ତେଜୁଛି କୁଶେଇ ସେତୁ ପୋଲ ନିର୍ମାଣ ବିବାଦ : ୨ଶହରୁ ଅଧିକ ଜଣଙ୍କ ନାଁରେ ମାମଲା ରୁଜୁ କଲା ପୁଲିସ

22

କେନ୍ଦୁଝର : ବେଲବାହାଳିି କୁଶେଇ ସେତୁକୁ ନେଇ ବିବାଦ ବଢ଼ିବାରେ ଲାଗିଛି । ପୁଲିସକୁ ଆକ୍ରମଣ ଅଭିଯୋଗ ଘଟଣାକୁ ନେଇ ୩ ଜଣଙ୍କୁ ଗିରଫ କରାଯାଇଛି । ସେହିପରି ଏହି ଘଟଣାରେ ୨ଶହରୁ ଅଧିକ ଜଣଙ୍କ ନାଁରେ ମାମଲା ରୁଜୁ ହୋଇଛି । ଘସିପୁରା ଏବଂ ରାମଚନ୍ଦ୍ରପୁର ଥାନାରେ ଏହି ମାମଲା ରୁଜୁ ହୋଇଥିବା ନେଇ ସୂଚନା ଦେଇଛନ୍ତି କେନ୍ଦୁଝର ଏସପି । ଗ୍ରାମବାସୀମାନେ ନିଜ ଜିଦରେ ଅଟଳ ଥିବା ବେଳେ ପୋଲ ନିର୍ମାଣ କାମ ବନ୍ଦ ରଖିଛି ଜିଲ୍ଲା ପ୍ରଶାସନ । ସ୍ଥିତି ଅନୁଧ୍ୟାନ କରିଛନ୍ତି ପଶ୍ଚିମାଚଂଳ ଆଇଜି ରାଧାକୃଷ୍ଣ ଶର୍ମା । ଜିଲ୍ଲାପାଳ ଓ ଏସପିଙ୍କ ସହ ଘଟଣା ସଂପର୍କରେ ଆଲୋଚନା କରିଛନ୍ତି ।

ବେଲବାହାଲି ଗାଁରେ ଚାପା ଉତେଜନା ଲାଗି ରହିଛି । ପ୍ରଶାସନ କାମ ଆରମ୍ଭ କଲେ ପୁଣି ଉତେଜନା ତୀବ୍ର ହେବ ବୋଲି ସ୍ଥାନୀୟ ଲୋକେ କହିଛନ୍ତି । ଗତକାଲି ସ୍ଥାନୀୟ ଅଂଚଳରେ ଦେକାନ ବଜାର ବନ୍ଦ ରହିଥିଲା । ଗତ ଶୁକ୍ରବାର ବେଲବାହାଳିରେ କୁଶେଇ ସେତୁ ନିର୍ମାଣକୁ ନେଇ ପୁଲିସ-ଗ୍ରାମବାସୀ ମୁହାଁମୁହିଁ ହୋଇଥିଲେ । ଉତ୍ୟକ୍ତ ଲୋକଙ୍କ ଢେଲାମାଡରେ ୨ ପୁଲିସ କର୍ମୀ ଆହତ ହୋଇଥିଲେ ।

ଗ୍ରାମବାସୀଙ୍କୁ ଅନ୍ଧାରରେ ରଖି ପ୍ରଶାସନ ରାତି ଅଧିଆ ପୋଲ ନିର୍ମାଣ କାମ ଆରମ୍ଭ କରୁବାକୁ ଚାହୁଁଥିବା ଅଭିଯୋଗ କରି ଉତ୍ୟକ୍ତ ହୋଇପଡିଥିଲେ ଲୋକେ । ଆଉ ପୁଲିସ ଉପରକୁ ଟେକା ପଥର ମଧ୍ୟ ମାଡ କରିଥିଲେ ।