ମାନସିକ ରୋଗୀ ୱାର୍ଡରେ କୁନ୍ଦୁଲି ପୀଡିତା ! ଘରକୁ ଫେରାଇ ନେବା ପାଇଁ ଜିଦରେ ମା’

37

କନକ ବ୍ୟୁରୋ: କୁନ୍ଦୁଲି ଗଣ ଦୁଷ୍କର୍ମ ପୀଡିତାଙ୍କୁ କଟକ ଏସସିବି ମେଡିକାଲର ମାନସିକ ରୋଗୀ ୱାର୍ଡରେ ଭର୍ତ୍ତି କରାଯାଇଛି । ପୀଡିତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସୁଥିବା ବେଳେ ମାନସିକ ଅବସ୍ଥା ସଂପୂର୍ଣ୍ଣ ଠିକ୍ ନାହିଁ । ତେଣୁ ତାଙ୍କୁ ମେଂଟାଲ ୱାର୍ଡରେ ଭର୍ତ୍ତି କରାଯାଇଥିବା କହିଛନ୍ତି ଚିକିତ୍ସା କରୁଥିବା ଡାକ୍ତର ଶ୍ରୀପ୍ରସାଦ ମହାନ୍ତି । ପୀଡ଼ିତାଙ୍କର ବାନ୍ତିରେ ରକ୍ତ ପଡ଼ିଥିବା ଅଭିଯୋଗ ହେବା ପରେ ତାଙ୍କୁ କୋରାପୁଟରୁ କଟକ ବଡ଼ ମେଡିକାଲକୁ ଅଣାଯାଇଥିଲା । ଏଠାରେ ଏଣ୍ଡୋସ୍କୋପି ସହିତ ଅଲଟ୍ରାସାଉଣ୍ଡ, ଇସିଜି, ଇଇଜି, ଇକୋ, ଏକ୍ସ-ରେ, ରକ୍ତ, ମଳ ଇତ୍ୟାଦି ପରୀକ୍ଷା କରାଯାଇଥିଲା । କେବଳ ସାଇକାଟ୍ରିକ୍ ପରୀକ୍ଷାକୁ ଛାଡ଼ିଦେଲେ ଅନ୍ୟ ସବୁକିଛି ରିପୋର୍ଟ ନେଗେଟିଭ୍ ଆସିଥିଲା । ତେଣୁ ତାଙ୍କୁ ମାନସିକ ରୋଗ ଡାକ୍ତରଙ୍କ ଚିକିତ୍ସାରେ ରଖାଯିବାକୁ ନିଷ୍ପତ୍ତି ନିଆଯାଇଥିବା ସୂଚନା ଦିଆଯାଇଛି ।

ଅନ୍ୟପଟେ ପୀଡିତାଙ୍କୁ ଏସସିବିରେ ଠିକ୍ ଚିକିତ୍ସା କରାଯାଉନଥିବା ଅଭିଯୋଗ ଆଣି ଫେରାଇ ନେବାକୁ ଜିଦ ଧରିଛନ୍ତି ପରିବାର ଲୋକେ । ପୀଡ଼ିତାଙ୍କ ଜୀବନ ପ୍ରତି ବିପଦ ଅଛି ବୋଲି ପରିବାର ଲୋକଙ୍କ ପକ୍ଷରୁ ଅଭିଯୋଗ ଅଣାଯାଇଛି । ତାଙ୍କୁ ସରକାର, ଡାକ୍ତର ମିଳିତଭାବେ ମାରିଦେବାକୁ ବସିଛନ୍ତି । ଘରକୁ ଗଲେ ସେ ଠିକ୍ ହୋଇଯିବ ବୋଲି ପୀଡ଼ିତାଙ୍କ ମା’ ଗତକାଲି ଗଣମାଧ୍ୟମ ଆଗରେ ଚିତ୍କାର କରି କହିଥିଲେ । ତେଣୁ ତାଙ୍କୁ ତୁରନ୍ତ ଘରକୁ ନେଇଯିବାକୁ ସେ ଆସିଛନ୍ତି । ଯଦି ଝିଅକୁ ନଛାଡ଼ନ୍ତି ତାହେଲେ ଏଠାରେ ଆତ୍ମହତ୍ୟା କରିବେ ବୋଲି ପୀଡ଼ିତାଙ୍କ ମା’ ଧମକ ଦେଇଛନ୍ତି । ଗତକାଲି ଏସସିବି ମେଡିକାଲରେ ପୀଡ଼ିତାଙ୍କ ମା’ଙ୍କ ସହିତ ଭାଇ, ଖୁଡ଼ୀ ମଧ୍ୟ ଆସିବା ସହ ପୀଡ଼ିତାଙ୍କୁ ସାଙ୍ଗରେ ନେବା ପାଇଁ ଜିଦ୍ ଧରି ବସିଥିଲେ । ଆଇସିୟୁ ଭିତରେ ପୀଡ଼ିତାଙ୍କୁ ଭେଟିବାକୁ ସେମାନଙ୍କୁ ଅନୁମତି ଦିଆଯାଇଥିଲାବେଳେ ପ୍ରାୟ ୨୦ ମିନିଟ୍ ପର୍ଯ୍ୟନ୍ତ ଝିଅର ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ ।

