ପରଲୋକରେ ବିଶିଷ୍ଟ ଫିଲ୍ମ ପ୍ରଯୋଜକ କୁଶ ପଟ୍ଟନାୟକ

143

ଭୁବନେଶ୍ୱର ବ୍ୟୁରୋ , କନକ ନ୍ୟୁଜ୍ : ଓଡିଆ ଚଳଚିତ୍ର ଜଗତର ଜଣେ ସଫଳ ପ୍ରଯୋଜକ କୁଶ ପଟ୍ଟନାୟକଙ୍କ ଏକ ସଡକ ଦୃର୍ଘଟଣାରେ ପରଲୋକ ହୋଇଯାଇଛି । ଗୁରୁବାର ସଂନ୍ଧ୍ୟାରେ ସେ ରାମମନ୍ଦିର ଛକ ସମ୍ମୁଖରେ ରାସ୍ତା ପାର ହେଉଥିବା ବେଳେ ଏକ ଅଜଣା ବାଇକ ତାଙ୍କୁ ଧକ୍କା ଦେଇଥିଲା । ଫଳରେ ସେ ତଳେ ପଡିଯାଇ ଆହତ ହୋଇଥିଲେ । ପରେ ପରେ ତାଙ୍କୁ ଏକ ଘରୋଇ ହସପିଟାଲକୁ ସ୍ଥାନାନ୍ତରିତ କରାଯାଇଥଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ୫୭ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି । ମୃତ ଖବର ପାଇ ଚଳଚିତ୍ର ଜଗତର ବହୁ କଳାକାର, ନିର୍ଦେଶକ, ପ୍ରଯୋଜକଙ୍କ ସହିତ ଆତ୍ମିୟ ସ୍ୱଜନ ସେଠାରେ ପହଂଚିଥିଲେ । ତାଙ୍କ ବିୟୋଗରେ ଓଡିଆ ଚଳଚିତ୍ର ଜଗତର ଏକ ଅପୁରଣୀୟ କ୍ଷତି ହୋଇଥିବା ଜଣାପଡିଛି ।

କୁଶ ପଟ୍ଟନାୟକ ଦେହାନ୍ତ ପରେ ଚଳଚିତ୍ର ଜଗତ ସ୍ତବ୍ଧ ହୋଇଯାଇଛି । ଫିଲ୍ମ ପ୍ରଯୋଜକ ସଂଘର ସଭାପତି ଭାବେ କାର୍ଯ୍ୟ ତୁଲାଉଥିଲେ କୁଶ ପଟ୍ଟନାୟକ । ଏଥିସହିତ ସେ କଣ୍ଢେଇ ଆଖିରେ ଲୁହ,ଚକୋଲେଟ୍, କେହି ଜଣେ ଭଲ ଲାଗେରେ, ବଙ୍ଗାଳୀ ଚଳଚିତ୍ର ପୁତଲେରୋ ପ୍ରତିଶୋଧ, ଭଳି ଲୋକପ୍ରିୟ ଚଳଚ୍ଚିତ୍ର ନିର୍ମାଣ କରିଥିଲେ । ସେହିଭଳି ଧାରାବାହିକ ‘ତୋ ଅଗଣାରେ ତୁଳସୀ ମୁଁ’ରେ ସହ ପ୍ରଯୋଜକ ଓ ଧାରାବାହିକ ‘ଟୋପାଏ ସିନ୍ଦୁର’ର ପ୍ରଯୋଜକ ଥିଲେ । ମାନିନୀ ଧାରାବାହିକରେ ସେ ଉପଦେଷ୍ଟା ଥିଲେ । ଜଣେ ଆଗଧାଡିର ଫୁଟବଲ ଖେଳାଳି ଭାବେ ମଧ୍ୟ ସେ ଜଣାଶୁଣା ।