କୁନ୍ଦୁଲି ପୀଡିତାଙ୍କ ଆତ୍ମହତ୍ୟା ପରେ ତେଜିଲା ରାଜନୀତି ! ବ୍ୟବଚ୍ଛେଦ ପାଇଁ ମୃତଦେହ ଛାଡୁନାହାନ୍ତିି ପରିବାର, ମେଡିକାଲରେ ଉତ୍ତେଜନା

55

କନକ ବ୍ୟୁରୋ: କୁନ୍ଦୁଲି ଦୁଷ୍କର୍ମ ପୀଡିତା ଆତ୍ମହତ୍ୟା କରିବା ପରେ ତେଜିଛି ରାଜନୀତି । ଗୋଟିଏ ପଟେ ବିଜେପି ରାଜ୍ୟବ୍ୟାପି ଆନ୍ଦୋଳନ କରିବାକୁ ଡାକରା ଦେଇଛି । ଅନ୍ୟପଟେ ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କ ନେତୃତ୍ୱରେ ଏକ ଟିମ୍ କୋରାପୁଟକୁ ଯାଇଛନ୍ତି । ସେପଟେ ପୀଡିତାଙ୍କ ପରିବାରବର୍ଗ ଓ ଗ୍ରାମବାସୀ ୨୬ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି । ଏଥିରେ ସାମିଲ ହୋଇଛନ୍ତି କଂଗ୍ରେସର ପୂର୍ବତନ ସାଂସଦ ପ୍ରଦୀପ ମାଝି ।

ଶବ ବ୍ୟବଛେଦ ପାଇଁ ମୃତ ଦେହକୁ ଛାଡି ନାହାଁନ୍ତି ପରିବାର ଲୋକ । ମେଡିକାଲରୁ ମୃତ ଦେହକୁ ନେଇ କୁନ୍ଦୁଲି ଛକରେ ରାସ୍ତା ଅବରୋଧ କରିବା ପାଇଁ ବାହାରିଛନ୍ତି । ଦୁଷ୍କର୍ମ ପରେ ଡାକ୍ତରୀ ମାଇନା କରିଥିବା ଡାକ୍ତର ଓ ଡିଆଇଜିଙ୍କ ନିଲମ୍ବନ ଦାବି କରିଛନ୍ତି ପୀଡିତାଙ୍କ ସମ୍ପର୍କୀୟ । ଡାକ୍ତର ଭୁଲ ରିପୋର୍ଟ ଦେଇଥିବା ଅଭିଯୋଗ କରିବା ସହ ଡିଆଇଜି ପୀଡିତାଙ୍କ ତାଙ୍କର ମତ ବଦଳାଇବାକୁ ଚାପ ପକାଇଥିବା ଅଭିଯୋଗ କରିଛନ୍ତି । ଉତ୍ତେଜନାକୁ ଆଖି ଆଗରେ ରଖି ପୁଲିସ ଫୋର୍ସ ମୁତୟନ କରାଯାଇଛି ।

ଅକ୍ଟୋବର ୧୦ରେ ଯବାନ ପୋଷାକରେ ୪ଜଣ ଯୁବକ କୁନ୍ଦୁଲିର ଏହି ନାବାଳିକାଙ୍କୁ ଗଣଦୁଷ୍କର୍ମ କରିଥିଲେ ବୋଲି ଅଭିଯୋଗ ହୋଇଥିଲା । ତାପରେ ନାବାଳିକାର ଡାକ୍ତରୀ ମାଇନା କରାଯାଇଥିଲା । କିନ୍ତୁ ନାବାଳିକାଙ୍କୁ କୌଣସି ଦୁଷ୍କର୍ମ ହୋଇ ନଥିବା ରିପୋର୍ଟ ଦେଇଥିଲେ ଡାକ୍ତର । ଏହାକୁ ନେଇ ରାଜନୀତି ଜୋର ଧରିଥିଲା । ତାପରେ ବିଚାରବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ରାଜ୍ୟ ସରକାର ।

ଅନ୍ୟପଟେ, କୁନ୍ଦୁଲି ପୀଡିତାଙ୍କ ଆତ୍ମହତ୍ୟାକୁ ନେଇ ରାଜ୍ୟବ୍ୟାପୀ ଆନ୍ଦୋଳନକୁ ଓହ୍ଲାଇବ ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା । ରାଜ୍ୟ ସରକାରଙ୍କ ଅପାରଗତା କାରଣରୁ ଜଣେ ନାବାଳିକାର ପ୍ରାଣହାନୀ ଘଟିଛି ବୋଲି ଅଭିଯୋଗ କରିଛି ଦଳ । ଗତକାଲି କୁନ୍ଦୁଲି ପୀଡିତାଙ୍କ ମୃତ୍ୟୁ ଘଟଣାର ପ୍ରତିବାଦରେ ଦଳ ଶିଶୁ ଭବନ ଛକରୁ ନବୀନ ନିବାସ ଘେରାଉ ପାଇଁ ରାଲିରେ ଆସୁଥିବା ବେଳେ ବାଟରେ ପୋଲିସ ଅଟାକାଇଥିଲା । ଏହି ସମୟରେ ଏକ ପ୍ରକାର ଧସ୍ତାଧସ୍ତି ଅବସ୍ଥା ସୃଷ୍ଟି ହୋଇଥିଲା । ପରେ ପୋଲିସ ପ୍ରାୟ ୫୦ ଜଣ ବିଜେପି ନେତାଙ୍କୁ ଗିରଫ କରିନେଇଛି ।