ଅନ୍ୟପକ୍ଷରେ ପୂର୍ବତନ ସାଂସଦ ତଥା କଂଗ୍ରେସ ନେତା ପ୍ରଦୀପ ମାଝୀ ଏବଂ ବିଧାୟକ କୃଷ୍ଣ ଚନ୍ଦ୍ର ସଗରିଆ ମଧ୍ୟ ବଡ଼ ମେଡିକାଲରେ ପହଞ୍ଚି ପୀଡ଼ିତାଙ୍କୁ ଡିସ୍ ଚାର୍ଜ କରିବା ପାଇଁ ଅଡି ବସିଥିଲେ । ମେଡିକାଲ୍ କର୍ତ୍ତୃପକ୍ଷ ତାଙ୍କ ଦାବି ନମାନିବାରୁ ସେମାନେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଧାରଣା ଦେଇଥିଲେ । ପୀଡ଼ିତାଙ୍କୁ ନ୍ୟାୟ ଦେବା ସହିତ ତାଙ୍କୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ କରିବାକୁ ବିଧାୟକ ସରକାରଙ୍କ ନିକଟରେ ଦାବି ରଖିଛନ୍ତି । ପୁଲିସ୍ ପକ୍ଷରୁ ପ୍ରକୃତ ଘଟଣାକୁ ଚପାଇଦେବାକୁ ଉଦ୍ୟମ କରାଯାଉଛି । ପୀଡ଼ିତା ଦୁଇଦୁଇଥର ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ହେଲେ କୋରାପୁଟ ଜିଲ୍ଲା ପ୍ରଶାସନ ଏହାକୁ ଟଙ୍କା ପାଇବା ଲୋଭରେ ବାହାନା କରାଯାଉଥିବା ହୀନ ଆରୋପ ଲଗାଉଛନ୍ତି । ତେଣୁ ସଂପୃକ୍ତ ସରକାରୀ ଅଧିକାରୀଙ୍କୁ ମଧ୍ୟ ନିଲମ୍ବନ କରାଯାଉ ବୋଲି ବିଧାୟକ ଶ୍ରୀ ସଗରିଆ ଦାବି କରିଛନ୍ତି।

ସେହିପରି ପୀଡ଼ିତାଙ୍କ ସୁରକ୍ଷା ପାଇଁ ଦଳମତ ନିର୍ବିଶେଷରେ ସମସ୍ତେ ଆଗେଇ ଆସିବାକୁ ପୂର୍ବତନ ସାଂସଦ ପ୍ରଦୀପ ମାଝୀ ଆହ୍ଵାନ ଦେଇଛନ୍ତି । ପୀଡ଼ିତାଙ୍କୁ ଘରକୁ ନନେବା ପର୍ଯ୍ୟନ୍ତ ସେ ଧାରଣାରୁ ଉଠିବେ ନାହିଁ ବୋଲି କହିଛନ୍ତି । ଉଭୟ ରାଜନେତାଙ୍କ ସହିତ କିଛି ସାମାଜିକ କର୍ମୀ ମଧ୍ୟ ଏହି ଧାରଣାରେ ଯୋଗଦେଇଥିଲାବେଳେ ସୃଷ୍ଟି ହୋଇଥିବା ପରିସ୍ଥିତି ମେଡିକାଲ୍ କର୍ତ୍ତୃପକ୍ଷଙ୍କ ଚିନ୍ତା ବଢାଇଦେଇଛି । ତଥାପି ବୋର୍ଡର ନିଷ୍ପତ୍ତି ଅନୁଯାୟୀ ଚିକିତ୍ସା ବ୍ୟବସ୍ଥା କରାଯିବ ବୋଲି ଡାକ୍ତର ମହାନ୍ତି କହିଛନ୍ତି ।