ପୁଣି କୁନ୍ଦୁଲି ଦୁଷ୍କର୍ମ ଘଟଣାରେ ନୂଆମୋଡ ! ପୁଲିସର ତଦନ୍ତ ରିପୋର୍ଟକୁ ମିଛ ବୋଲି କହିଲେ ନାବାଳିକା, ଭାଇଙ୍କ ମାଧ୍ୟମରେ କହିଲେ ବାହାରକୁ ଛାଡିଲେ ଗଣମାଧ୍ୟମରେ ଦେବେ ବୟାନ

24

କନକ ବ୍ୟୁରୋ : ଯନ୍ତ୍ରଣାରେ ଛଟପଟ ନାବାଳିକାର ଛାତିଫଟା ଚିତ୍କାର । ଆଉ ଏହାର ଠିକ୍ ମାସକ ପରେ ପୋଲିସର ଉଚ୍ଚ ଅଧିକାରୀଙ୍କ ତଦନ୍ତ କହୁଛି ନାବାଳିକାକୁ ଗଣଦୁଷ୍କର୍ମ ହୋଇଥିବା ନେଇ କୌଣସି ପ୍ରମାଣ ନାହିଁ । ହେଲେ ପୋଲିସ ତଦନ୍ତକୁ ମିଛ କହି ଆଜିବି ନାବାଳିକା କହୁଛନ୍ତି ତାଙ୍କ ସହ ଗଣଦୁଷ୍କର୍ମ ହୋଇଛି । ଆଉ ସୁଯୋଗ ମିଳିଲେ ଗଣମାଧ୍ୟମ ସାମ୍ନାରେ ସେ ସବୁ କଥା କହିବେ । ଆଜି ନାବାଳିକାଙ୍କୁ ଶିଶୁ ସୁଧାର ଗୃହରେ ଭେଟିଥିଲେ ତାଙ୍କ ଭାଇ ।

ମାସେ ଧରି ପୋଲିସର ତୁହାକୁ ତୁହା ତଦନ୍ତ, କ୍ରାଇମବ୍ରାଂଚର ଘନ ଘନ ଅନୁସନ୍ଧାନ, ଦୁଇ ଦୁଇ ଥର ଡାକ୍ତରୀ ପରୀକ୍ଷା ପରେ ରିପୋର୍ଟ ଆସିଲା, ନାବାଳିକାକୁ ଗଣଦୁଷ୍କର୍ମ କରାଯାଇନାହିିଁ । ହେଲେ ନାବାଳିକା କହୁଛନ୍ତି ମିଛ କହୁଛି ପୋଲିସ । ତେବେ ପ୍ରଶ୍ନ ଉଠୁଛି କିଏ କହୁଛି ମିଛ? ଯଦି ନାବାଳିକା ମିଛ କହୁଛନ୍ତି , ତେବେ କାହିଁକି? ଏହାରି ଭିତରେ ଆଜି ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । କ୍ରାଇମବ୍ରାଂଚ ତଦନ୍ତ ସହ ବିଚାର ବିଭାଗୀୟ ତଦନ୍ତ ବି ହେବ । କମିସନ ଅଫ ଇନକ୍ୱାରୀ ଆକ୍ଟ ୧୯୫୨ ଅନୁଯାୟୀ ଜଣେ ଜିଲ୍ଲା ଜଜ ଘଟଣାର ତଦନ୍ତ କରିବେ । ପ୍ରକୃତରେ କଣ ହୋଇଛି, ବିଚାର ବିଭାଗୀୟ ତଦନ୍ତ ତାର ସତ୍ୟାସତ୍ୟ ସାମ୍ନାକୁ ଆଣିପାରେ । କିନ୍ତୁ ପ୍ରଶ୍ନ ଉଠୁଛି, ତଦନ୍ତ ନାଁରେ ଆହୁରି ମାସ ମାସ ବର୍ଷ ବର୍ଷ ବିତିଯିବ ନାହିଁ ତ ?