦ ।