କୁନ୍ଦୁଲି ଗଣଦୁଷ୍କର୍ମ ମାମଲା ! କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ କହିଲେ, ଘଟଣାକୁ ନେଇ ରାଜନୀତି କରୁଛନ୍ତି ସରକାର, ଜବାବ ରଖିଲା ବିଜେଡି

40

କନକ ବ୍ୟୁରୋ : କୁନ୍ଦୁଲି ଗଣଦୁଷ୍କର୍ମ ମାମଲା ଏବେ ନାଟକୀୟ ମୋଡ ନେଇଛି । ନାବାଳିକାଙ୍କ ସହ ଗଣଦୁଷ୍କର୍ମ ଘଟଣାରେ ପୁଲିସ ଓ ଏଚଆରପିସି ଏଡିଜିଙ୍କ ମନ୍ତବ୍ୟର ୨୪ ଘଂଟା ଭିତରେ ମୁଖ୍ୟମନ୍ତ୍ରୀ ଦେଇଛନ୍ତି ବିଚାର ବିଭାଗୀୟ ତଦନ୍ତ ନିର୍ଦେଶ । ଯାହା କୁନ୍ଦୁଲି ଘଟଣାକୁ ଆହୁରି ରହସ୍ୟାବୃତ କରିଛି । ପୁଲିସ କହିବା ଅନୁସାରେ ନାବାଳିକାଙ୍କ ସହ ଗଣଦୁଷ୍କର୍ମ ହୋଇନି, ଏଣେ ମୁଖ୍ୟମନ୍ତ୍ରୀ ବିଚାର ବିଭାଗୀୟ ତଦନ୍ତ ପାଇଁ ନିର୍ଦେଶ ଦେଇଛନ୍ତି ।

ଯାହାକୁ ନେଇ ରାଜ୍ୟ ରାଜନୀତି ମଧ୍ୟ ବେଶ ସରଗରମ ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ବିଚାର ବିଭାଗୀୟ ତଦନ୍ତ ନିର୍ଦେଶ ପରେ ସରକାରଙ୍କୁ କାଠଗଡାକୁ ଟାଣିଛନ୍ତି । କେନ୍ଦ୍ର ଆଦିବାସୀ କଲ୍ୟାଣମନ୍ତ୍ରୀ ଜୁଏଲ ଓରାମ କହିଛନ୍ତି କୁନ୍ଦୁଲି ଘଟଣାକୁ ନେଇ ରାଜନୀତି କରୁଛନ୍ତି ସରକାର । ଯଦି ବିଚାର ବିଭାଗୀୟ ତଦନ୍ତ କରିବାର ଥିଲା ତେବେ ଏତେ ନାଟକ କାହିଁକି କଲେ ବୋଲି ପ୍ରଶ୍ନ କରିଛନ୍ତି ଜୁଏଲ । ଏହି ଘଟଣାରେ ସରକାରୀ ଦଳର କେହି ସମ୍ପୃକ୍ତ ଥିବାରୁ ଏଭଳି ନାଟକ କରୁଛନ୍ତି ରାଜ୍ୟ ସରକାର ବୋଲି ଜୁଏଲ କହିଛନ୍ତି ।

ସେପଟେ କୁନ୍ଦୁଲି ଘଟଣାରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ମନ୍ତବ୍ୟ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ରାଜ୍ୟ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ । ତଦନ୍ତ ପରେ ଜଣା ପଡିବ ଏହି ସମ୍ବେଦନଶୀଳ ଘଟଣାରେ କାହାର ସମ୍ପୃକ୍ତି ରହିଛି । ଏହାସହ କେନ୍ଦ୍ରମନ୍ତ୍ରୀଙ୍କ ବୟାନକୁ ନେଇ ମଧ୍ୟ ପ୍ରଶ୍ନ କରିଛନ୍ତି । ସେ କହିଛନ୍ତି କେନ୍ଦ୍ର ମଧ୍ୟ କେତେକ ବିଚାର ବିଭାଗୀୟ ତଦନ୍ତ ନିର୍ଦେଶ ଦେଇଛନ୍ତି, ତାହା ବି କଣ ତାମସା ।